ୱେସ୍କୋ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଆରମ୍ଭ, ସମ୍ବଲପୁରରେ ସର୍ବାଧିକ ୫୯ ଲକ୍ଷ ଆଦାୟ

ସୁନ୍ଦରଗଡ଼ରେ ୬୬୦ ସଂଯୋଗ ବିଚ୍ଛିନ୍ନ, ପ୍ରଥମ ଦିନରେ ୨ କୋଟି ୩ହଜାର ଟଙ୍କା ଆଦାୟ

ସମ୍ବଲପୁର: ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ କରୁଥିବା ୱେସ୍କୋର ଗ୍ରାହକଙ୍କ ନିକଟରେ ୨,୫୨୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବକେୟା ରହିଥିବାରୁ କମ୍ପାନିର ଆର୍ଥିକ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ମଙ୍ଗଳବାରଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କଠାରୁ ବକେୟା ଆଦାୟ ଓ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସମଗ୍ର ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ୱେସ୍କୋ ପକ୍ଷରୁ ୨୭୪ଟି ସ୍କ୍ବାଡ୍‌ ଚଢ଼ଉ କରି ୨ କୋଟି ୩ ହଜାର ଟଙ୍କା ଆଦାୟ କରିଛି। ତେବେ ବାରମ୍ବାର ନୋଟିସ୍‌ ସ‌ତ୍ତ୍ବେ ମଧ୍ୟ ବିଲ୍‌ ପଇଠ କରିନଥିବା ମୋଟ ୨୦୧୬ଜଣ ଘରୋଇ ଓ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ୱେସ୍କୋ ମହାପ୍ରବନ୍ଧକ(ବାଣିଜ୍ୟ) ଆଶିଷ କୁମାର ପାଟ୍ଟଯୋଶୀ ସୂଚନା ପ୍ରଦାନ କରିଛନ୍ତି। ପ୍ରଥମ ଦିନରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୫୯.୫୩ ଲକ୍ଷ ଟଙ୍କାର ବକେୟା ବିଲ୍‌ ସଂଗ୍ରହ ହୋଇଥିବା ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬୬୦ ଜଣ ଉପଭୋକ୍ତାଙ୍କର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ତେବେ ବିଶେଷକରି ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଯେଉଁ ଉପଭୋକ୍ତାମାନେ ବକେୟା ବିଲ୍‌ ପଇଠ କରିବା ପାଇଁ ନିକଟସ୍ଥ ୱେସ୍କୋ କାର୍ଯ୍ୟାଳୟରେ ପୂର୍ବରୁ ଆଲୋଚନା କରିଥିଲେ ସେମାନଙ୍କୁ କିଛି ଦିନର ରିହାତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସମ୍ବଲପୁରରେ ମୋଟ ୬୦ଟି ସ୍କ୍ବାଡ୍‌ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୫୯.୫୩ ଲକ୍ଷ ଟଙ୍କାର ବକେୟା ବିଲ୍‌ ସଂଗ୍ରହ କରିଥିବା ସମୟରେ ୪୧୧ ଜଣଙ୍କର ସଂଯୋଗ ବିଚ୍ଛିନ୍ନ କରିଛି। ବରଗଡ଼ ଜିଲ୍ଲାରେ ୬୦ଟି ସ୍କ୍ବାଡ୍‌ ଚଢ଼ଉ କରି ୧୮.୨୦ ଲକ୍ଷ ଟଙ୍କା ଆଦାୟ କରିଥିବା ସମୟରେ ୯୦ଟି ସଂଯୋଗ ବିଚ୍ଛିନ୍ନ, ବଲାଙ୍ଗୀର ଜିଲ୍ଲାରେ ୨୨ଟି ସ୍କ୍ବାଡ୍‌ ୮.୮୬ ଲକ୍ଷ ଟଙ୍କା ଆଦାୟ କରିଥିବା ସମୟରେ ୨୧୭ ଜଣଙ୍କର ସଂଯୋଗ ବିଚ୍ଛିନ୍ନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ୨୨ଟି ସ୍କ୍ବାଡ୍‌ ଚଢ଼ଉ କରି ୧୭.୮୧ ଲକ୍ଷ ଟଙ୍କା ଆଦାୟ କରିଥିବା ସମୟରେ ୨୭୨ ଜଣଙ୍କର ସଂଯୋଗ ବିଚ୍ଛିନ୍ନ ହୋଇଛି, ନୂଆପଡ଼ା ଜିଲ୍ଲାରେ ୯ଟି ସ୍କ୍ବାଡ୍‌ ଚଢ଼ଉ କରି ୫.୫୯ ଲକ୍ଷ ଟଙ୍କାର ବକେୟା ବିଲ୍‌ ଆଦାୟ କରିଥିବା ସମୟରେ ୫୦ଟି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ସ୍କ୍ବାଡ୍‌ ଚଢ଼ଉ କରି ୩.୯୦ ଲକ୍ଷ ଟଙ୍କା ବକେୟା ବିଲ୍‌ ଆଦାୟ କରିଥିବା ସମୟରେ ୫୦ଟି ସଂଯୋଗ ବିଚ୍ଛିନ୍ନ କରାଯାଇଛି, ଦେବଗଡ଼ ଜିଲ୍ଲାରେ ୭ଟି ସ୍କ୍ବାଡ୍‌ ଚଢ଼ଉ କରି ୧୨.୨୫ ଲକ୍ଷ ଟଙ୍କା ଆଦାୟ କରିଥିବା ସମୟରେ ୪୮ଟି ସଂଯୋଗ ବିଚ୍ଛିନ୍ନ କରିଛି, ଝାରସୁଗୁଡ଼ା ଜିଲ୍ଲାରେ ୨୯ଟି ସ୍କ୍ବାଡ୍‌ ଚଢ଼ଉ କରି ୩୧.୨୮ ଲକ୍ଷ ଟଙ୍କା ଆଦାୟ କରିଥିବା ସମୟରେ ୨୧୮ ଜଣଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୫୯ଟି ସ୍କ୍ବାଡ୍‌ ଚଢ଼ଉ କରି ୪୨.୬୧ ଲକ୍ଷ ଟଙ୍କାର ବକେୟା ବିଲ୍‌ ଆଦାୟ କରିଥିବା ସମୟରେ ୬୬୦ ଜଣଙ୍କର ସଂଯୋଗ ବିଚ୍ଛିନ୍ନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ୱେସ୍କୋର ଘରୋଇ ଓ ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ୨୧୧୭ କୋଟି ଟଙ୍କାର ବିଦ୍ୟୁତ୍‌ ଦେୟ ବକେୟା ରହିଛି। ୧,୨୫,୧୮୦ ଜଣ ଉପଭୋକ୍ତା ୨ ବର୍ଷରୁ ଅଧିକ ସମୟ ଧରି ଥରେ ହେଲେ ବିଦ୍ୟୁତ୍‌ ବିଲ୍‌ ପୈଠ କରିନାହାନ୍ତି। ୨୫ ହଜାର ଟଙ୍କାରୁ ଅଧିକ ବିଲ୍‌ ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ୨,୫୭,୬୫୨ ଜଣ ରହିଥିବା ସମୟରେ ୫୦ ହଜାର ଟଙ୍କାରୁ ଅଧିକ ବକେୟା ରହିଥିବା ଉପଭୋକ୍ତାଙ୍କ ସଂଖ୍ୟା ୧,୩୪, ୫୬୧ ରହିଛି। ଏଥିରେ ଘରୋଇ ଉପଭୋକ୍ତା ୧୭,୭୦,୨୧୧ ଜଣ ରହିଥିବା ସମୟରେ ସେମାନଙ୍କ ମଧ୍ୟରୁ ୧୦, ୮୦,୯୩୩ ଜଣଙ୍କ ନିକଟରେ ୧୯୮୪.୪୫ କୋଟି ଟଙ୍କାର ବିଲ୍‌ ବକେୟା ରହିଛି। ସେହିପରି ୮୧,୧୨୫ ଜଣ ବାଣିଜ୍ୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରୁ ୪୬,୦୯୩ ଜଣଙ୍କ ନିକଟରେ ୧୩୨.୬୫ କୋଟି ଟଙ୍କାର ବିଲ୍‌ ବାକି ରହିଛି। ଏହାବ୍ୟତୀତ ଏଚ୍‌ଟି ଓ ଇଏଚ୍‌ଟି ଶିଳ୍ପାନୁଷ୍ଠାନ ଗ୍ରାହକଙ୍କ ନିକଟ‌ରେ ୪୦୬ କୋଟି ଟଙ୍କା ବକେୟା ରହିଛି।

ସମ୍ବନ୍ଧିତ ଖବର