ଟି‌କେଟ୍ ପାଇଁ ପ୍ରମୁଖ ଆଶାୟୀଙ୍କ ଶେଷ କସରତ

ବାରିପଦା: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ମୟୂରଭଞ୍ଜ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇ ଯାଇଥିବା ବେଳେ ନେତାମାନେ ଟିକେଟ୍ ହାତେଇବାକୁ ଶେଷ ପ୍ରୟାସ କରୁଛନ୍ତି। ଶୁକ୍ରବାର ଅପରାହ୍ନରୁ ବିଜେପିର ଟିକେଟ୍‌ ଆଶାୟୀ ନେତା ନିଜ ନିଜର ସମର୍ଥକଙ୍କୁ ଧରି ଭୁବନେଶ୍ବର ଯାଇଥିଲେ। ସେମାନେ ଆଜି ଦିନତମାମ ଭୁବ‌ନେଶ୍ବରରେ ଡେରା ପକାଇଥିବା ସୂଚନା ମିଳିଛି। ତେବେ ବିଜେଡିର ଅଧିକାଂଶ ଟିକେଟ୍‌ ଆଶାୟୀ ନିଜ ନିର୍ବାଚନ ମଣ୍ଡଳୀ ଛାଡ଼ିନାହାନ୍ତି। ଏଥିପାଇଁ ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶ ଅଛି। ତେବେ ନିଜେ ନଗଲେ ବି ନିଜ ସମର୍ଥକଙ୍କୁ ଭୁବନେଶ୍ବର ପଠାଇ ସ୍ଥିତି ଉପରେ ନଜର ରଖିଛନ୍ତି ଆଶାୟୀ ବିଜେଡି ନେତା। ଶଙ୍ଖ ଭବନରୁ ଡାକରା ଆସିବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ବାହାରିବୁ ବୋଲି ଟିକେଟ୍‌ ଦୌଡ଼ରେ ଥିବା ଜଣେ ବରିଷ୍ଠ ବିଜେଡି ନେତା ନିଜ ନାମ ଗୋପନ ରଖି କହିଛନ୍ତି।

ତେବେ ଟି‌କେଟ୍‌ ଯାହାକୁ ମିଳୁ ନା କାହିଁକି; ଏଥର ମୟୂରଭଞ୍ଜର ୯ରୁ ୬ଟି ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହେବ। ଅବଶିଷ୍ଟ ୩ ଆସନ; ମୋରଡ଼ା, ଯଶିପୁର ଓ ସାରସକଣାରେ ଅନ୍ୟ ଦଳମାନଙ୍କର ଊଣାଅଧିକ ଉପସ୍ଥିତି ରହିଛି। ମୋରଡ଼ା ଆସନରେ ଗତଥର କଂଗ୍ରେସ ୨୩ ହଜାରରୁ ଅଧିକ ଭୋଟ୍‌ ପାଇଥିଲା। ସେହିପରି ସାରସକଣା ବିଧାନସଭା ଆସନରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ପାଖାପାଖି ୩୫ ହଜାର ଭୋଟ୍‌ ହାତେଇ ନେଇଥିଲା। ଯଶିପୁର ନିର୍ବାଚନ ମଣ୍ଡଳୀରେ ଆଗ ଭଳି କମ୍ୟୁନିଷ୍ଟ ଦଳର ସ୍ଥିତି ନଥି‌ଲେ ମଧ୍ୟ ଏଠାରେ ଚୂଡ଼ାନ୍ତ ଫଳାଫଳ ବଦଳାଇ ଦେବାର କ୍ଷମତା ରଖିଛି ଏହି ଦଳ। ତେଣୁ ଏହି ୩ ଆସନରେ ଉଭୟ ବିଜେଡି ଓ ବିଜେପି ଏଥର ସତର୍କତାର ସହ ପ୍ରାର୍ଥୀ ଦେବେ। ଏଥିରେ ସାମାନ୍ୟ ଭୁଲ୍‌ ହେଲେ ତୃତୀୟ ଦଳ ବାଜି ବିଗାଡ଼ି ଦେଇପାରେ। ସେହିପରି କରଞ୍ଜିଆ, ରାଇରଙ୍ଗପୁର, ଉଦଳାରେ ଗତଥର ବିଜେପି-ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କେବଳ ବଡ଼ସାହି ଓ ବ‌ାରିପଦାରେ ବିଜେପି ଏକତରଫା ବିଜୟ ହାସଲ କରିଥିବା ବେଳେ ବାଙ୍ଗିରିପୋଷିରେ ସହଜ ବିଜୟ ହାସଲ କରିଥିଲା ବିଜେଡି। ଏ ସମସ୍ତ ଆସନରେ କଂଗ୍ରେସ କିମ୍ବା ଜେଏମ୍‌ଏମ୍‌ର ବିଶେଷ ପ୍ରଭାବ ନଥିବାରୁ ଏଥର ବିଜେପି ଓ ବିଜେଡି ମଧ୍ୟରେ ଦ୍ବିପାକ୍ଷିକ ଲଢ଼େଇ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର