ଜମି ବିବାଦରୁ ପାଟିତୁଣ୍ଡ, ଟଳିପଡ଼ିଲେ ବୃଦ୍ଧା

ପୁରୀ: ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ଜମି ବିବାଦ ଆଜି ଉଗ୍ରରୂପ ନେଇଛି। ଏହି ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ବେଳେ ଜନୈକ ବୃଦ୍ଧାଙ୍କୁ ହୃଦ୍‌ଘାତ ହେବା ଓ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଅଠରନଳା ଛକରେ ଶବ ରଖି ରାସ୍ତା ଅବରୋଧ କରିବା ସହ ଢ଼େଲାପଥର ବର୍ଷା କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଉତ୍ତେଜନା ଲାଗି ରହିଥିଲା। ମିଳିଥିବା ସୂଚନା ମୁତାବକ, ଅଠରନଳାର ରବି ସାହୁ ଓ ବିଶ୍ବନାଥ ପାତ୍ରଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବହୁଦିନରୁ ବିବାଦ ଲାଗି ରହିଛି। ବୁଧବାର ରାତି ପ୍ରାୟ ୮ଟା ସମୟରେ ଏହି ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ବିଶ୍ବନାଥଙ୍କ ୮୫ ବର୍ଷୀୟ ମା’ କୁମୁନା ପାତ୍ର ସେଠାରେ ଉପସ୍ଥିତ ଥିଲେ। ଘଟଣା ଉଗ୍ରରୂପ ନେବାରୁ ଏହା ଦେଖି ହଠାତ୍ ବିଶ୍ବନାଥ ମା’ଙ୍କୁ ହୃଦ୍‌ଘାତ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ବିବାଦର ଆପୋସ ବୁଝାମଣା ପାଇଁ ସ୍ଥାନୀୟ ସରପଞ୍ଚ ରାଜକିଶୋର ରାଉତ, ସମିତି ସଭ୍ୟ ପ୍ରଭାକର ସମର୍ଥାଙ୍କୁ ନେଇ ବୈଠକ ଚାଲିଥିବା ବେଳେ ବିଶ୍ବନାଥଙ୍କ ସମର୍ଥକ ଗୋଷ୍ଠୀ ହଠାତ୍ ଇଟାପଥର ବର୍ଷା କରିବା ଆରମ୍ଭ କରି ଦେଇଥିଲେ। ପରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ସମୟ ଗଡ଼ିବା ସାଙ୍ଗକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ବିଳମ୍ବିତ ରାତି ସୁଦ୍ଧା କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଅନ୍ୟପଟେ ରାସ୍ତାରୋକ ଯୋଗୁ ବହୁ ଗାଡ଼ି ଅଟକି ରହିଛନ୍ତି।

ସମ୍ବନ୍ଧିତ ଖବର