କୋଭିଡ୍‌ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ

ଭୁବନେଶ୍ବର : ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ‌ କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ ନେଇ ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣରେ ମହାମାରୀ କିଭଳି ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି ତାହା ଉପରେ ଆଲୋକପାତ କରିଥିଲେ। ପ୍ରତିଟି କ୍ଷେତ୍ର କିଭଳି ସଂଘର୍ଷ କରି ଆଗକୁ ବଢ଼ିବାକୁ ପ୍ରୟାସ କରୁଛି ତାହା ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କୋଭିଡ୍-୧୯ର ପ୍ରଭାବ, ଟିକାକରଣକୁ ନେଇ ଦାବି/ପରାମର୍ଶ ଏବଂ ଚାହିଦା ପୂରଣ କରିବା ଲାଗି ନୂତନ ଚିନ୍ତାଧାରା ଉପରେ ବୈଠକରେ ଆ‌ଲୋଚନା ହୋଇଛି। ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କ ଜୀବନ ଓ ଜୀବିକା ସମସ୍ୟାର ସମାଧାନ କରିବା ଲାଗି ଫିକି ତରଫରୁ ସରକାରଙ୍କୁ କ’ଣ ସବୁ ପ୍ରସ୍ତାବ ଓ ସୁପାରିସ ପ୍ରଦାନ କରାଯିବା ଦରକାର ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ସଙ୍କଟମୟ ସମୟରେ ସଦସ୍ୟମାନଙ୍କ ତରଫରୁ ଅକ୍ସିଜେନ୍‌ ଠାରୁ ଆରମ୍ଭ କରି ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର, ମେଡିକାଲ୍ ଉପକରଣ ଆଦି ସହାୟତା କିଭଳି କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରଦାନ କରାଯାଇପାରିବ ଏବଂ ଅନ୍ୟ କେଉଁ ସବୁ ଅଭିଯାନ ଆରମ୍ଭ କରାଯାଇପାରିବ ତାହା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଏହି ଆଲୋଚନାରେ ଫିକି ଜାତୀୟ ପର୍ଯ୍ୟଟନ ପରିଷଦ ଓ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି, ଫିକି ଓଡ଼ିଶା ରାଜ୍ୟ ପରିଷଦର ଏମ୍‌ଏସ୍‌ଏମ୍ଇ କମିଟିର ଅଧ୍ୟକ୍ଷ ଜେ କେ ରଥ, ଏମ୍‌ଜିଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ଭାରତ ମସଲାର ଏମ୍‌ଡି ସୁଶାନ୍ତ କୁମାର ପଣ୍ଡା, ଜିନ୍ଦଲ ଷ୍ଟେନ‌ଲେସ୍‌ ଲିମିଟେଡ୍‌ର ରେସିଡେଣ୍ଟ୍ ଡାଇରେକ୍ଟର ଏସ୍‌ ଏସ୍‌ ଉପାଧ୍ୟାୟ, ଇମ୍ଫାର କର୍ପୋରେଟ୍ ବ୍ୟାପାର ମୁଖ୍ୟ କିଶୋର ମହାନ୍ତି, ଟାଟା ଷ୍ଟିଲ୍‌ର ରେସିଡେଣ୍ଟ୍‌ ଏକ୍‌ଜିକ୍ୟୁଟିଭ୍ ଜୟନ୍ତ କୁମାର ପାଢ଼ୀ, ଟାଟା ଷ୍ଟିଲ୍‌ର କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ସୌମିତ୍ର ପଟ୍ଟନାୟକ, ସମ୍ବାଦର ସିଓଓ କମଳାକାନ୍ତ ମହାପାତ୍ର ଓ ଡାଲ୍‌ମିଆ ଗ୍ରୁପ୍‌ର ଅଧିକାରୀ ଚନ୍ଦ୍ର ଶେଖର ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ। ଶେଷରେ ଫିକି ଓଡ଼ିଶାର ରାଜ୍ୟ ମୁଖ୍ୟ ସଞ୍ଜୀବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର