କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବାଲିଆପାଳ/କାଳିପଦା : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଡାଙ୍ଗପିଟା ଗ୍ରାମର ଜଣେ କ୍ଷୀର ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଆଜି ଗୁଳି ମାରି ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ; ରାତି ପ୍ରାୟ ୮ଟା ବେଳେ ଅଳାଡ଼ିହା ପଞ୍ଚାୟତ ଡାଙ୍ଗପିଟା ଗ୍ରାମର କ୍ଷୀର ବ୍ୟବସାୟୀ ରାକେଶ ଚୌଧୁରୀ ନିଜ ମୋଟର ସାଇକେଲ୍‌ରେ ଘରକୁ ଫେରୁଥିଲେ। ଏକ କାର୍‌ରେ ପିଛା କରୁଥିବା ୪ ଜଣ ଯୁବକ ଗ୍ରାମ ନିକଟରେ ତାଙ୍କୁ ଅଟକାଇଥିଲେ। ରାକେଶ କିଛି ବୁଝିବା ଆଗରୁ କାର୍‌ ଭିତରୁ ଜଣେ ଯୁବକ ବାହାରି ତାଙ୍କ ମୁଣ୍ତକୁ ୩ ରାଉଣ୍ତ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ରାକେଶଙ୍କର ମୃତ୍ୟୁ ହୋଇଯାଇଥିଲ‌ା। ବାଲିଆପାଳ ପୁଲିସ ପହଂଚି ଶବ ଜବତ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବାଲିଆପାଳକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍‌ କରି ଗାଡ଼ିମୋଟର ଯାଂଚ ଚଳାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ; ଉତ୍ତରପ୍ରଦେଶର ରାକେଶ ‌ଆଜକୁ ୧୫ ବର୍ଷ ତଳେ ଡାଙ୍ଗପିଟା ଗ୍ରାମର ଶ୍ୟାମସୁନ୍ଦର ମହାନ୍ତିଙ୍କ ଝିଅକୁ ବିବାହ କରିଥିଲେ। ସେବେଠାରୁ ସେ ଏଠାରେ କ୍ଷୀର ବ୍ୟବସାୟ କରି ପରିବାର ସହ ରହିଆସୁଥିଲେ। ଏନେଇ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ପଚରାଯିବାରୁ ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର