ଚୂଡାମଣି କୂଳରେ ଲାଗିଲା ମତ୍ସ୍ୟଜିବୀଙ୍କ ବୋଟ, ବାସୁଦେବପୁର ଓ ଚାନ୍ଦବାଲି ଉପରେ ପ୍ରଶାସନର ନଜର

ଭଦ୍ରକରେ ୫ ଏନଡିଆରଏଫ ଟିମ୍ ମୁତୟନ

ଭଦ୍ରକ/ଧାମରା/ବାସୁଦେବପୁର: ପ୍ରଶାସନ ପକ୍ଷରୁ ଗତକାଲିଠାରୁ ମାଇକ୍ ଯୋଗେ ଧାମରା ଅଞ୍ଚଳରେ ଘୋଷଣା କରାଯାଯାଇ ଲୋକଙ୍କୁ ବାତ୍ୟା ସଂପର୍କରେ ସତର୍କ କରାଯାଇଥିଲା। ସମୁଦ୍ର ଅଶାନ୍ତ ହେଉଥିବାରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଗତକାଲି ସଂଧ୍ୟା ସୁଦ୍ଧା ଧାମରା, କସିଆ ଓ ଚୂଡାମଣି ମୁହାଣକୁ ପ୍ରାୟ ୨ ହଜାରୁ ଉର୍ଦ୍ଧ୍ବ ବୋଟ ଫେରି ଆସିଛି। ଏଇ ସବୁ ବୋଟ କୂଳରେ ଲାଗି ଥିବା ବେଳେ ଆଜି ସକାଳୁ ଧାମରା ଅଞ୍ଚଳରେ ଆହୁରି କିଛି ମତ୍ସ୍ୟଜିବୀ କୂଳକୁ ଫେରି ଆସିଛନ୍ତି।

୧୮ ତାରୁଖରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ମାରିବାକୁ କେହି ମତ୍ସ୍ୟଜିବୀ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ସତ୍ସ୍ୟଜିବୀ ସଂଗଠନ ସହ ମଧ୍ୟ ଏଇନେଇ ଆଲୋଚନା କରାଯାଇଛି। ବାତ୍ୟା ବେଳେ ଯେଭଳି କୌଣସି ଡଙ୍ଗା ବିପଦପୂର୍ଣ୍ଣ ଜଳଯାତ୍ରା ନକରନ୍ତି ତାହା ଉପରେ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି। ସମୁଦ୍ର ଉପକୂଳରେ ବସ୍ତି କରି ରହୁଥିବା କିଛି ମତ୍ସ୍ୟଜିବୀଙ୍କୁ ମଧ୍ୟ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ପଳାଇଯିବାକୁ କୁହାଯାଇଛି।

ଅମ୍ପାନ ବାତ୍ୟା ମାଡି ଆସୁଥିବାରୁ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ୫ଟି ଏନଡିଆରଏଫ ଟିମ୍ ପଠାଇଛନ୍ତି। ଗତକାଲି ଧାମରାକୁ ୨ ଟି ଏନଡିଆରଏଫ୍ ଟିମ୍ ପଠାଯାଇଥିବା ବେଳେ ଆଜି ସକାଳୁ ବାସୁଦେବପୁର ବ୍ଲକକୁ ଗୋଟିଏ, ଚାନ୍ଦବାଲିକୁ ଗୋଟିଏ ଓ ଅନ୍ୟ ଏକ ଟିମକୁ ଭଦ୍ରକ ହେଡକ୍ବାଟରରେ ରଖାଯାଇଛି। ଏଇ ଏନଡିଆରଏଫ୍ ଟିମ ଆଜି ଗତକାଲିଠାରୁ ଉପକୂଳର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ମଧ୍ୟ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ସ୍ଥିତି ଅନୁଧ୍ୟାନ କରାଯାଇଛି।

ଏନଡିଆରଏଫ ଟିମ୍ ସହ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ଅପରେସନ୍ ଆରମ୍ଭ କରିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ବାସୁଦେବପୁର ଓ ଚାନ୍ଦବାଲିର ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶକ୍ରମେ ତଳିଆ ଅଞ୍ଚଳରୁ କିଛି କିଛି ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଉଠାଯାଇଛି। ଏଇସବୁ ଅଞ୍ଚଳର ୭୨ ପଞ୍ଚାୟତ ଓ ୩୬୩ ଟି ସ୍କୁଲ ଘରେ ଲୋକଙ୍କୁ ଆଶ୍ରୟ ଦିଆଯିବ। ଆସନ୍ତାକାଲି ବର୍ଷାର ସ୍ଥିତି ଓ ପବନର ବେଗକୁ ଲକ୍ଷ୍ୟ କରି ତଳିଆ ଅଞ୍ଚଳର ଅଧିକାଂଶ ଲୋକଙ୍କୁ ଆଶ୍ରୟସ୍ଥଳକୁ ଅଣାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଭଦ୍ରକରେ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଦ୍ୟୁତ୍ ବିଭାଗ, ଯୋଗାଣ ବିଭାଗ ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ବାତ୍ୟା ମୁକାବିଲା ନେଇ ଜିଲ୍ଲା ଯୋଜନା ବୋଛର୍ଡର ଅଧ୍ୟକ୍ଷ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ,ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ଆଲୋଚନା କରିଛନ୍ତି। ଏଇ ଜରୁରୀ ବୈଠକ ବେଳେ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର