୩୬ ବର୍ଷ ଧରି ଫେରିଲେନି ବେଣୁଧର, ଦାହ ହେଲା ସାଙ୍କେତିକ ଶବ

ଶଙ୍ଖାଚୁଡ଼ି ଭାଙ୍ଗିଲେ ପତ୍ନୀ, ପୁଅ ମୁଖାଗ୍ନି ଦେଲେ, ନାତି ଖଇକଉଡ଼ି ବିଞ୍ଚିଲେ

ଗାରୋଇ : କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ। ପତ୍ନୀ ବାହୁନି କାନ୍ଦୁ ଥିଲେ। ବଡ଼ ପୁଅ ବେଣୀରେ ନିଆଁ ଧରାଇ ଆଗେ ଆଗେ ଯାଉଥିଲେ। ନାତି ଖଇ କଉଡ଼ି ପକାଉଥିଲେ। ବଂଧୁ ପରିଜନ ବି ସାମିଲ ହୋଇ ଘରୁ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶବ ସତ୍କାର କରାଇଥିଲେ। ସେଠି ବି ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ସୋମବାର ଦିନ ପାଖାପାଖି ୧୦ ଟା ସମୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଂଚାୟତର ପାଟେଣି ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗଲା ୩୬ ବର୍ଷ ହେଲା ନିଖୋଜ ଥିବା ବେଣୁଧର ଜେନାଙ୍କର ଏଭଳି ଢଙ୍ଗରେ ପ୍ରତୀକାତ୍ମକ ଭାବେ ଶବ ସଂସ୍କାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘରେ ବିଭିନ୍ନ ସମସ୍ୟା ଦେଖା ଦେବା, ଘର ଲୋକଙ୍କ ଶରୀର ଅସୁସ୍ଥ ହେବାରୁ ଜ୍ୟୋତିଷଙ୍କ ପରାମର୍ଶକ୍ରମେ ବେଣୁଧରଙ୍କ ପତ୍ତା ମିଳି ନଥିଲେ ବି ତାଙ୍କର ସୋମବାର ଦିନ ଏଭଳି ଢଙ୍ଗରେ ଶବ ସତ୍କାର ହୋଇଛି।

ସୂଚନା ଅନୁଯାୟୀ ବେଣୁଧର ୩୬ ବର୍ଷ ପୂର୍ବେ କୋଲକାତାର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସେଠାରେ ଭଲ ପଇସା ବି ରୋଜଗାର କରୁଥିଲେ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ହସ ଖୁସିରେ ସଂସାର ଥିଲା। ଘରକୁ ଟଙ୍କା ପଠାଇବା ସହ ଯିବାଆସିବା ମଧ୍ୟ କରୁଥିଲେ। କିନ୍ତୁ କିଛି ବର୍ଷ ଧରି ସେ ଆଉ ଘରକୁ ନ ଆସିବାରୁ ପାଖ ଗାଁର କିଛି ଲୋକଙ୍କ ସହାୟତାରେ ତାଙ୍କୁ ଖୋଜିବା ପାଇଁ କୋଲକାତା ଯାଇଥିଲେ ପତ୍ନୀ ଶୋଭାବତୀ ଓ ବଡ଼ ପୁଅ ବାସୁଦେବ। କିନ୍ତୁ ବେଣୁଧର କାର୍ଯ୍ୟ କରୁଥିବା ସଂସ୍ଥାକୁ ଯାଇ ସେମାନେ ବୁଝିଲେ ଯେ ସେଠାକୁ ବି ବେଣୁଧର ଦୀର୍ଘ ଦିନ ହେବ ଆସୁନାହାନ୍ତି। ଅନ୍ୟ ଆଡ଼େ ବି ଖୋଜାଖୋଜି କରି ନିରାଶ ହୋଇ ସେମାନେ ଗାଁକୁ ଫେରି ଆସିଥିଲେ।

ସେତେବେଳକୁ ବଡ଼ ପୁଅ ବାସୁଦେବଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଏହାପରେ ପରିବାରର ବିଭିନ୍ନ ସମସ୍ୟାକୁ ନେଇ ବାସୁଦେବ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ। ଜ୍ୟୋତିଷ ଜଣକ ପରିବାର ଉପରେ ପ୍ରେତାତ୍ମାର ଦୃଷ୍ଟି ରହୁଛି ବୋଲି କହି ଏଥିରୁ ମୁକୁଳିବାର ପରାମର୍ଶ ଦେବା ସହିତ ପୁରୀ ମୁକ୍ତିମଣ୍ଡପ ଯିବାକୁ କହିଥିଲେ। ସେମାନେ ପୁରୀ ଯାଇ ସେଠାରେ ବି କିଛି ପଣ୍ତିତଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ସେ ଭେଟିଥିବା ପଣ୍ଡିତ ଆଉ ଜ୍ୟୋତିଷ ତାଙ୍କୁ କାର୍ତ୍ତିକ ମାସ ଏକାଦଶୀ ଠାରୁ ରୀତିନୀତି ଅନୁଯାୟୀ ୧୪ ଦିନ ପର୍ଯ୍ୟନ୍ତ ବାପାଙ୍କ କ୍ରିୟାକର୍ମ କରିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି ବଡ଼ ପୁଅ ବାସୁଦେବ କହିଛନ୍ତି।

ସେହି ଅନୁଯାୟୀ ସୋମବାର ଦିନ କୋକେଇ ବାନ୍ଧି ପଳାସ ପତ୍ରରେ ଶବ ତିଆରି କରିବା ସହିତ ସେଥିରେ ଧଳା କପଡ଼ା ଘୋଡାଇ ଦିଆଯାଇଥିଲା। ବେଣୁଧରଙ୍କ ପତ୍ନୀ ଶୋଭାବତୀ ବାହୁନି କାନ୍ଦିବା ସହିତ ଚୁଡ଼ିଶଙ୍ଖାକୁ କୋକେଇରେ ରଖି ଦେଇଥିଲେ। ବଡ଼ ପୁଅ ବାସୁଦେବ ହାତରେ ନିଆଁ ବେଣୀ ଧରି ଆଗରେ ଚାଲିବା ସହିତ କୋକେଇକୁ ୪ ଜଣ କାନ୍ଧେଇ ଗାଁ ଶ୍ମଶାନକୁ ଯାଇଥିଲେ। ଆଗରେ ସଂକୀର୍ତ୍ତନ ମଣ୍ତଳି ଝାଞ୍ଜ ମୃଦଙ୍ଗ ବଜାଇ ଯିବା ସହିତ ନାତି ଖଇକଉଡ଼ି ବିଞ୍ଚି ଥିଲେ। ଗାଁ ଶ୍ମଶାନ ଗୃହରେ ଶବ ସଂସ୍କାର କରାଗଲା। ବଡ଼ ପୁଅ ବାସୁଦେବ ମୁଖାଗ୍ନି ଦେଲେ। କାହାଣୀ ପରି ଲାଗୁଥିବା ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର