ସଞ୍ଜୟ ହତ୍ୟା ଅଭିଯୋଗ ମାମଲା: ଘଟଣାର ୭ ମାସ ପରେ ଗିରଫ ହେଲେ ୫

ଚକାପାଦ: ବିଳମ୍ବରେ ହେଲେ ବି ଚକାପାଦ ଥାନା ପୁଲିସ ଆଜି ସଞ୍ଜୟ  ନାୟକ ହତ୍ୟା  ଅଭିଯୋଗ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଘଟଣାର ୭ମାସ ପରେ ପୁଲିସ ଏହି ଘଟଣାରେ  ସିକଗୁଡା ଗ୍ରାମର ସୁରେନ୍ଦ୍ର ନାୟକ (୨୪) , ସୁଶାନ୍ତ ନାୟକ ( ୩୫), କରୁଣାକର ନାୟକ ( ୩୦), ବେଲାଳସେନ ନାୟକ (୨୫)  ଓ ଦୀନବନ୍ଧୁ ନାୟକ (୫୦)କୁ  ଗିରଫ କରିଛି। ଗିରଫ ପରେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହକ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଗତ ମେ ମାସ ୯ତାରିଖରେ ଚକାପାଦ ଥାନା ଅନ୍ତର୍ଗତ କଖାରୁଝୋଳା ପଞ୍ଚାୟତ ସିକଗୁଡା ଗ୍ରାମର  ସଞ୍ଜୟ ନାୟକକୁ (୩୦) ହତ୍ୟା କରିଥିବା ଅଭିଯୋଗରେ ଚକାପାଦ ଥାନାରେ ଅଭିଯୋଗ ହୋଇଥିଲା।  ଏନେଇ ପୁଲିସ କେସ ନଂ  ୩୨/୨୨ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ଅଭିଯୋଗ ମୁତାବକ ମୃତ ସଞ୍ଜୟ  ଗ୍ରାମର ଏକ କୋଠଘରେ ଜଣେ ବିବାହିତ ମହିଳା ସହିତ ପ୍ରେମ ସମ୍ପର୍କ ରଖିଥିବା ନେଇ ଗ୍ରାମର କିଛି ଯୁବକ ଦେଖିବା ପରେ କୁଆଡେ ଗାଳିଗୁଲଜ କରିଥିଲେ। ସେହି ଦିନ ଠାରୁ ସଞ୍ଜୟ ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ସଞ୍ଜୟକୁ  ନପାଇ ଗତ ମେ ୧୨ ତାରିଖ ଦିନ ବାପା ବିସ୍କେସନ ନାୟକ ଚକାପାଦ ଥାନାରେ ଏତଲା ଦେଇଥିଲେ।  ଏହା ପରେ ଗଟଣାର ୧୫ ଦିନ ପରେ ଗ୍ରାମ ନିକଟ ହଗୁରିଝୋଳା ଜଙ୍ଗଲର ଏକ ଜାମୁକୋଳି ଗଛରେ ଝୁଲନ୍ତା ଅବସ୍ଥାରେ  ଶବ ମିଳିଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକେ ହତ୍ୟା କରାଯାଇଥିବା ସନ୍ଦେହ କରି ‌ଅଭିଯୁକ୍ତକୁ ଗିରଫ ଦାବିରେ ଚକାପାଦ ଥାନା ଆଗରେ ୨୦ ଘଣ୍ଟା ଧରି ଶବ ରଖି ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ଏସ୍‌ଡିପିଓ ବି.ତିରୁପତି ରାଓ ପଟ୍ଟନାୟକ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଧାରଣାରୁ ଉଠିଥିଲେ। ତେବେ ଘଟଣାରେ ୭ମାସ ପରେ ଆଜି ପୁଲିସ ୫ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର