ଭୁବନ : ପୁଅକୁ ବଳି ଉଦ୍ୟମ, ବାପା ଗିରଫ

ଭୁବନ : ଆଜିର ବିଜ୍ଞାନ ଯୁଗରେ ମଧ୍ୟ କେତେକ ଲୋକଙ୍କ ଗୁଣିଗାରେଡ଼ି ପ୍ରତି ବିଶ୍ବାସ ରହିଛି। ଗୁଣିଗା‌ରେଡି ଦ୍ବାରା ନିଜର ଭଲ ହୁଏ ବୋଲି ମଧ୍ୟ ଅନ୍ଧବିଶ୍ବାସ ରହିଛି। ଏହାର ବଶବର୍ତ୍ତୀ ହୋଇ କେତେକ ନିଜର ପରିବାରର ବଳି ପକାଇବାକୁ ମଧ୍ୟ ପଛାଉନଥିବାର ନଜିର ରହିଛି। ଏହାର ଜ୍ବଳନ୍ତ ଉଦାହରଣ ଭୁବନ ଥାନା ଅନ୍ତର୍ଗତ କେନ୍ଦୁପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଜଣେ ଅଙ୍ଗନବାଡ଼ି ସହାୟିକାଙ୍କ ସ୍ବାମୀ ନିଜର ସୁଖ ସୁବିଧା ପାଇଁ ନିଜ ଦେଢ଼ ବର୍ଷର ପୁଅକୁ ବଳି ପକାଇବାକୁ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଛି। ଏ ଘଟଣାରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଭୁବନ ଥାନା କୁନିନ୍ଦା ପଞ୍ଚାୟତ କେନ୍ଦୁପଡ଼ା ଗ୍ରାମର ପୁରୁଷୋତ୍ତମ ନାୟକ ଦୀର୍ଘଦିନ ହେବ ଜଣେ ବ୍ୟକ୍ତିଙ୍କଠାରୁ ଗୁଣିଗାରେଡ଼ି ଶିକ୍ଷା କରୁଥିଲେ। ଏହାର ପ୍ରୟୋଗ ପାଇଁ ନିଜର ଦେଢ ବର୍ଷର ପୁଅକୁ ବଳି ଦେଲେ ନିଜର ଦେହ ଭଲ ହେବ ବୋଲି କହି ସେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ସ୍ତ୍ରୀ ତଥା ଗ୍ରାମର ଅଙ୍ଗନବାଡ଼ି ସହାୟିକା ମାନସୀଙ୍କଠାରୁ ପୁଅକୁ ଛଡାଇ ନେଇଥିଲେ। ଏହା ଜାଣି ପାରି ଗ୍ରାମବାସୀ କୈଶଳକ୍ରମେ ପୁଅକୁ ଛଡାଇ ଆଣିଥିଲେ। ମାନସୀ ଏ ସଂପର୍କରେ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ କରି ପୁରୁଷୋତ୍ତମକୁ ଗିରଫ କରିଛି।

ସମ୍ବନ୍ଧିତ ଖବର