ତୃତୀୟ ଲହର ଭୟ: ପାର୍ବଣ ପାଇଁ ନୂଆ ଗାଇଡଲାଇନ୍ ଆଣିବେ ସରକାର

୮୧୬ ପଜିଟିଭ୍, ୬୯ ମୃତ

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ଏହା ସାଙ୍ଗକୁ କରୋନାର ସମ୍ଭାବ୍ୟ ତୃତୀୟ ଲହର। ଯଦିଓ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି। ଠିକ୍‌ ସମୟରେ ଏହି ଗାଇଡଲାଇନ୍ ଜାରି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର।

ଡା. ମହାପାତ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣରେ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ସର୍ଭେଲାନ୍‌ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଦ୍ବିତୀୟ ଲହରରେ ରାଜ୍ୟରେ ଶୀର୍ଷ ସଂକ୍ରମଣ ୧୦ ହଜାର ପାର୍ କରିଥିଲା। ହେଲେ ଏବେ ସ୍ଥିତିରେ ସୁଧାର ଆସିଛି। ତୃତୀୟ ଲହରରେ ମଧ୍ୟ ସଂକ୍ରମଣ ବଢ଼ିପାରେ ବୋଲି ଆକଳନ କରାଯାଉଛି। ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ଡା. ମହାପାତ୍ର କହିଛନ୍ତି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଛି। ଆଇଆଇଟି କାନପୁର ମଡେଲ ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ନ ଆସିଲେ, ସଂକ୍ରମଣର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଆକଳନ କରିଛି। ଏପରିକି ଦୈନିକ ସଂକ୍ରମଣ ୨ହଜାର ପାର୍ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ହେଲେ କେନ୍ଦ୍ର ସରକାରଙ୍କ ଆକଳନ କହୁଛି, ସମ୍ଭାବ୍ୟ ତୃତୀୟ ଲହରରେ ଓଡ଼ିଶାରେ ଦ୍ବିତୀୟ ତୁଳନାରେ ଦେଢ଼ ଗୁଣା ଅଧିକ ସଂକ୍ରମଣ ହୋଇପାରେ। ଏପରିକି ୯୨ ହଜାର ପର୍ଯ୍ୟନ୍ତ ଶିଶୁ ସଂକ୍ରମିତ ହୋଇପାରନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ଶଯ୍ୟା ସହିତ ଆଇସିୟୁ ଶଯ୍ୟା ପ୍ରସ୍ତୁତ କରିଛନ୍ତି। ଏହା‌ସହ ଜରୁରୀକାଳୀନ କୋଭିଡ୍‌ ପ୍ରତିକ୍ରିୟା ଯୋଜନା ବା ଏନ୍‌ସିଆର୍‌ପି-୨କୁ ମଞ୍ଜୁରି ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ଓ ଖୋର୍ଧା ଜିଲ୍ଲାରୁ ଦୈନିକ ସଂକ୍ରମଣ ୫୦ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ୨୯୧ ଓ କଟକରୁ ୧୧୬ ଆକ୍ରାନ୍ତଙ୍କୁ ବାଦ୍ ଦେଲେ ବାଲେଶ୍ବର ୪୬, ଜଗତସିଂହପୁର ୩୪, ଯାଜପୁର ୩୧, କେନ୍ଦ୍ରାପଡ଼ା ୨୯, ମୟୂରଭଞ୍ଜ ୨୭ ଓ ଷ୍ଟେଟ୍‌ ପୁଲରୁ ୬୨ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪ହଜାର ୮୭୫କୁ ବୃଦ୍ଧି ପାଇଛି। ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। କଟକରେ ସର୍ବାଧିକ ୩୮ଜଣଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗୋଟିଏ ଦିନରେ ଖୋର୍ଧା ଜିଲ୍ଲାରେ ୪୨ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଥିଲା। କଟକକୁ ବାଦ୍ ଦେଲେ ଜଗତସିଂହପୁର ୯, ଢେଙ୍କାନାଳ ୬, ଯାଜପୁର, କେନ୍ଦ୍ରାପଡ଼ାରେ ୩ ଲେଖାଏଁ, ଅନୁଗୁଳ, ଭଦ୍ରକ ଓ କେନ୍ଦୁଝରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୭୬୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ୯୮୬ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୨୮୫କୁ ଖସି ଆସିଛି। ଏହାସହ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୯ହଜାର ୮୪୦କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର