ବିଶ୍ରାଛକରେ ଓଲଟିଲା ମାଛ ବୋଝେଇ ଭ୍ୟାନ୍‌: ଲୋକେ ବୋହିନେଲେ ରାସ୍ତାରେ ଖେଳୁଥିବା ରୋହୀ, ଭାକୁର ଓ ମିରିକାଳି

ରାଉରକେଲା: ଆଜି ଭାରତ ବନ୍ଦ ପାଳନ ସମୟରେ ଇସ୍ପାତ ନଗରୀରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ଘଟଣାଚକ୍ରରେ ଏକ ମାଛ ବୋଝେଇ ଭ୍ୟାନ ଓଲଟି ପଡ଼ିବାରୁ ରାସ୍ତା ଉପରେ ଶହ ଶହ ମାଛ କଲବଲ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ଏହି ସୁଯୋଗରେ ସ୍ଥାନୀୟ ଲୋକେ ମାଛ ବୋହି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୮: ୩୦ ମିନଟ୍‌ରେ ମାଛ ନେଇ ଯାଉଥିବା ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବିଶ୍ରାଛକ ଠାରେ ଓଲଟି ପଡ଼ିବାରୁ ଶହ ଶହ ଜିଅନ୍ତା ମାଛ ରାସ୍ତା ଉପରେ ଛାଟିପିଟି ହେଉଥିବା ଦେଖାଯାଇଥିଲା।

ଶ୍ରମିକ ସଂଗଠନଗୁଡ଼ିକର ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା। ଏତିକି ବେଳେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବନ୍ଧମୁଣ୍ଡାରୁ ମାଛ ନେଇ ବିଶ୍ରାଛକ ବାଟେ ରିଙ୍ଗ୍‌ ରୋଡ୍‌ ଦେଇ ଡିଏଭି ମାଛ ମାର୍କେଟ୍‌ ଅଭିମୁଖେ ଯାଉଥିଲା। ବିଶ୍ରାଛକ ଠାରେ ରାସ୍ତା ଅବରୋଧ କରିଥିବା ପ୍ରତିବାଦକାରୀମାନେ ସେ ପିକ୍‌-ଅପ୍‌ ଭ୍ୟାନ୍‌ଟିକୁ ଅଟକାଇବାକୁ ଯାଉଥିବା ବେଳେ ତାହା ଗୋଲେଇଛକ ବାଟେ ବୁଲି ଖସିଯିବାକୁ ବାହାରିଥିଲା। ତରବରରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ସେଠାରେ ଓଲଟି ପଡ଼ିଲା। ଫଳରେ ସେଥିରେ ଥିବା ଜିଅନ୍ତା ରୋହି, ଭାକୁର ଓ ମିରିକାଳି ଆଦି ମାଛଗୁଡ଼ିକ ରାସ୍ତାରେ ପଡ଼ି ବାଡ଼େଇଛାଟି ହୋଇଥିଲେ।

ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡ଼ିଥିବା ପିକ୍‌-ଅପ୍‌ ଭ୍ୟାନ୍‌କୁ କ୍ରେନ୍‌ ସାହାଯ୍ୟରେ ଉଠାଇ ଜବତ କରିବା ପୂର୍ବରୁ ସ୍ଥାନୀୟ ଲୋକେ କିଛି ମାଛ ନେଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର