ଜୟପୁରରେ ପ୍ରଥମ ପଥୋତ୍ସବ

ଜୟପୁର : ଭୁବନେଶ୍ୱର ଅନୁକରଣରେ ଜୟପୁରରେ ଆରମ୍ଭ ହୋଇଛି ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ। ଆଜି ଥିଲା ଏହାର ପ୍ରଥମ ସଂସ୍କରଣ। ନୂଆ ଇତିହାସ ଓ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଉତ୍ସବ ଜୟପୁରବାସୀଙ୍କ ମନରେ ଭରି ଦେଇଥିଲା ନିଆରା ଅନୁଭୂତି। ମାର୍ଗଶୀରର ଶୀତୁଆ ସକାଳରେ ଲାଗିଥିଲା ରଥଯାତ୍ରା, ସ୍ୱାଧୀନତା ଦିବସ ଭଳି ଗହଳି। ସହରର କୋଣ, ଅନୁକୋଣରୁ ଛଟି ଆସିଥିଲେ ହଜାର ହଜାର ଲୋକ। ପ୍ରାୟ ୧୫ହଜାର ଲୋକଙ୍କ ସମାବେଶ ହୋଇଥିଲା। ସକାଳ ୬ଟାରୁ ପୂର୍ବହ୍ନ ସାଢେ ୧୦ଟା ଯାଏଁ ଜୟପୁର ମୁଖ୍ୟରାସ୍ତାରେ ମସ୍ତି କରିବାକୁ ନଥିଲା କୌଣସି ଆକଟ। ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ନାଚି ନଚେଇ, ଶିଖି ଶିଖାଇବା ସହ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟିଥିଲେ। ଏହାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଯେପରି ବ୍ୟବସ୍ଥା ଗ୍ରହଣ କରିଥିଲା ତାହାଠୁ ଅଧିକ ବ୍ୟବସ୍ଥିିତ ଭାବେ ସହଯୋଗ କରିଥିଲେ ସହରବାସୀ।

ଜୟପୁର ମୁଖ୍ୟରାସ୍ତାର ବାଙ୍କ ମଠରୁ ସଉରା ସାହି ଛକ ଯାଏ ୨୦ଟି ପ୍ରତିଯୋଗିତାରେ ୪୦୦ରୁ ଊର୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ମନୋରଂଜନ ସହ ଶିକ୍ଷାଧର୍ମୀ ବିଷୟବସ୍ତୁ ଜୟପୁରବାସୀଙ୍କୁ ଯୋଗାଇ ଥିଲା ମନୋରଂଜନର ଖୋରାକ। ବ୍ରାସବ୍ୟାଣ୍ଡ, ଓଡିଶୀ ନୃତ୍ୟରୁ ଆରମ୍ଭ କରି ଲୋକନୃତ୍ୟ, ଗୀତ, ବଂଶୀ ବାଦନ, ବ୍ୟଙ୍ଗ, ଭେଜିଟେବୁଲ ଆର୍ଟ, ମେହେନ୍ଦି, ପେପର କ୍ରାଫ୍ଟ ପ୍ରତିଯୋଗିତା, କ୍ରିଏଟ୍‌ ୟୋର ଓନ୍‌ କାନଭାସ୍‌, ଖେଳକୁଦ, ପରିବେଶ ଓ ପରିସ୍ଥିତିକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ଭାଗ ନେଇଥିଲେ ବହୁ ପ୍ରତିଯୋଗୀ। ମ୍ୟୁଜିକାଲ୍‌ ଚେୟାର, ସ୍କେଟିଂ, ସ୍କିପିଂ, ବାଟି ଖେଳ, ଟଗ୍‌ ଅଫ୍‌ ଓ୍ଵାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ।

କାର୍ଯ୍ୟକ୍ରମରେ ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଜିଲ୍ଲାପାଳ ଅନୁପମ ଶାହା, କୋରାପୁଟ ଉପଜିଲ୍ଲାପାଳ କୃତ୍ତିବାସ ନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାଂସଦ ଝିନ୍ନ ହିକକା, କୋଟପାଟ ବିଧାୟକ ଚନ୍ଦ୍ର ଶେଖର ମାଝି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସମେତ ବହୁ ଅଧିକାରୀ ଓ ରାଜନେତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର