ପନିପରିବା ଚାଷକୁ ଅଦିନିଆ ବର୍ଷା ମାଡ଼ : ସହାୟତା ନେଇ ଦ୍ୱନ୍ଦ୍ୱରେ ଚାଷୀ

ଭୁବନେଶ୍ୱର : ସାରା ଦେଶରେ ପନିପରିବା ଉତ୍ପାଦନରେ ଓଡ଼ିଶା ୪ର୍ଥ ସ୍ଥାନ ଅଧିକାର କରିଛି। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ଶୀତକାଳୀନ ପନିପରିବା ଚାଷ ଅଧିକ। ଏଥର ରାଜ୍ୟର ଉପକୂଳବର୍ତୀ ଜିଲ୍ଲାରେ ଶୀତକାଳୀନ ପନିପରିବା ଚାଷ ଉପରେ ଭୀଷଣ ମାଡ଼ ଦେଇଛି ଅଦିନିଆ ବର୍ଷା। ପନିପରିବା କ୍ଷୟକ୍ଷତି ନେଇ ଉପରଠାଉରିଆ ଭାବେ ଆକଳନ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ଭଳି ଠିଆ ଫସଲ ନଷ୍ଟ ପାଇଁ ରାଜ୍ୟ ସରକାର ରିଲିଫ କୋଡ୍‌ ମାଧ୍ୟମରେ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ପନିପରିବା ଚାଷରେ କ୍ଷୟକ୍ଷତି ପାଇଁ ଅନୁରୂପ କ୍ଷତିପୂରଣ ବ୍ୟବସ୍ଥା ନ ଥିବା ଦର୍ଶାଇ ଚାଷୀ ମହଲରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଉଦ୍ୟାନକୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଏହା ଚାଷୀମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି।

ଏ ନେଇ ଉଦ୍ୟାନକୃଷି ବିଭାଗ ନିର୍ଦେଶକ ଡ. ଏମ୍‌. ମୁଥୁକୁମାର କହିଛନ୍ତି ଯେ ଜିଲ୍ଲାପାଳମାନେ ଫସଲ କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ଦେବେ। ସେହି ରିପୋର୍ଟ ପାଇବା ପରେ ଉଦ୍ୟାନକୃଷି ବିଭାଗ ପରବର୍ତୀ ପଦକ୍ଷେପ ନେବ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ରିଲିଫ କୋଡ୍‌ର ପରିସର ଅତ୍ୟନ୍ତ ସୀମିତ। ଏଣୁ ରାଜ୍ୟ ସରକାର ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି(ଏସ୍‌ଡିଆରଏଫ୍‌)ରୁ ସହାୟତା ଯୋଗାଇ ଦେଉଛନ୍ତି। ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିଲେ ସେ ନେଇ ଆକଳନ କରିବାକୁ ପୁଣି ଥରେ ନିର୍ଦେଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏଥିରୁ ପନିପରିବା ଚାଷୀମାନେ ଉପକୃତ ହେବେ ନା ବଳିପଡ଼ିବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ।

ଅଦିନିଆ ବର୍ଷାରେ ଉପକୂଳବର୍ତୀ ବିଶେଷ କରି ଯାଜପୁର, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଜିଲ୍ଲାରେ ପନିପରିବା ଚାଷ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫୁଲକୋବି, ବନ୍ଧାକୋବି, ବାଇଗଣ, ଲଙ୍କା, ବିଲାତି, ମଟର ଆଦି ସହିତ ଗଞ୍ଜାମ ଜିଲ୍ଲାରେ ଗେଣ୍ଡୁ, ରଜନୀଗନ୍ଧା ଫୁଲ ଚାଷ ବି ବର୍ଷା ମାଡ଼ରେ ନଷ୍ଟ ହୋଇଛି। ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ନିମନ୍ତେ ତଳି ପଡ଼ିଥିଲା। ବର୍ଷାରେ ସେସବୁ ପଚିଯାଇଥିବା ସଂପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତିି। ଉଦାହରଣ ସ୍ୱରୂପ ବାଲେଶ୍ୱର ଜିଲ୍ଲାରେ ଏଥର ୨୫୩୧୬ ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି। ସେଥିମଧ୍ୟରୁ ପ୍ରାୟ ୪ ହଜାର ହେକ୍ଟର ଜମିରେ ଚାଷ ସମୂଳେ ନଷ୍ଟ ହୋଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଳେଶ୍ୱର ବ୍ଲକ। ରେମୁଣା, ବାଲେଶ୍ୱର, ସୋର ବ୍ଲକରେ ଲଙ୍କା ତଳି ପଚି ଯାଇଥିବା ସୂଚନା ମିଳିଛି। ତଳି ପାଇଁ ଚାଷୀମାନେ ନାହିଁ ନ ଥିବା ଦୁର୍ଦଶାର ସାମ୍ନା କରୁଛନ୍ତି। କାରଣ ସେମାନଙ୍କୁ ତଳି ପାଇଁ ପାଖ ପଡ଼ୋଶୀ ଗାଁ ଉପରେ ନିର୍ଭର କରିବାକୁ ପଡ଼େ। ଅଦିନିଆ ବର୍ଷାରେ ସବୁଠଁ ତଳି ଚାଷ ମାଡ଼ ଖାଇଛି। ସରକାରଙ୍କ ପକ୍ଷରୁ ତଳି ବା ଚାରା ଯୋଗାଣ ବ୍ୟବସ୍ଥା ଆଦୌ ନାହିଁ।

ପ୍ରତ୍ୟେକ ବର୍ଷ ପରି ଏଥର ରାଜ୍ୟରେ ପ୍ରାୟ ୪୨ ହଜାର ହେକ୍ଟର ଜମିରେ ଫୁଲକୋବି, ୩୮ ହଜାର ହେକ୍ଟର ଜମିରେ ବନ୍ଧାକୋବି, ୧.୧୮ ହେକ୍ଟର ଜମିରେ ବାଇଗଣ, ପ୍ରାୟ ୧ ଲକ୍ଷ ହେକ୍ଟର ଜମିରେ ବିଲାତି, ୫,୫୨୪ ହେକ୍ଟର ଜମିରେ ମଟର, ୬୫ ହଜାର ହେକ୍ଟର ଜମିରେ ଭେଣ୍ଡି ଚାଷ ଆରମ୍ଭ ହୋଇଥିଲା। ଗତ ବର୍ଷ ରାଜ୍ୟରେ ବାଇଗଣ ଉତ୍ପାଦନ ୨୦ ଲକ୍ଷ ମେଟ୍ରିକ ଟନ୍‌ ଟପିଥିବା ବେଳେ ପ୍ରାୟ ୭ ଲକ୍ଷ ଟନ୍‌ର ଫୁଲକୋବି, ୧୧ ଲକ୍ଷ ଟନ୍‌ର ବନ୍ଧାକୋବି, ୧୩୦ ଲକ୍ଷ ଟନ୍‌ର ବିଲାତି, ୫୦ ହଜାର ଟନ୍‌ର ମଟର ଉତ୍ପାଦନ ହୋଇଥିଲା। ଅଦିନିଆ ବର୍ଷାରେ ଏଥର ପ୍ରାୟ ୨୫ ପ୍ରତିଶତ ପନିପରିବା ଚାଷ ପ୍ରଭାବିତ ହୋଇଛି। ଏଣୁ ପନିପରିବା ଉତ୍ପାଦନ କମିବାର ଆଶଙ୍କା ରହିଛି। ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯେଉଁଭଳି ମଞ୍ଜିର ମିନିକିଟ୍‌ ଯୋଗାଇ ଦିଆଯାଉଛି ଅନୁରୂପ ଭାବେ ପନିପରିବା ଚାଷୀମାନଙ୍କୁ ଅଧିକ ସଂଖ୍ୟକ ମିନିକିଟ୍‌ ତୁରନ୍ତ ଯୋଗାଇଦେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର