୫ ଲୁଟେରା ଗିରଫ: ଛୁରି, ୩ ବାଇକ୍‌ ଓ ମୋବାଇଲ ଜବତ

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ନିବାସୀ ଉଷତଲାଲ ସାହୁ ନିଜର କୃଷି କାର୍ଯ୍ୟ ସଂପାଦନ କରିବା ପାଇଁ ଛତିଶଗଡ଼ ବଲୋଦାରୁ ଏକ ମିନି ଟ୍ରକ୍‌ (ଓଡି୧୭-ଏସ୍‌-୭୬୬୩)ରେ ଗୋଟିଏ ହଳ ବଳଦ ନେଇ ଆସୁଥିଲେ। ଜଗଦଲପୁର ଥାନା ଧଉରାଭଟା ଛକ ନିକଟରେ କେତେକ ଦୁର୍ବୃତ୍ତ ଉଷତଲାଲ, ପୁଅ ପ୍ରେମରାଜ ଓ ଡ୍ରାଇଭର ମୁକେଶ କୁମ୍ଭାରଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ନଗଦ ୩ ହଜାର ଟଙ୍କ ଲୁଟି ନେଇଥିଲେ।

ଖବର ପାଇ ଝାରବନ୍ଧର କେତେକ ଯୁବକ ଜଣେ ଲୁଟେରାକୁ କାବୁ କରି ଜଗଦଲପୁର ଥାନାକୁ ନେଇଥିଲେ। ଅଭିଯୁକ୍ତଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ପୁଲିସ୍‌ ଜଗଦଲପୁର ଗ୍ରାମର ପୁରନ୍ଦର ସରାଫ, ଗୁଡ୍ଡୁ ପଟେଲ, ଅଜୟନ୍ତ ବାଗ, ଯଶୋବନ୍ତ ପଟେଲ, ହେମାନନ୍ଦ ପଟେଲଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଛୁରି, ୩ ହଜାର ଟଂକା, ଗୋଟିଏ ମୋବାଇଲ ଓ ଘଟଣାରେ ବ୍ୟବହୃତ ୩ଟି ବାଇକ୍‌ (ଓଡି୦୩-ଏଫ୍‌-୯୩୯୫, ଓଡି୧୭-ଏମ-୮୩୭୮, ଓଆର୦୩-ଜି-୪୮୨୩)କୁ ଜବତ କରିଛି। ଥାନା କେସ୍ ନଂ-୫୯/୨୦୨୧ ଧାରା ୩୯୫ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବୀରବର ଭଗତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର