ଭୁବନେଶ୍ୱର : ଚାଷୀଙ୍କ ପାଇଁ କିଏ ଅଧିକ ଦରଦୀ, ସମ୍ବେଦନଶୀଳ? ଏତିକି ପ୍ରମାଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। କେନ୍ଦ୍ର କୃଷି ମନ୍ତ୍ରୀ-ରାଜ୍ୟ କୃଷି ମନ୍ତ୍ରୀ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ପ୍ରଥମେ ମରୁଡ଼ି ଓ ତା’ ପରେ ପୋକ ଆକ୍ରମଣକୁ ନେଇ ଚାଷୀ ଗୁରୁତର ଆର୍ଥିକ ଦୁଃସ୍ଥିତିରେ ପଡ଼ି ମାନସିକ ଭାରସାମ୍ୟ ହରାଉଛି। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛି। ସେତିକି ବେଳେ ଏହାକୁ ନେଇ ରାଜନୀତି କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ କାହିଁକି ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି, ସେ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବେଫିକର। ସେ ହିସାବ ବି ମୁଣ୍ଡ ବୁଲାଇ ଦେବା ଭଳି। ଜମିରେ ଯଦି ଭଲ ଫସଲ ହେଲା, ତେବେ ବି ଚାଷୀ ଧାନ କ୍ୱିଣ୍ଟାଲ ପିଛା କ୍ଷତି ସହୁଛି ୭୯୪ ଟଙ୍କା। ଅର୍ଥାତ୍ ଏକର ପିଛା ଚାଷୀର ହାରାହାରି କ୍ଷତିର ପରିମାଣ ପ୍ରାୟ ୧୨ ହଜାର ଟଙ୍କା। ଆଉ ଯଦି ପ୍ରାକୃତିକ ବିପର୍ଯ୍ୟୟ ହେଲା, ତେବେ କ୍ଷତିର ପରିମାଣ ଦେଢ଼ ଗୁଣ ଛୁଇଁଯାଉଛି।
ସରକାରୀ ପରିସଂଖ୍ୟାନ ଅନୁସାରେ, ଏକ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀ ଖର୍ଚ୍ଚ କରୁଛି ୨୩୪୪ ଟଙ୍କା। ଗୋଟିଏ ଏକର ଜମିରେ ଅତି କମ୍ରେ ୧୫ କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଛନ୍ତି ଚାଷୀ। ଅର୍ଥାତ୍ ଏକର ପିଛା ଚାଷୀର ଖର୍ଚ୍ଚ ହେଉଛି, ପ୍ରାୟ ୩୫ ହଜାର ୧୬୦ ଟଙ୍କା। ହେଲେ କେନ୍ଦ୍ର ସରକାର ଧାନର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି, ତାହା କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ରହିଛି। ଅର୍ଥାତ୍ ସିଧା ସିଧା କ୍ୱିଣ୍ଟାଲ ପିଛା ୭୯୪ ଟଙ୍କା କ୍ଷତି ସହୁଛି।
ଗତ ନିର୍ବାଚନ ପୂର୍ବରୁ ବିଜେପି ସ୍ୱପ୍ନ ଦେଖାଇଥିଲା ଯେ କ୍ଷମତାକୁ ଆସିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣା କରିବ। ଖୋଦ୍ ନରେନ୍ଦ୍ର ମୋଦି ଏଭଳି ପ୍ରତିଶ୍ରୁତି ଦେଇଥିଲେ। ଏୟା ହୋଇଥିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୧୬ ଟଙ୍କା ହୋଇଥାନ୍ତା ଓ ଚାଷୀ ହାତକୁ ଆସିଥାନ୍ତା କ୍ୱିଣ୍ଟାଲ ପିଛା ଅଧିକ ୧୧୭୨ ଟଙ୍କା। ସେହିପରି ଗତ ବର୍ଷ ବିଧାନସଭାରେ ରାଜ୍ୟ ସରକାର ସର୍ବସମ୍ମତ ପ୍ରସ୍ତାବ ପାରିତ କରିଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢ଼ାଯାଉ। ଚାଷୀ ପାଇଁ କେନ୍ଦ୍ର ଓ ବିଜେପିର ଦରଦ ଏତେ ଯେ ଏହାକୁ ବିଚାର ପାଇଁ ଗ୍ରହଣ କରିବା ତ ଦୂରର କଥା, ବିଧାନସଭା ଗୃହ କମିଟିକୁ ଭେଟିବା ଲାଗି ଆଗ୍ରହ ଦେଖାଇଲେନି ପ୍ରଧାନମନ୍ତ୍ରୀ। ଆଜି ଦିନରେ ଚାଷୀ ପ୍ରସଙ୍ଗରେ ବିକଳ ହେଉଥିବା ରାଜ୍ୟ ବିଜେପି ନେତାମାନେ ବି ଏ ପ୍ରସଙ୍ଗରେ ମୁହଁ ଖୋଲିଲେନି। ଆସନ୍ତା ୧୭ ତାରିଖ ଦିନ ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ କମିଟିର ବୈଠିକ ବସିବ। ଅପରାହ୍ନ ୫ଟାରେ ପ୍ରସ୍ତାବିତ ଏହି ବୈଠକରେ ପରବର୍ତୀ ରଣକୌଶଳ ସ୍ଥିର କରାଯାଇପାରେ।
ସେହିଭଳି ରାଜ୍ୟ ସ୍ୱାର୍ଥର ଆଳରେ କେନ୍ଦ୍ର ସରକାରଙ୍କୁ ଅଯାଚିତ ସହଯୋଗ ଯୋଗାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଚାଷୀ ସ୍ୱାର୍ଥ ସମ୍ବଳିତ ଏ ପ୍ରସଙ୍ଗକୁ ନେଇ କେବେ ପ୍ରଧାନମନ୍ତ୍ରୀଙ୍କ ସହିତ ମୂଲଚାଲ କରିନାହାନ୍ତି ଅଥବା ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ କେବେ ଭେଟି ଚାପ ସୃଷ୍ଟି କରିନାହାନ୍ତି। କେବଳ ଚିଠି ଦିଆନିଆ, ବିଧାନସଭାରେ କାଦୁଅ ଫିଙ୍ଗା ଭିତରେ ଏ ପ୍ରସଙ୍ଗ ଅଟକିଯାଇଛି।
ଅନ୍ୟପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀର କ୍ଷତିର ଆକାର ବହୁଗୁଣିତ ହେଉଥିଲେ ହେଁ, ପ୍ୟାକେଜ ନାଁରେ ଚାଷୀକୁ ଠକୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସଂପ୍ରତି ମରୁଡି ଓ ପୋକଜନିତ କ୍ଷୟକ୍ଷତିକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ତୁହାଇ ତୁହାଇ ଚାଷୀ ସ୍ୱାର୍ଥ ପ୍ରସଙ୍ଗରେ ଡିଣ୍ଡିମ ପିଟୁଛନ୍ତି। ହେଲେ ଇନପୁଟ୍ ସବ୍ସିଡିକୁ ବିଚାରକୁ ନେଲେ ଚାଷୀ କ୍ଷତିର ଗମ୍ଭୀରତା ଜଳ ଜଳ ଦିଶୁଛି।
ଯେଉଁ ସମୟରେ ଚାଷୀ ଏକର ପିଛା ୩୫ ହଜାର ୧୬୦ ଟଙ୍କା ଚାଷ ପାଇଁ ଖର୍ଚ୍ଚ କରୁଛି, ସେ କ୍ଷେତ୍ରରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ଦିଆଯାଉଛି ୧୩ ହଜାର ୫୦୦ ଟଙ୍କା। ଅର୍ଥାତ୍ ଚାଷୀକୁ ଏକର ପିଛା ମିଳୁଛି ୫୪୬୫ ଟଙ୍କା। ଯଦି ୫୦ ପ୍ରତିଶତ କ୍ଷତି ହୋଇଥାଏ, ତେବେ ଚାଷୀ ପ୍ରାୟ ଏକର ପିଛା ୧୭ ହଜାର ଟଙ୍କା କ୍ଷତି ସହୁଛି। ଅଣଜଳସେଚିତ ଜମି ହୋଇଥିଲେ, ଚିତ୍ର ଆହୁରି ଭୟଙ୍କର। ଚାଷୀକୁ ଏ କ୍ଷେତ୍ରରେ ଇନ୍ପୁଟ୍ ସବ୍ସିଡି ମିଳୁଛି ଏକର ପିଛା ୨୭୫୩ ଟଙ୍କା (ହେକ୍ଟର ପିଛା ୬୮୦୦)। ଏଣୁ ସାମଗ୍ରିକ କ୍ଷତି ପରିମାଣ ଜଳସେଚିତ ଜମି ଠାରୁ ଆହୁରି ଅଧିକ।
ଗୋଟିଏ ପଟେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଅନ୍ୟପଟରେ ପ୍ରକୃତ କ୍ଷତି ଭରଣା ତ ଦୂରର କଥା, ଚାଷୀର ମେରୁଦଣ୍ଡ ସଳଖ କଲାଭଳି ଇନ୍ପୁଟ୍ ସବ୍ସିଡି ମଧ୍ୟ ଦେଉନାହାନ୍ତି। ଚାଷୀର ଧାନର ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ଭାବେ ଇନ୍ପୁଟ୍ ସବ୍ସିଡି ବୃଦ୍ଧି କ୍ଷେତ୍ରରେ ବି କେନ୍ଦ୍ର ସରକାରଙ୍କର ଉଦ୍ୟମ ନାହିଁ।
ଏବେ ପ୍ରଶ୍ନ ଉଠୁଛି ଚାଷୀର ସ୍ୱାର୍ଥ ପାଇଁ ବିକଳ ହୋଇ ଦିଲ୍ଲୀରୁ ଓଡ଼ିଶା ଧାଇଁଆସିଥିବା କେନ୍ଦ୍ରମନ୍ତ୍ରୀ ଏ ନେଇ ଉଦ୍ୟମ କରିବେ କି? କୃଷି ରାଜ୍ୟର ବିଷୟ କହି କେନ୍ଦ୍ର ମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରୁଥିବା ରାଜ୍ୟ କୃଷି ମନ୍ତ୍ରୀଙ୍କର ଦାୟିତ୍ୱ କ’ଣ କିଛି ନାହିଁ? ଏ ନେଇ ଉଭୟ ସରକାର କାହିଁକି ମୁହଁ ଖୋଲୁନାହାନ୍ତି, ତାହା ଚାଷୀ ମହଲକୁ ଆନ୍ଦୋଳିତ କରୁଛି।