ଆମେରିକାରେ ପଢ଼ିବା କାହିଁକି?

ଜୋଏଲ୍‌ ରିଫମାନ୍‌

ଚଳିତ ସପ୍ତାହ ହେଉଛି ଆନ୍ତର୍ଜାତିକ ଶିକ୍ଷା ସପ୍ତାହ। ଏହି ଅବସରରେ ମୋତେ ବାରମ୍ବାର ପଚରାଯାଉଛି ଯେ ‘ଜଣେ ଆମେରିକାରେ କାହିଁକି ଅଧ୍ୟୟନ କରିବ?’ ଏହାର ଉତ୍ତର ଦେବାକୁ ଆମେ ପରିସଂଖ୍ୟାନର ଆଶ୍ରୟ ନ ନେଇ କେତେକ ଭାରତୀୟଙ୍କ ଅନୁଭୂତିକୁ ଉପସ୍ଥାପନ କରିବା।

ଏଭଳି ଜଣେ ହେଉଛନ୍ତି ଶ୍ରୀକାନ୍ତ କୋଗାନ୍ତି ଯିଏ ଆଜକୁ କୋଡ଼ିଏ ବର୍ଷ ତଳେ ଦକ୍ଷିଣ ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଇଲେକ୍ଟ୍ରିକାଲ ଇଂଜିନିଅରିଂରେ ସ୍ନାତକୋତ୍ତର କରିବା ପାଇଁ ଆମେରିକା ଯାଇଥିଲେ। ସେ ସେଠାରେ ବିଶ୍ବସ୍ତରୀୟ ଶିକ୍ଷା ଲାଭ କରିସାରିବା ବେଳକୁ ସେ ଆହରଣ କରିଥିବା ଏକ ଅନୁଭୂତି ତାଙ୍କ କ୍ୟାରିଅର୍‌ ପସନ୍ଦକୁ ବଦଳାଇ ଦେଇଥିଲା। କାରଣ, ନିଜେ ପଢ଼ିବା ବେଳେ ତାଙ୍କୁ ସ୍ନାତକ ଶିକ୍ଷା ଲାଭ କରୁଥିବା ପିଲାଙ୍କୁ ପଢ଼ାଇବାର ସୁଯୋଗ ମିଳିଥିଲା। ଏହା ତାଙ୍କ ମଧ୍ୟରେ ଅଧ୍ୟାପନା ବୃତ୍ତି ଗ୍ରହଣ କରିବାକୁ ପ୍ରେରଣା ସୃଷ୍ଟି କଲା। ସେ ଭାରତ ଫେରିଲେ ଏବଂ ଜଣେ ଅଧ୍ୟାପକ ହେଲେ। ଜଣେ ସ୍ବନାମଧନ୍ୟ ଶିକ୍ଷାବିତ୍‌ ଭାବେ ଅଧୁନା ସେ ଆନ୍ଧ୍ରପ୍ରଦେଶର ତିନିଟି ବିଦ୍ୟାଳୟର ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ।

ଡାକ୍ତର ଅଞ୍ଜଳି ଖାନ୍ନା ଆଉ ଗୋଟିଏ ଉଦାହରଣ। ସେ ଆମେରିକା ଯାଇ ସେଠାରେ ଜଣେ ଦକ୍ଷ ଡାକ୍ତର ଭାବେ ଅବସ୍ଥାପିତ। ୨୦୧୮ ମସିହାରେ ଆଟ୍‌ଲାଣ୍ଟା ବିଶ୍ବବିଦ୍ୟାଳୟ ଅଧୀନସ୍ଥ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥରେ ସେ ଜନସ୍ବାସ୍ଥ୍ୟ ବିଜ୍ଞାନରେ ସ୍ନାତକୋତ୍ତର କଲେ। ତା’ ପରେ ଇମୋରି ସ୍କୁଲ୍‌ ଅଫ୍‌ ମେଡିସିନ୍‌ରେ ଗବେଷଣା କଲେ। ଯୁକ୍ତରାଷ୍ଟ୍ର ଆମେରିକାକୁ ଆସୁଥିବା ବିଭିନ୍ନ ମହାଦେଶ ଓ ଭିନ୍ନ ସଂସ୍କୃତିର ବ୍ୟକ୍ତିବିଶେଷଙ୍କ ସହିତ ତାଙ୍କର ଭାବ ବିନିମୟ ତାଙ୍କ ଅଭିଜ୍ଞତାକୁ ଋଦ୍ଧିମନ୍ତ କଲା। ଆମେରିକାର ଉଚ୍ଚ ଶିକ୍ଷା ପଦ୍ଧତି ତାଙ୍କ ଜ୍ଞାନକୁ ପରିବର୍ଦ୍ଧନ କଲା। ଆମେରିକାରେ ସେ ପାଇଥିବା ସୁଯୋଗ ତାଙ୍କ ଲାଗି ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି ବୋଲି ସେ କହନ୍ତି।

ସେହିପରି ଆଉ ଜଣେ ହେଲେ ଆମେରିକାର ଇଣ୍ଡିଆନା ଅନ୍ତର୍ଗତ ବ୍ଲୁମିଂଟନ୍‌ସ୍ଥିତ ଇଣ୍ଡିଆନା ବିଶ୍ବବିଦ୍ୟାଳୟର ପ୍ରଫେସର ଭେଙ୍କଟେଶ ଚୋପେଲ୍ଲା। ସେ କମ୍ପ୍ୟୁଟର ବିଜ୍ଞାନରେ ପି.ଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ସେ କହନ୍ତି ଯେ ଆମେରିକାରେ ଶିକ୍ଷା ଲାଭ କରୁଥିବା ବେଳେ ସେ ଅନେକ ବିଶ୍ବବିଖ୍ୟାତ ଶିକ୍ଷକ ଓ ଗବେଷକଙ୍କ ସଂପର୍କରେ ଆସିଲେ, ଯାହା ତାଙ୍କ ବିଶ୍ବ ଦୃଷ୍ଟିକୁ ପରିବ୍ୟାପ୍ତ କରିବା ସହିତ ଜଣେ ଦକ୍ଷ ଅଧ୍ୟାପକରେ ପରିଣତ କରିଛି। ପ୍ରଫେସର ଚୋପେଲ୍ଲା ଏବେ ହାଇଦ୍ରାବାଦସ୍ଥିତ ଆନ୍ତର୍ଜାତିକ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ଜଣେ ପ୍ରାଧ୍ୟାପକ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ଶିକ୍ଷାବର୍ଷରେ ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରାୟ ଦୁଇ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ସ୍ନାତକ ଶିକ୍ଷା ଲାଭ କରୁଥିଲେ। ଆମେରିକାର ନ୍ୟୁୟର୍କ, କାଲିଫର୍ଣ୍ଣିଆ, ଟେକ୍‌ସାସ୍‌, ମାସାଚ୍ୟୁଟ୍‌ସ ଓ ଇଲିନଏସ୍‌ ଆଦି ପ୍ରଦେଶରେ ସର୍ବାଧିକ ଭାରତୀୟ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେଥିରେ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି। ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କିଭଳି ଓଡ଼ିଶାର ଅଧିକ ଛାତ୍ରଛାତ୍ରୀ ଆମେରିକାରେ ଶିକ୍ଷା ଲାଭ କରିପାରିବେ, ସେ ବ୍ୟବସ୍ଥା ମଧ୍ୟ ଆମେ କରୁଛୁ। ଆମେରିକାର ବହିଃ ରାଷ୍ଟ୍ର ବିଭାଗ ପକ୍ଷରୁ ଭାରତର ଆଠଟି ସ୍ଥାନରେ ‘ଏଡୁକେସନ ଆମେରିକା’ ନାମରେ ପରାମର୍ଶ କେନ୍ଦ୍ର ଖୋଲାଯାଇଛି। ଚାଳିଶ ଜଣ ପରାମର୍ଶଦାତାଙ୍କୁ ତହିଁରେ ନିୟୋଜିତ କରାଯାଇଛି। ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟ ଦୂତାବାସରେ ଆମେରିକା-ଭାରତ ଶୈକ୍ଷିକ ସଂଗଠନ (ୟୁସିଏଫ୍‌) ନାମରେ ଏକ ପରାମର୍ଶ କେନ୍ଦ୍ର ରହିଛି। ଏଠାରେ ଆମେରିକାରେ ଉପଲବ୍‌ଧ ଥିବା ଉଚ୍ଚ ଶିକ୍ଷା ସଂକ୍ରାନ୍ତ ନିର୍ଭୁଲ, ସଂକ୍ଷିପ୍ତ ତଥା ସଦ୍ୟ ଲବ୍‌ଧ ସୂଚନା ମିଳିପାରୁଛି।

ସେହିଭଳି ଇଚ୍ଛୁକ ଛାତ୍ରଛାତ୍ରୀମାନେ https://educationusa.state.gov/centers/educationusa-usief-hyderabad କୁ ଲଗ୍‌ ଇନ୍‌ କରି ଏ ସମ୍ପର୍କରେ ବିଶଦ ବିବରଣୀ ପାଇ ପାରିବ। ସେହିପରି ହାଇଦ୍ରାବାଦରେ ନୂଆ କରି ଖୋଲିଥିବା ଵାଇ-ଆକ୍‌ସିସ୍‌ ଫାଉଣ୍ଡେସନ୍‌କୁ https://educationusa.state.gov/centers/educationusa-y-axis-foundationରେ ଲଗ୍‌ ଇନ୍‌ କରି ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ସୂଚନା ପାଇପାରିବେ। ଆମେରିକାରେ ଶିକ୍ଷା ଲାଭ କଲେ ଯେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବରେ ଏକ ବିପୁଳ ପରିବର୍ତ୍ତନ ଆସିଥାଏ, ତାହା ସର୍ବଦା ପ୍ରମାଣିତ ହୋଇ ଆସିଛି। ତେଣୁ ଏହି ସୁଯୋ‌ଗକୁ କେହି ହାତଛଡ଼ା କରିବା ଉଚିତ ନୁହେଁ।

ଆମେରିକୀୟ ବାଣିଜ୍ୟ ଦୂତାବାସ, ହାଇଦ୍ରାବାଦ

ସମ୍ବନ୍ଧିତ ଖବର