କଟକ : ହଜିଲା ବାପାକୁ ୨୦ବର୍ଷ ପରେ ଫେରି ପାଇଲା ପୁଅ। ପୁଣି ଛଅ ମାସ ତଳେ ନିଖୋଜ ପୁଅକୁ ଖୋଜି ପାଇଛି ବାପା। କଟକ ବଡ଼ ମେଡିକାଲ୍ ମାନସିକ ରୋଗ ବିଭାଗରେ ଆଜି ଦୁଇଟି ଘଟଣାକ୍ରମରେ ଏଭଳି ବାପ-ପୁଅଙ୍କ ମିଳନ ଘଟିଛି। ଦୀର୍ଘ ଦିନ ପରେ ନିଜ ଲୋକଙ୍କୁ ପାଖରେ ପାଇ ପରିବାର ଲୋକ କେବଳ ଖୁସିରେ ଆତ୍ମହରା ହୋଇଉଠିନାହାନ୍ତି, ଆଖିରୁ ଲୁହ ବି ଗଡ଼ି ଆସିଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ୨୦ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାଲେଶ୍ୱର ନୀଳଗିରିର ବାବୁଲା ଦାସ। ସେ ବଞ୍ଚିଛନ୍ତି କି’ ମରିଛନ୍ତି, ପରିବାର ଲୋକେ ଜାଣିନଥିଲେ। ହେଲେ ଏସ୍ସିବି ମେଡିକାଲ୍ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସେ ଚିକିତ୍ସା ହେଉଥିବା ବାବଦରେ ପରିବାର ଲୋକେ ଜାଣିବା ପରେ ଆଜି ବାବୁଲା ଘରକୁ ଫେରିଛନ୍ତି। ୧୯୯୮ମସିହାରେ ମାନସିକ ଭାରସାମ୍ୟ ହରାଇ ଘରୁ ବାବୁଲା କେଉଁ ଆଡେ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ଯେତେ ଖୋଜିଥିଲେ ବି ପାଇନଥିଲେ। ଗତ ୩ବର୍ଷ ତଳେ ବାଲେଶ୍ୱରର ଏକ ଏନ୍ଜିଓର କର୍ମକର୍ତ୍ତା ବାବୁଲାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଇଥିଲେ। ଆଜି ତାଙ୍କ ପୁଅ ଏ ବିଷୟରେ ଜାଣିବାକୁ ପାଇବାରୁ ବାବୁଲାଙ୍କୁ ନେବାକୁ ମେଡିକାଲ୍ରେ ପହଞ୍ଚିଥିଲେ।
ସେହିପରି ଛତିଶଗଡ଼ର ୨୨ବର୍ଷିୟ ପବନ କୁମାର ୬ମାସ ହେଲା ନିଖୋଜ ହୋଇଯାଇଥିଲେ। ମାନସିକ ସ୍ଥିତି ଭଲ ନଥିବାରୁ ପବନ ମରିଯାଇଥିବା ପରିବାର ଲୋକେ ଧରିନେଇଥିଲେ। ହେଲେ ଗତ କିଛି ଦିନ ତଳେ ପବନ ବିଷୟରେ ପରିବାର ଲୋକେ ଜାଣିବାକୁ ପାଇବାରୁ ଆଜି ତାଙ୍କ ବାପା ପବନକୁ ନେବା ପାଇଁ ଏସ୍ସିବି ମେଡିକାଲ୍କୁ ଆସିଥିଲେ। ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ ଓ ଅନ୍ୟାନ୍ୟ ଡାକ୍ତରଙ୍କ ସହଯୋଗରେ ଉଭୟ ରୋଗୀ ଆଜି ଘରକୁ ଫେରିଛନ୍ତି। ନିଖୋଜ ପୁଅ ଘରକୁ ପେରିବା ପରେ ଦୁଇ ପରିବାରରେ ଆଜି ଖୁସିର ମାହୋଲ ଦେଖିବାକୁ ମିଳିଛି। ବର୍ତ୍ତମାନ ପ୍ରତିଷ୍ଠାନରେ ୮୧ଜଣ ଅସହାୟ ରୋଗୀ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଏମାନେ ଏଠାକୁ ଆସୁଥିବାବେଳେ ଆଉ କେତେକ ପରିବାର ଲୋକେ ତାଙ୍କ ରୋଗୀକୁ ଏଠାରେ ଛାଡ଼ିଦେଇ ଚାଲିଯାଉଛନ୍ତି। ହେଲେ ସେମାନଙ୍କ ଥଇଥାନ ଠିକ୍ ଭାବେ ହୋଇପାରୁନଥିବାରୁ ଓ୍ଵାର୍ଡରେ ଦିନକୁ ଦିନ ଅସହାୟ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ୩୦ ଜଣ ପୁରୁଷ ଓ ୫୧ ଜଣ ମହିଳା ଅସହାୟ ରୋଗୀ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ଥଇଥାନ ଦିଗରେ ଏନ୍ଜିଓ, ଜିଲ୍ଲା ପ୍ରଶାସନ ଚିନ୍ତା କରିବା ଆବଶ୍ୟକ ବୋଲି ଡାକ୍ତର ସ୍ୱାଇଁ କହିଛନ୍ତି।