ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ବିମାନ ଉଡ଼ାଣ ଯୋଜନା: ଟେଣ୍ଡର ଡାକିଲେ ସରକାର, ସପ୍ତାହକୁ ତିନି ଦିନ ଉଡ଼ାଣ ପାଇଁ ସବ୍‌ସିଡି ଦେବେ

ଟର୍ମିନାଲ କାମ ଚାଲିଥିବାରୁ ମାର୍ଚ୍ଚ ପୂର୍ବରୁ ବିଦେଶକୁ ଉଡ଼ାଣ ସମ୍ଭବ ନୁହେଁ

ଭୁବନେଶ୍ବର: ବହୁ ସମାଲୋଚନା ପରେ ରାଜ୍ୟ ସରକାର ଏବେ ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସପ୍ତାହକୁ ଅତି କମ୍‌ରେ ତିନିଦିନ ଏହି ତିନି ସହରକୁ ବିମାନ ଉଡ଼ାଣ କରିବାକୁ ରାଜ୍ୟ ସରକାର ଟେଣ୍ଡର ଆହ୍ବାନ କରିଛନ୍ତି। ବିମାନ ଉଡ଼ାଣକାରୀ ସଂସ୍ଥାକୁ ରାଜ୍ୟ ସରକାର ରାଉଣ୍ଡ ଟ୍ରିପ୍ (ଯିବାଆସିବ‌ା) ପାଇଁ ସବ୍‌ସିଡି ଦେବାକୁ ନିଷ୍ପତ୍ତି ନେଇଥିବାରୁ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାରା ବିଶ୍ବକୁ ଯେପରି ଓଡ଼ିଶାରୁ ସଂଯୋଗ କରିହେବ ତାହାକୁ ନଜରରେ ରଖି ଭୁବନେଶ୍ବରରୁ ଦୁବାଇ, ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ସିଧା ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ କେଉଁ ଏୟାରଲାଇନ୍ସ୍ କେତେ ଟଙ୍କା ସବ୍‌ସିଡ୍ ନେବାକୁ ଚାହୁଁଛନ୍ତି ତାହା ଉପରେ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ନିର୍ଭର କରୁଛି। ଯେଉଁ ଏୟାରଲାଇନ୍ସ କମ୍‌ ସବ୍‌ସିଡି ‌ନେବା ପାଇଁ ପ୍ରସ୍ତାବ ଦେବ, ତାହାକୁ ଗ୍ରହଣ କରାଯିବ।

ସରକାରଙ୍କ ଯୋଜନା ଅନୁଯାୟୀ, ଯୋଗ୍ୟ ବିବେଚିତ ଏୟାରଲାଇନ୍ସକୁ ଦିନେ ଛାଡ଼ି ଦିନେ ବିମାନ ଉଡ଼ାଣ ପାଇଁ ସବ୍‌ସିଡି ଦିଆଯିବ। ପ୍ରତିଦିନ ବିମାନ ଉଡ଼ାଣ ହେଲେ ବାକି ଦିନଗୁଡ଼ିକ ପାଇଁ ସବ୍‌ସିଡି ମିଳିବନି। ବିମାନ ଇନ୍ଧନ ଉପରେ ଭାଟ୍‌ ପୂରା ଛାଡ଼ କରାଯିବ। ସବ୍‌ସିଡି ବ‌ର୍ଷେ ପାଇଁ ଦିଆଯିବ। ଏହାକୁ ତିନି ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ। ପ୍ରତି ତିନି ମାସରେ ଥରେ ସବ୍‌ସିଡି ଅର୍ଥ ପ୍ରଦାନ କରାଯିବ। ଏଥିପାଇଁ ଏୟାରଲାଇନ୍ସକୁ ୭୦ କିମ୍ବା ଏହାଠାରୁ ଅଧିକ ସିଟ୍‌ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ କରିବାକୁ ହେବ। ଯଦି ଏୟାରଲାଇନ୍ସ ସର୍ତ୍ତକୁ ନମାନି ବିମାନ ବଦଳାଇବ କିମ୍ବା ହଠାତ୍ ସେବା ବନ୍ଦ କରିଦେବ ତେବେ ସବ୍‌ସିଡି ଦିଆଯିବନି।

ଏପରିକି ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସ ପକ୍ଷରୁ ଯେଉଁ ୫ଲକ୍ଷ ଟଙ୍କା ସିକ୍ୟୁରିଟି ରଖାଯିବ ତାହା ଫେରାଯିବନି। ସେହିପରି ଏୟାରଲାଇନ୍ସଗୁଡ଼ିକୁ ଯେଉଁଦିନ ଠାରୁ ବିମାନ ଉଡ଼ାଣ ପାଇଁ ଲେଟର୍ ଅଫ୍ ଆୱାର୍ଡ ଦିଆଯିବ ତା’ର ୬୦ଦିନ ମଧ୍ୟରେ ବିମାନ ଉଡ଼ାଣ କରିବାକୁ ହେବ।
ରାଜ୍ୟ ସରକାର ଏହିଭଳି ସର୍ତ୍ତ ରଖିଥିଲେ ହେଁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହୋଇପାରିବନି ବୋଲି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ବିମାନବନ୍ଦରର ଟି-୨ ଟର୍ମିନାଲର ନବୀକରଣ ଲିଙ୍କ୍‌ ବିଲଡିଂ ନିର୍ମାଣ କାମ ମାର୍ଚ୍ଚ ମାସରେ ଶେଷ ହେବ। ଏହି କାମ ଶେଷ ହେବା ପରେ ବିଦେଶକୁ ବିମାନ ଉଡ଼ାଣ ସମ୍ଭବ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର