ଆଜିଠୁ ଘରକୁ ଘର ଦିଆଯିବ ଫାଇଲେରିଆ ବଟିକା

ଦୁଇଟି ପର୍ଯ୍ୟାୟରେ ଚାଲିବ ଏମ୍‌ଡିଏ, ୨ବର୍ଷରୁ କମ୍ ଶିଶୁ, ଗର୍ଭବତୀଙ୍କୁ ବଟିକା ମନା

ଭୁବନେଶ୍ବର : ଆଜିଠାରୁ ରାଜ୍ୟର ୧୫ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେବ ସାମୂହିକ ଔଷଧ ସେବନ(ଏମ୍‌ଡିଏ) କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଚଳିତମାସ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଔଷଧ ସେବନ କରିବେ। ଏଥିପାଇଁ ଆଶାଙ୍କ ସହିତ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କୁ ମିଶାଇ ୫୫,୫୪୪ ଜଣ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ସେମାନେ ଘରକୁ ଘର ବୁଲି ଲୋକମାନଙ୍କୁ ଔଷଧ ପ୍ରଦାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଫାଇଲେରିଆ ଏକ ଜନସ୍ବାସ୍ଥ୍ୟ ସମସ୍ୟା। ଯାହାକି ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ। ବିଶ୍ବବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍। ଫ‌ାଇଲେରିଆସିସ୍‌ରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ୍‌, ଲ‌ିମ୍ଫୋଡେମା, ଚାଇଲୁରିଆ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମ୍‌ଡିଏ କାର୍ଯ୍ୟକ୍ରମ ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ନିରାପତ୍ତାମୂଳକ ପଦକ୍ଷେପ ଅନୁପାଳନ କରାଯିବ।

ଆଲବେଣ୍ଡାଜୋଲକୁ ଲୋକମାନେ ଚୋବାଇ ଖାଇବା ସହିତ ଡିଇସିକୁ ଗୋଟା ଖାଇବାକୁ ହେବ। ଖାଦ୍ୟ ଖାଇବା ପରେ ଏହି ଔଷଧ ଖାଇପାରିବେ। ଆଲବେଣ୍ଡାଜୋଲ ଭଳି ପ୍ରତିଷେଧକ ଔଷଧର କୃମି ନାଶ କରିବା ଭଳି ଅତିରିକ୍ତ ଫାଇଦା ରହିଛି। ଔଷଧ ଖାଇଲେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ। ଏଭଳି ପରିସ୍ଥିତିରର ସମାଧାନ କରିବାକୁ କ୍ଷେତ୍ରସ୍ତରରେ ଆରଆରଟିମାନେ ରହିଛନ୍ତି। ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଥିବା ଏମ୍‌ଡିଏ କାର୍ଯ୍ୟକ୍ରମରେ ଅନୁଗୁଳ, ବାଲେଶ୍ବର, କଟକ, ଗଞ୍ଜାମ, ‌ଢେଙ୍କାନାଳ, ଝାରସୁଗୁଡ଼ା, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲା ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ଼ ଓ ସମ୍ବଲପୁରରେ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର