୫ଯୋଡ଼ା ବି‌ଶେଷ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ବର : ଦକ୍ଷିଣ ରେଳପଥ ପରିସୀମା ମଧ୍ୟରେ କିଛି ସ୍ବତନ୍ତ୍ର ଟ୍ରେନ୍‌ର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ୪ଯୋଡ଼ା ଟ୍ରେନ୍‌ ସହିତ ପୁରୀରୁ ଛାଡ଼ୁଥିବା ଗୋଟିଏ ଟ୍ରେନ୍‌ ଦକ୍ଷିଣ ରେଳବାଇର କିଛି ଷ୍ଟେସନରେ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡ଼ିବ। ଭୁବନେଶ୍ବର-ରାମେଶ୍ବରମ୍ ସ୍ବତନ୍ତ୍ର ଟ୍ରେନ୍‌(୦୮୪୯୬) ଜୁନ୍‌ ୧୮ରୁ ଚେନ୍ନାଇ ଏଗମୋର ଷ୍ଟେସନରେ ପୂର୍ବାହ୍ନ ୮ଟା ୧୫ରେ ପହଞ୍ଚିବ ଏବଂ ୮ଟା ୩୦ରେ ରାମେଶ୍ବରମ୍‌ ଅଭିମୁ‌ଖେ ଯିବ। ଜୁନ୍ ୧୬ରୁ ଆଲେପି-ଧାନବାଦ୍ ସ୍ବତନ୍ତ୍ର ଟ୍ରେନ୍‌(୦୩୩୫୨) ଏର୍ଣ୍ଣାକୁଲମ, ଆଲୱେ, ତ୍ରିଚୁର, ୱାଡାକାନଚେରି, ଅତ୍ତାପଲମ ଓ ପାଲକ୍କାଡ ଷ୍ଟେସନ୍‌ରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚାଲିବ।

ଜୁନ୍ ୧୯ରୁ କନ୍ୟାକୁମାରୀ-ହାଓଡ଼ା ଟ୍ରେନ୍‌(୦୨୬୬୬) ତିରୁନେଭେଲି, କୋଭିଲପାଟ୍ଟି, ସାତୁର ଓ ବିରୁଦୁନଗର ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ହାଓଡ଼ା-କନ୍ୟାକୁମାରୀ ଟ୍ରେନ୍‌ (୦୨୬୬୫) ଜୁନ୍‌ ୨୧ରୁ ତିରୁନେଭେଲି ଷ୍ଟେସନ୍‌ରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚାଲିବ। ଏର୍ଣ୍ଣାକୁଲମ-ଟାଟା ଟ୍ରେନ(୦୮୧୯୦) ଜୁନ୍‌ ୨୩ରୁ ଏର୍ଣ୍ଣାକୁଲମ, ଆଲୁଭା, ଥ୍ରିସୁର, ପାଲକ୍କଡ଼, ପୋଡାନୁର, ତିରୁପୁର, ଏରୋଡ ଓ ସାଲେମ ଷ୍ଟେସନରେ ସଂଶୋଧିତ ସମୟ ଅନୁଯାୟୀ ଚଳାଚଳ କରିବ। ଉପରୋକ୍ତ ଟ୍ରେନଗୁଡ଼ିକ ପାଇଁ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର