ସାର ଚିନ୍ତା ବଢ଼ିଲାଣି: ମାତ୍ରାଧିକ ବ୍ୟବହାର ଅଭ୍ୟାସ କରାଇଲେ, ଏବେ ଦେଇପାରୁନାହାନ୍ତି

୩ ମାସରେ ଦର ୫୦ ପ୍ରତିଶତ ବୃଦ୍ଧି, ବିକଳ୍ପ ରାସ୍ତା ଖୋଜୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଚାଷୀଙ୍କୁ ଅତ୍ୟଧିକ ରାସାୟନିକ ସାର ବ୍ୟବହାରର ଅଭ୍ୟାସ କରାଇଦେଲେ। ଏବେ ଦରକାର ବେଳକୁ ଯୋଗାଣ କରିପାରୁ ନାହାନ୍ତି କେନ୍ଦ୍ର ସରକାର। ସ୍ଥିତି ଏମିତି ଯେ ଓଡ଼ିଶାରେ ସାର ସଙ୍କଟ ଏବେ କୃଷି ପାଇଁ ବିପଦ ଆଣିଦେଲେଣି। କାରଣ ରାଜ୍ୟର ବାରମ୍ବାର ଚାପ ସତ୍ତ୍ବେ କେନ୍ଦ୍ର ସରକାର ଚାଷୀକୁ ଆବଶ୍ୟକ ସାର ଯୋଗାଇ ପାରିଲେ ନାହିଁ। ଏଣୁ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ରାଜ୍ୟ ସରକାର ଆଗାମୀ ଦିନ ପାଇଁ ବିକଳ୍ପ ରାସ୍ତା ଖୋଜୁଛନ୍ତି। ଏହି କ୍ରମରେ ପାରମ୍ପରିକ ଜୈବିକ ସାର ବାୟୋ ଫର୍ଟିଲାଇଜର, ଭର୍ମି କମ୍ପୋଷ୍ଟ ବ୍ୟବହାର ବୃଦ୍ଧି ପାଇଁ ସରକାରୀସ୍ତରରେ ଚିନ୍ତନ ଆରମ୍ଭ ହୋଇଛି। ଇତିମଧ୍ୟରେ ଏସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି, ରାସାୟନିକ ସାର ଯୋଗୁଁ ପାରମ୍ପରିକ ଜୈବିକ ସାର ବ୍ୟବହାରକୁ ଗୌଣ କରି ଦିଆଗଲା। ଏବେ ବିଷାକ୍ତ ହୋଇ ପଡ଼ିଥିବା ମାଟିକୁ ପାରମ୍ପରିକ ସାର କେତେ ସୁହାଇବ?

DNA India

ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ୩ ମାସ ମଧ୍ୟରେ ରାସାୟନିକ ସାରର ଦର ପୁଣି ୫୦ ପ୍ରତିଶତ ବୃଦ୍ଧି ପାଇଛି। ସୀମା ବିବାଦ ଯୋଗୁଁ ଚାଇନା ପରିବହନ ଦର ବୃଦ୍ଧି କରିବା ଏହାର ଅନେକ କାରଣ ମଧ୍ୟରୁ ଗୋଟିଏ। ଏହାର ସିଧା ପ୍ରଭାବ ଏବେ ସାର ବଜାର ଉପରେ ପଡ଼ିଲାଣି। ତିନି ବର୍ଷ ହେଲା ଦେଶରେ ସାର ଷ୍ଟକ ହ୍ରାସ ପାଇବାରେ ଲାଗିଛି। ରିପୋର୍ଟ କହୁଛି, ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ଦେଶରେ ୨୦ ହଜାର ୯୦ ମେଟ୍ରିକ ଟନ୍‌ ଥିଲା। ୨୦୨୦ ମସିହାରେ ୧୬ ହଜାର ୨୩୭ ମେଟ୍ରିକ ଟନ୍‌, ୨୦୨୧ରେ ୧୧ ହଜାର ୫୨୪ ମେଟ୍ରିକ ଟନ୍‌ର ୟୁରିଆ, ଡିଏପି, ପଟାସ ଏବଂ ଏନପିକେ ସାର ଗଚ୍ଛିତ ରହିଛି। ଅର୍ଥାତ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର କ୍ରୟ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଏବେ ରାଜ୍ୟମାନଙ୍କ ଉପରେ ପଡ଼ିଲାଣି। ବିଶେଷକରି ଓଡ଼ିଶା ଭଳି ଅଣବିଜେପି ରାଜ୍ୟକୁ ସାର ଯୋଗାଣ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।

ଚଳିତ ଖରିଫ୍‌ ଋତୁରେ ଓଡ଼ିଶାକୁ ୯ ଲକ୍ଷ ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମାତ୍ର ୬ ଲକ୍ଷ ୮୪ ହଜାର ମେଟ୍ରିକ ଟନ୍‌ ଦିଆଗଲା। ସାର ପାଇଁ ଚାଷୀ ଅନେକ ଦହଗଞ୍ଜ ହେଲେ। ବିଶେଷକରି ଜଳସେଚିତ ଅଞ୍ଚଳରେ ମାଟିରେ ଅତ୍ୟଧିକ ସାର ଦେଇ ଏଭଳି କରାଯାଇଛି ଯେ ବିନା ରାସାୟନିକ ସାରରେ ଭଲ ଫସଲ ହେଉ ନାହିଁ। ଏଣୁ ଖରିଫ ଫସଲ ଉତ୍ପାଦନ ଉପରେ ଏହାର କିଛି ପ୍ରଭାବ ପଡ଼ିପାରେ।

ଏବେ ରବିରେ ମଧ୍ୟ ସ୍ଥିତି ଆହୁରି ଗମ୍ଭୀର ହେଲାଣି। ରବିରେ ୩ ଲକ୍ଷ ୫୫ ହଜାର ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୯ ହଜାର ମେଟ୍ରିକ ଟନ୍‌ ସାର କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି। ଜାନୁଆରି, ଫେବ୍ରୁଆରି ମାସରେ ରବି ଫସଲ ପାଇଁ ସାରର ସର୍ବାଧିକ ଆବଶ୍ୟକତା ରହିଛି। ତେଣୁ ସେହି ସମୟରେ ବକେୟା ସାର ପହଞ୍ଚିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି।

ICL Industrial Products

ବିଶେଷଜ୍ଞମାନେ କହୁଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରର ଅଧିକାଂଶ ଭାଗ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟକୁ ଯୋଗାଣ କରାଯାଉଛି। ହେଲେ ଏହାର ସ୍ଥାୟୀ ସମାଧାନ ରାସ୍ତା ଏଯାଏ ବାହାରି ପାରିନାହିଁ। ଏପରିକି କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରିଛନ୍ତି, ତାହା ବି ଶତ ପ୍ରତିଶତ ଫଳପ୍ରସୂ ହୋଇପାରିନାହିଁ। ଗୋଟିଏ ଉଦାହରଣ ନେଲେ ଏହା ସ୍ପଷ୍ଟ ହୋଇଯିବ। ରାସାୟନିକ ସାର ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଳଚେର ସମେତ ଦେଶର ୫ଟି ସ୍ଥାନରେ ଗ୍ୟାସ ଭିତ୍ତିକ ସାର କାରଖାନା ପୁନରୁଦ୍ଧାର ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଚାଇନାର ଏକ କମ୍ପାନିକୁ ଦିଆଯାଇଥିଲା।

୨୦୨୩ ସୁଦ୍ଧା ଏହା ସାରିବାକୁ ନିଷ୍ପତ୍ତି ହୋଇଥିଲା। ଗତବର୍ଷର ସୀମା ବିବାଦ ପରେ ଏହି କମ୍ପାନି ଅଧାରୁ କାମ ଛାଡ଼ି ଯାଇଛି ଯେ ଆଜି ପର୍ଯ୍ୟନ୍ତ ଫେରି ନାହିଁ। ସଂସଦୀୟ କମିଟିର ରିପୋର୍ଟ ଅନୁସାରେ, ତାଳଚେର ସାର କାରଖାନା ପାଇଁ ବଜେଟ୍‌ର ମାତ୍ର ୮ ପ୍ରତିଶତ ଖର୍ଚ ହୋଇଛି। ଏଣୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା ସରିବା ସମ୍ଭାବନା କମ୍। ଏପରି ସ୍ଥିତିରେ ସାର ଯୋଗାଣ କିଭଳି ସ୍ବାଭାବିକ ହେବ? କୃଷି ବିଭାଗ କିନ୍ତୁ ଯୁକ୍ତି ରଖୁଛି ଯେ ଆବଶ୍ୟକତା ଅନୁସାରେ ରାଜ୍ୟକୁ ସାର ମିଳୁ ନାହିଁ ସତ କିନ୍ତୁ ରବିରେ ଓଡ଼ିଶାକୁ ଅସୁବିଧା ହେବ ନାହିଁ। ୟୁରିଆ ସାରର କଞ୍ଚାମାଲ ରହିଛି, ତେଣୁ କୌଣସି ପ୍ରକାର ଉତ୍ପାଦନ ହେଉଛି। ଡିଏପିର କଞ୍ଚାମାଲ ଓଡ଼ିଶାରେ ନଥିବାରୁ ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର