ଚଳୁ କରିଦେଲେ ଚାଷୀଙ୍କ ଫସଲବୀମା ଟଙ୍କା

ଜମି ନଥାଇ ସମିତି ସମ୍ପାଦକ ଓ ପିଅନ ହାତେଇଛନ୍ତି ଟଙ୍କା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ

ବାଲେଶ୍ବର: ବାଲେଶ୍ବର ସଦର ବ୍ଲକ ଛାନୁଆ ସେବା ସମବାୟ ସମିତି ବିରୋଧରେ ଚାଷୀମାନେ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି । ଖରିଫ୍‌ ଚାଷ ଫସଲହାନି ବାବଦ ବୀମାରାଶି ଚଳୁ କରି ଦିଆଯାଇଛି। ସମିତିର ସମ୍ପାଦକ, ପିଅନ ଏହି ଟଙ୍କା ହାତେଇଥିବାବେଳେ ସେମାନଙ୍କ ସମ୍ପର୍କୀୟଙ୍କ ଖାତାରେ ଉକ୍ତ ଟଙ୍କା ଜମା କରାଯାଇଛି। ଏ ସଂକ୍ରାନ୍ତରେ ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ସମବାୟ ସମିତି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଯାହାକୁ ନେଇ ଚାଷୀ ମହଲ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି।

ଛାନୁଆ ସମବାୟ ସମିତି ଅଧୀନରେ ବାହାବଳପୁର, ଛାନୁଆ ଓ ଦୁବୁଲାଗଡ଼ି ପଞ୍ଚାୟତର ୧୧୪୪ ପଞ୍ଜୀକୃତ ଚାଷୀ ୨୦୨୦ ମସିହା ଖରିଫ୍‌ ଚାଷ ସମୟରେ ଋଣ ନେଇ ନିୟମିତ ବ୍ୟବଧାନରେ ଋଣ ବାବଦ କିସ୍ତି ଶୁଝୁଥିଲେ। ତେବେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ସବୁ ଅଞ୍ଚଳରେ ବହୁଳମାତ୍ରାରେ ଫସଲ ନଷ୍ଟ ହେଲା। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ ପରେ ବାହାବଳପୁର ପଞ୍ଚାୟତର ୭୬ ପ୍ରତିଶତ ଋଣୀ ଚାଷୀ ଓ ଛାନୁଆ ପଞ୍ଚାୟତର ୨୯.୪୬ ପ୍ରତିଶତ ଚାଷୀ ବୀମା ସହାୟତା ରାଶି ପାଇବାକୁ ହକ୍‌ଦାର ହେଲେ। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଚାଷୀଙ୍କ ମଧ୍ୟରୁ ୩୦୦ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ପୁଣି ଯେଉଁମାନଙ୍କୁ ବୀମା ଟଙ୍କା ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଯେତିକି ଟଙ୍କା ପାଇବାର ଥିଲା ତାହା ପାଇନାହାନ୍ତି। ଛାନୁଆ, ବାହାବଳପୁର ଓ ଦୁବୁଲାଗଡ଼ି ପଞ୍ଚାୟତ‌ରେ ପାଖାପାଖି ୯୦ ଲକ୍ଷ ଟଙ୍କାର ବୀମାରାଶି ଚଳୁ କରାଯାଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି।

ବାହାବଳପୁର ପଞ୍ଚାୟତ ରାଘପୁର ଗ୍ରାମର ପଞ୍ଚାନନ ସିଂ ଗୋଟିଏ ଏକର ଚାଷଜମି ପାଇଁ ୨୫ ହଜାର ଋଣ କରିଥିଲେ। ବୀମା ସହାୟତା ବାବଦରେ ତାଙ୍କୁ ୧୯ ହଜାର ଟଙ୍କା ମିଳିବା କଥା। କିନ୍ତୁ ସେ ମାତ୍ର ୬ ହଜାର ଟଙ୍କା ପାଇଥିବା କହିଛନ୍ତି। ସେହି ଗ୍ରାମର ଗୋପୀନାଥ ସିଂ ୪୦ ହଜାର ଋଣ କରିଥିଲେ। ସେହି ଅନୁସାରେ ତାଙ୍କୁ ୩୦ ହଜାର ଟଙ୍କା ମିଳିବା କଥା, କିନ୍ତୁ ସେ ପାଇଛନ୍ତି ୨୦ ହଜାର ଟଙ୍କା। ସେହିପରି ଏହି ଅଞ୍ଚଳର ନିତ୍ୟାନନ୍ଦ ଗିରି ୨୫ ହଜାର କୃଷି ଋଣ କରିଥିବା ବେଳେ ବୀମା ରାଶି ବାବଦରେ ତାଙ୍କୁ କିଛି ବି ମିଳିନଥିବା ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଛାନୁଆ ସମବାୟ ସମିତିର ପିଅନ ଥିବା ରତିକାନ୍ତ ଜେନାଙ୍କ ଘର ଛାନୁଆରେ। ହେଲେ ବାହାବଳପୁର ପଞ୍ଚାୟତର ଏକାଧିକ ସ୍ଥାନରେ ତାଙ୍କ ଜମି ଥିବା ଦର୍ଶାଇ ସେ ଋଣ ନେବା ସହ ପରବର୍ତ୍ତୀ ସମୟରେ ବୀମାରାଶି ବାବଦ ଟଙ୍କା ଆତ୍ମସାତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଶ୍ରୀ ଜେନାଙ୍କୁ ସୋଲପଟା ମୌଜାରେ ଫସଲ କ୍ଷୟକ୍ଷତି ବାବଦକୁ ୩୪ ହଜାର ୭୬୮ ଟଙ୍କା ମିଳିଥିବା ବେଳେ ଏଣ୍ଡେରାଇ ମୌଜାରେ ୪୯ ହଜାର ୮୪୦ ଟଙ୍କା ବୀମାରାଶି ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ସ୍ଥାନରେ ଶ୍ରୀ ଜେନାଙ୍କ ନାମରେ କୌଣସି ଜମି ନଥିବା ବେଳେ ସେ ତଞ୍ଚକତା କରି ଏଭଳି ହେର୍‌ଫେର୍‌ କରିଥିବା ଚାଷୀମାନେ କହିଛନ୍ତି। କେବଳ ଶ୍ରୀ ଜେନା ନୁହନ୍ତି, ସମିତିର ସମ୍ପାଦକ ଶତ୍ରୁଘ୍ନ ବାରିକଙ୍କର ବି ଏଥିରେ ସମ୍ପୃକ୍ତି ରହିଛି। ତାଙ୍କ ଘର ଛାନୁଆରେ ହୋଇଥିବା ବେଳେ ସେ ୫୦ ହଜାର ଟଙ୍କାର ଫସଲବୀମା ଋଣ କରିଛନ୍ତି। ଏ ବାବଦରେ ତାଙ୍କୁ ୧୪ ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳିବାକୁ ଥିବାବେଳେ ତାଙ୍କୁ ୩୮ ହଜାର ଟଙ୍କା ମିଳିଲା କେମିତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ନେଇ ଜିଲ୍ଲାପାଳ ଓ ସମବାୟ କର୍ତ୍ତୃପକ୍ଷଙ୍କଠାରେ ଚାଷୀମାନେ ଫେରାଦ ହେବା ପରେ ଗତ ମାସ ୨୭ ତାରିଖରେ ବିବିସିସି ବ୍ୟାଙ୍କର ଲିଗାଲ୍‌ ସେଲ ସହକାରୀ ପ୍ରବନ୍ଧକ ଘଟଣାର ଯାଞ୍ଚ୍‌ କରି ଅଭିଯୋଗର ସତ୍ୟତା ଥିବା ସ୍ୱୀକାର କରିଥିଲେ। ହେଲେ ଘଟଣାକୁ ଇତିମଧ୍ୟରେ ୧୫ ଦିନ ବିତିଯାଇଥିଲେ ବି ଏଯାଏ ସମିତି ସମ୍ପାଦକ କିମ୍ବା ପିଅନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳରେ ଚାଷୀମାନେ ବିବିସିସି ବ୍ୟାଙ୍କ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ଏ ବାବଦରେ ସମିତି ସମ୍ପାଦକ ଶତ୍ରୁଘ୍ନ ବାରିକଙ୍କୁ ଯୋଗାଯୋଗ କରିବାରୁ ସେ ବ୍ୟସ୍ତ ଥିବା କହି ଫୋନ୍‌ କାଟି ଦେଇଥିଲେ। ସେପଟେ ବିବିସିସି ବ୍ୟାଙ୍କର ସମ୍ପାଦକ ନାରାୟଣ ମଢ଼େଇଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭିନ୍ନ କାରଣରୁ ଏପରି ତ୍ରୁଟି ପରିଲକ୍ଷିତ ହୋଇଛି। ପ୍ରକୃତ ହିତାଧିକାରୀଙ୍କୁ ବୀମାରାଶି ମିଳିବା ବଦଳରେ ଅଯୋଗ୍ୟ ଲୋକଙ୍କୁ ମିଳିଛି। ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ହିତାଧିକାରୀଙ୍କୁ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର