ଏମ୍‌କେସିଜି: ୩ ବର୍ଷରେ ୧୦ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର ୧୦ ଦିନ ପରେ ବି ଓଟି କମ୍ପ୍ଲେକ୍ସ ଅଚଳ

ବ୍ରହ୍ମପୁର : କେବଳ ଗତ ୨୬ ତାରିଖରେ ନୁହେଁ, ୩ବର୍ଷ ମଧ୍ୟରେ ଏହିଭଳି ୧୦ଟି ଅଗ୍ନିକାଣ୍ଡ ଘଟି ସାରିଲାଣି ଏମ୍‌କେସିଜିରେ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ହେଉଛି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌। ଏଠାରେ ନିୟମିତ ଭାବେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଲାଗି ତେଣେ ସୁପର୍‌ସ୍ପେସାଲିଟି କୋଠାରେ ଅଗ୍ନିକାଣ୍ଡର ୧୦ଦିନ ପରେ ଓଟି କମ୍ପ୍ଲେକ୍ସ ଅଚଳ ହୋଇପଡ଼ିଛି।

ଏମ୍‌କେସିଜି ମେଡିକାଲରେ ଆଉଟ୍‌ଡୋର୍‌, ଇନ୍‌ଡୋର୍‌, କାଜୁଆଲ୍‌ଟି, ଆର୍‌ଡିସି କୋଠା, ସୁପର୍‌ସ୍ପେସାଲିଟି ବ୍ଲକ୍‌ ଭଳି ବିଭିନ୍ନ କୋଠା ରହିଛି। ପ୍ରତିବର୍ଷ ଅଗ୍ନିଶମ ବିଭାଗ ତରଫରୁ ଏହି କୋଠାଗୁଡ଼ିକ ଯାଞ୍ଚ କରି ଫାୟାର୍‌ ସେଫ୍ଟି ବ୍ୟବସ୍ଥା ଅନୁଧ୍ୟାନ କରି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥାଏ। ପ୍ରତିଦିନ ଏମ୍‌କେସିଜିକୁ ପ୍ରାୟ ୩ହଜାର ରୋଗୀ ଆସୁଥିବା ବେଳେ ଇନ୍‌ଡୋର୍‌ରେ ପ୍ରାୟ ୧୨ଶହ ଶଯ୍ୟା ରହିଛି। ପୁରୁଣା କୋଠା ବିପଦସଂକୁଳ ଘୋଷଣା ହେବାପରେ ସମସ୍ତ ବିଭାଗକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ସମସ୍ତ କୋଠରିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ୫ମହଲା ବିଶିଷ୍ଟ ଏହି କୋଠାରେ ସମସ୍ତ ସୁପର୍‌ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। ପଞ୍ଚମ ମହଲାକୁ ଅପରେସନ୍‌ ଥିଏଟର୍‌(ଓଟି) କମ୍ପ୍ଲେକ୍ସ କରାଯାଇଛି। ସେଠାରେ ୟୁରୋଲୋଜି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଓଟି ସହିତ କ୍ୟାଥୋଲ୍ୟାବ୍‌ ରହିଛି। ୟୁରୋଲୋଜି ବିଭାଗ‌ ଓଟିରେ ଗତ ୨୬ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ବ୍ଲକ୍‌ରେ ଲାଗିଥିବା ସ୍ପ୍ରିକ୍ଲିଂ କାମ କରି ନଥିଲା କି ବଡ଼ ପମ୍ପ ମଧ୍ୟ ପାଣି ଉଠାଇ ନଥିଲା। ଛୋଟ ପମ୍ପରୁ ପାଣି ସ୍ପ୍ରେ କରି ନିଆଁ ଲିଭା ଯାଇଥିଲା। ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ତଦନ୍ତରେ ସ୍ପଷ୍ଟ ହୋଇଥିଲା।

ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ରୋଗୀ କିମ୍ବା କର୍ମଚାରୀ ଆହତ ହୋଇ ନଥିଲେ। ସେଠାରେ ଧୂଆଁ ଭର୍ତ୍ତି ହୋଇ ଯାଇଥିବାରୁ କିଛି କର୍ମଚାରୀ ଶ୍ବାସରୁଦ୍ଧ ହୋଇ ପଡ଼ିଥିଲେ। ଏହି ଘଟଣା ପରେ ୨୭ତାରିଖରେ ଓଟି କମ୍ପ୍ଲେକ୍ସକୁ ସଫା କରାଯାଇଥିଲା। ବିଦ୍ୟୁତ ସରଞ୍ଜାମ ସହିତ ଅପରେସନ୍‌ ପାଇଁ ଥିବା ଯନ୍ତ୍ରପାତି ପୋଡ଼ି ଯାଇଥିବାରୁ ଓଟି କମ୍ପ୍ଲେକ୍ସକୁ ସେହି ଦିନଠାରୁ ବନ୍ଦ କରି ଦିଆଯାଇଛି। ପ୍ରାୟ ୧୦ଦିନ ହେଲା ଅସ୍ତ୍ରୋପଚାର ବନ୍ଦ ରହିଛି। ବିଦ୍ୟୁତ ବିଭାଗ ଓ ଟେକ୍ନିକାଲ୍‌ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ସରଞ୍ଜାମ ମରାମତି କରିବା ପରେ ଓଟି କମ୍ପ୍ଲେକ୍ସ ଆରମ୍ଭ ହେବ ବୋଲି ଏମ୍‌କେସିଜିର ଉପଅଧୀକ୍ଷକ ଡା. କିରଣ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ତେବେ, ଏମ୍‌କେସିଜିରେ ପୂର୍ବରୁ ମଧ୍ୟ ଏଭଳି ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ଚଳିତ ବର୍ଷ ମେ ମାସ ୩ତାରିଖରେ ମେଡିକାଲ କଲେଜର ପ୍ରାଶାସନିକ ଭବନରେ ଅଗ୍ନିକାଣ୍ଡ ଘଟି କିଛି କାଗଜପତ୍ର ପୋଡ଼ି ଯାଇଥିଲା। ସେହିପରି ୨୦୨୧ ଏପ୍ରିଲ୍‌ ମାସରେ କାର୍ଡିଓଲୋଜି ୟୁନିଟ୍‌, ‌ଫେବ୍ରୁଆରି ମାସରେ ପିଜି ହଷ୍ଟେଲ୍‌ ଓ ଜାନୁଆରି ମାସରେ ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ୨୦୨୦ ଏପ୍ରିଲ୍‌ ମାସରେ ପୁରୁଣା କୋଠାରେ କାର୍ଯ୍ୟକ୍ଷମ ଥିବା ଅସ୍ଥିଶଲ୍ୟ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ୨୦୧୯ରେ ପିଜି ହଷ୍ଟେଲ୍, ଆର୍‌ଡିସି କୋଠା, ନର୍ସିଂ ହଷ୍ଟେଲ୍‌, କ୍ୟାନସର୍‌ ୱାର୍ଡ଼ ଏବଂ ଏମ୍‌କେସିଜି ପରିସରରେ ଥିବା ପିଡବ୍ଲୁଡିର କୋଠାରେ ଅଗ୍ନିକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର