ବାଣୀବିହାର କୁଳପତିଙ୍କ କାର୍ଯ୍ୟାଳୟରେ ନିଆଁ : ଜଳିଗଲା ୫୦ ଲକ୍ଷ ଟଙ୍କାର ସଂପତ୍ତି, ଅଗ୍ନିକାଣ୍ଡର କାରଣକୁ ନେଇ ସନ୍ଦେହ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ କୋଠାର ଦ୍ବିତୀୟ ମହଲାରେ ଗୁରୁବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସଂଧ୍ୟା ପ୍ରାୟ ୬ଟା ବେଳେ ସିଣ୍ଡିକେଟ୍‌ ରୁମ୍‌ ଝରକା ଦେଇ ୬ ଫୁଟ୍‌ ଉଚ୍ଚର ନିଆଁ ବାହାରକୁ ମାଡ଼ି ଆସିଥିଲା। ଏହା ଦେଖି ବିଶ୍ବବିଦ୍ୟାଳୟ ପରିସରରେ ଆତଙ୍କ ଖେଳି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଛାତ୍ରଛାତ୍ରୀ, ବିଶ୍ବବିଦ୍ୟାଳୟର କର୍ମଚାରୀଙ୍କ ଭିଡ଼ ଜମି ଯାଇଥିଲା। ଖବର ପାଇ କଳ୍ପନା ଅଗ୍ନିଶମ ବିଭାଗର ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁର ଭୟାବହତା ଏତେ ଥିଲା ଯେ ୩୦ ଆଗ୍ନିକ ପାଖାପାଖି ଦେଢ଼ ଘଣ୍ଟାର କସରତ୍‌ କରିବା ପରେ ନିଆଁକୁ କାବୁ କରିଥିଲେ। ଏହି ଅଘଟଣ‌ରେ ହଲ୍‌ ଭିତରେ ଥିବା ଦାମୀ ଚେୟାର୍‌, ଟେବୁଲ୍‌, ଏସି, ସିଲିଂ ଆଦି ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖାପାଖି ୫୦ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଉଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ଶେଷ ଖବର ଲେଖା ହେବା ବେଳକୁ ଜଣାପଡ଼ିନଥିଲା। ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଛି, ନା ଜାଣିଶୁଣି ନିଆଁ ଲଗାଇ ଦିଆଯାଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସହିଦନଗର ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୬ଟା‌‌ରେ କୁଳପତିଙ୍କ କାର୍ଯ୍ୟାଳୟ‌ରେ ବୈଠକ ଚାଲିଥିଲା। ବୈଠକ ସରିବାର କିଛି କ୍ଷଣ ପରେ ହଠାତ୍‌ କିଛି ଲୋକ ଉଚ୍ଚ ସ୍ବରରେ ନିଆଁ ଲାଗି ଯାଇଥିବା ଚିତ୍କାର କରି ଦୌଡ଼ାଦୌଡ଼ି କରିଥିଲେ। ସେତେବେଳକୁ କୁଳପତିଙ୍କ କାର୍ଯ୍ୟାଳୟର ଦ୍ବିତୀୟ ମହଲାରେ ଥିବା ସିଣ୍ଡିକେଟ୍‌ ରୁମ୍‌ଟି ହୁତୁହୁତୁ ହୋଇ ଜଳି ଯାଉଥାଏ। ନିମିଷକ ମଧ୍ୟରେ ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଝରକା କାଚ ଭାଙ୍ଗି ପ୍ରଚଣ୍ଡ ଶବ୍ଦ ହେଉଥାଏ। ଏହା ଦେଖି ସେଠାରେ ଉପସ୍ଥିତ କିଛି ଛାତ୍ର ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ପହଞ୍ଚି ନଥିବାରୁ କେହି ଭିତରକୁ ପଶିବାକୁ ସାହସ କରିନଥିଲେ। ଫଳରେ ନିଆଁ ଧୀରେଧୀରେ ଦ୍ବିତୀୟ ମହଲାରୁ ପ୍ରଥମ ମହଲାରେ ଥିବା କୁଳପତିଙ୍କ କାର୍ଯ୍ୟାଳୟକୁ ମୁହାଁଉଥିଲା। ଏତିକି ବେଳେ କଳ୍ପନା ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ ତାକୁ ଲିଭାଇବା ଗୋଟିଏ ଦମକଳ ପାଇଁ ସମ୍ଭବ ନଥିଲା। ତେଣୁ କିଛି କ୍ଷଣ ମଧ୍ୟରେ ଆଉ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମ ଆରମ୍ଭ କରିଥିଲେ। ୩୦ଜଣ ଆଗ୍ନିକ ପାଖାପାଖି ପାଖାପାଖି ଦେଢ଼ ଘଣ୍ଟା କସରତ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ, ୩ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ହଲ୍‌ର ନବୀକରଣ କରାଯାଇଥିଲା। କିନ୍ତୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଆଜି ଏହି ଅଘଟଣ‌ରେ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି। ବିଭିନ୍ନ ସମୟରେ ଏହି ହଲ୍‌ରେ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥାଏ। କୁଳପତିଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ହଲ୍‌ରେ ସମୀକ୍ଷା ବୈଠକ କରିଥାଆନ୍ତି। ଏପରିକି ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ହଲ୍‌ରେ ସମୀକ୍ଷା ବୈଠକ କରିଥିଲେ। ଏହାକୁ ୨୪ ଘଣ୍ଟା ନ ପୂରୁଣୁ ହଲ୍‌ରେ ନିଆଁ ଲାଗିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ‌ରେ ଏଭଳି ବ୍ୟବସ୍ଥା, ତେବେ ବିଭିନ୍ନ ବିଭାଗ ଓ ହଷ୍ଟେଲ୍‌ଗୁଡ଼ିକର କିଭଳି ସ୍ଥିତି ରହିଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଗତବର୍ଷ ବିଶ୍ବବିଦ୍ୟାଳୟର ଏକ ବିଭାଗରେ ଅଗ୍ନିକାଣ୍ଡ ଘଟି ବହୁମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିଲା। ଏହା ପରେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚେତି ନାହାନ୍ତି।

ସମ୍ବନ୍ଧିତ ଖବର