ରବି ସଂଗ୍ରହ ସରିନାହିଁ ଖରିଫ ପାଇଁ ପ୍ରସ୍ତୁତିରେ ଚାଷୀ

ଝାରସୁଗୁଡ଼ା: ମହାମାରୀ କରୋନା ଯୋଗୁଁ ସାରା ଦେଶ ଲକ୍ଡାଉନ୍ରେ ଥିବାରୁ ଚଳିତ ବର୍ଷ ରବି ଚାଷ ଅମଳରେ ବାଧା ସୃଷ୍ଟି ହୋଇଥିଲା। ଲକ୍ଡାଉନ୍ରେ ସାମାନ୍ୟ କହୋଳ ହେବା ବେଳେକୁ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳରେ ବିଳମ୍ବ ହୋଇଥିଲା। ଏବେ ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ଜାରି ରହିଥିବା ବେଳେ ସମାନ୍ତରାଳ ଭାବରେ ଆସନ୍ତା ଖରିଫ ଚାଷ ପାଇଁ ମଧ୍ୟ ଚାଷୀ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାଯାଇଛି। ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ବର୍ଷା ହେବାର ପ୍ରାରମ୍ଭିକ ସୂଚନା ମିଳିଥିବାରୁ ଚାଷୀ ଏବେ ଜମି ସଜାଡ଼ିବା କାର୍ଯ୍ୟରେ ଲାଗି ପଡ଼ିଛି। ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ଥିବା ବେଳେ ଏଥର ଲକ୍ଡାଉନ୍ ଯୋଗୁଁ ସେହି ପରମ୍ପରା ମଧ୍ୟ ଅନେକ ସ୍ଥାନରେ ଭାଙ୍ଗି ଯାଇଛି। ଜିଲ୍ଲାରେ ଗତ ବର୍ଷ ଖରିଫ ଚାଷ ଭଲ ହୋଇଥିବାରୁ ଚାଷୀ ମାନେ ଆଶ୍ବସ୍ଥ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ରବି ଚାଷ ଅତି ଅଳ୍ପ ପରିମାଣରେ ହୋଇଥାଏ ।

ଏଥର ଜିଲ୍ଲାବରେ ୨୪ ହଜାର ୬୮୭ ହେକ୍ଟର ଜମିରେ ରବି ଚାଷ କରାଯାଇଥିଲା। ତେବେ ରବି ଚାଷରେ ମଧ୍ୟ ଭଲ ଅମଳ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଜିଲ୍ଲାରେ ମୋଟ ୮୨ ହଜାର ୩୬୪ ହେକ୍ଟର ଜମିରେ ଖରିଫ ଚାଷ ହେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏଥିରୁ ୫୦ ହଜାର ୪୪୦ ହେକ୍ଟର ଜମିରେ ଅଣଧାନ ଚାଷ ଅର୍ଥାତ ମୁଗ, ବିରି, ହରଡ଼, ବାଦାମ, ରାଶି ଭଳି ତୈଳବୀଜ ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଛି। ଉପରୋକ୍ତ ଜମି ମଧ୍ୟରୁ ମାତ୍ର ୨୩ ହଜାର ୮୯୭ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି। ଫଳରେ ସିଂହଭାଗ ଜମି ସଂପୂର୍ଣ୍ଣ ବର୍ଷା ଉପରେ ନିର୍ଭରଶୀଳ ହୋଇଥିବାରୁ ଚାଷୀ ମାନେ ବର୍ଷା ଉପରେ ନିର୍ଭର କରି ଚାଷ ପାଇଁ ଆଗେଇଥାନ୍ତି। ଏଥର ବିହନ ଯୋଗାଣରେ ମଧ୍ୟ ବିଳମ୍ବ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।

କୃଷି ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲା ପାଇଁ ୫ ହଜାର ୬୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କିସମ ଯଥା ବୀଣା-୧୧, ଏମ୍ଟିୟୁ-୧୧୫୬, ଏମ୍ଟିୟୁ-୧୧୫୩, ଶହଭାଗୀ ଏମ୍ଟିୟୁ-୭୦୨୯, ସ୍ବର୍ଣ୍ଣ ସବ୍-୧ ଏବଂ ପ୍ରତୀକ୍ଷା ଭଳି ବିହନ ୨ ହଜାର କୁଇଣ୍ଟାଲରୁ ଅଧିକ ଯୋଗାଇ ଦିଆଯାଇ ସାରିଛି। ଜିଲ୍ଲାର ବିଭିନ୍ନ ସମବାୟ ସମିତିକୁ ଏହି ବିହନ ପହଞ୍ଚି ଯାଇଥିବା କୁହାଯାଇଛି। ଜିଲ୍ଲାରେ ଦୃତ ଶିଳ୍ପାୟନ ଫଳରେ ଚାଷଜମି କମି କମି ଯାଉଥିବା ବେଳେ ପ୍ରତିବର୍ଷ ପ୍ରତିକୂଳ ପରିସ୍ଥିତି ଚାଷୀଙ୍କୁ ଦାଉ ସାଧୁଛି। ଫଳରେ ଚାଷ ପ୍ରତି ଧିରେ ଧିରେ ଚାଷୀଙ୍କ ଉତ୍ସାହ କମି କମି ଯାଉଥିବା ଲକ୍ଷ୍ୟ କରାଯାଉଛି। ବହୁ ବଡ଼ ବଡ଼ ଚାଷୀ ଏବେ ଚାଷ ପ୍ରତି ବିମୁଖ ହୋଇ ପଡ଼ୁଛନ୍ତି, ଅନେକ ଚାଷୀ ତାଙ୍କ ଜମିକୁ ଭାଗଚାଷୀ ମାନଙ୍କୁ ଦେଇ ଅନ୍ୟ ଧନ୍ଦା କରିବା ଆରମ୍ଭ କରୁଛନ୍ତି। ୨୦୧୧ ମସିହା ଜନଗଣନା ଅନୁଯାୟୀ ଜିଲ୍ଲାରେ ମୋଟ ୫୪ ହଜାର ଚାଷୀ ଥିବା ବେଳେ ଏବେ ଏହି ସଂଖ୍ୟା ଆଶାନୁରୂପ ବୃଦ୍ଧି ଘଟିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର