ବୁଡ଼ିଲା ଆସିକା : ପାଣି ‌ଘେରରେ ଭଞ୍ଜନଗର, ସୋରଡ଼ା

ଫୁଲୁଛି ବଡ଼ନଦୀ, କମୁଛି ଋଷିକୁଲ୍ୟା; ଭଞ୍ଜନଗର-ବ୍ରହ୍ମପୁର, ଭଞ୍ଜନଗର-ସୋରଡ଼‌ା-ବେଲଗୁଣ୍ଠା ବିଚ୍ଛିନ୍ନ

ଭ˚ଜନଗର/ଆସିକା : ତିତ୍‌ଲି ବାତ୍ୟା ଯିବା ପରେ ଏବେ ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ଭୟଙ୍କର ବନ୍ୟା। ଜିଲ୍ଲାର ୭ଟି ବ୍ଲକ୍‌ ପ୍ରଭାବିତ ହୋଇଥିବାବେଳେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛି ଆସିକା। ୧୯୯୦ ମସିହା ପରେ ଆସିକାରେ ଏହା ହେଉଛି ବଡ଼ବନ୍ୟା। ବନ୍ୟା ଯୋଗୁ ଆସିକାରେ ୫୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବାବେଳେ ଆକାଶମାର୍ଗରୁ ରିଲିଫ୍‌ ସାମଗ୍ରୀ ବିତରଣ ପାଇଁ ୨ଟି ହେଲିକପ୍ଟର ନିୟୋଜିତ କରାଯାଇଛି। ଏଥିସହିତ, ଭଞ୍ଜନଗର-ବ୍ରହ୍ମପୁର, ଭଞ୍ଜନଗର-ସୋରଡ଼ା-ବେଲଗୁଣ୍ଠା ବିଚ୍ଛିନ୍ନ ହୋଇଯାଇଛି।

ପ୍ରଭାବିତ ବ୍ଲକ୍‌ଗୁଡ଼ିକ ହେଉଛି, ଶେରଗଡ, ଧରାକୋଟ, ଆସିକା, ଭ˚ଜନଗର, ବେଲଗୁଣ୍ଠା, କବିସୂର୍ଯ୍ୟନଗର ଓ ହି˚ଜିଳି। ତେବେ, ଆସିକାରେ ହିଁ ବନ୍ୟା ନିଜର ତାଣ୍ଡବ ରଚିଛି। ୧୯୯୦ ପରେ ପୁଣି ଆସିକାବାସୀ ବଡ଼ ବନ୍ୟାର ବିଭୀଷିକା ଦେଖିଛନ୍ତି।

ଆସିକା ଏନ୍‌ଏସିର ୧୮ଟି ୱାର୍ଡ ସମେତ ଆସିକା ବ୍ଳକର ନଳବଣ୍ଟା, ପାଟଳିଗୁଡା, କାଳଷଣ୍ଢପୁର ଗଙ୍ଗାପୁର, ଚଢିଅ‌ାପଲ୍ଲୀ, ଦେବଭୂମି, ମଙ୍ଗଳପୁର, ବାଙ୍ଗରଡା, ବେଣାପାଟ, କମାଗଡ, ଗହଙ୍ଗୁ ସମେତ ୨୦ରୁ ଅଧିକ ପଞ୍ଚାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଆସିକା ସହରର କଳିଙ୍ଗା ରୋଡ ଓ ବସ୍‌ଷ୍ଟାଣ୍ଡରେ ଖବର ଲେଖାହେବା ବେଳକୁ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ସହରର ଥାନା, ବ୍ଲକ କାର୍ଯ୍ୟାଳୟ, ତହସିଲ ଅଫିସ, କୋର୍ଟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଓ କଳିଙ୍ଗରୋଡରେ ଥିବା ସମସ୍ତ ବ୍ୟାଙ୍କ ସମେତ ଷ୍ଟେଟବ୍ୟାଙ୍କରେ ମଧ୍ୟ ବନ୍ୟାଜଳ ପଶିଥିବା ଜଣାପଡିଛି। ଏପରିକି ପ୍ରଖର ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେବାରୁ ଆସିକା ସବଜେଲର ମୁଖ୍ୟଫାଟକ ବଙ୍କା ହୋଇଥିବା ଜଣାପଡିଛି।

୨୮ ବର୍ଷ ପରେ ପୁଣି ଆସିକା ଅଞ୍ଚଳରେ ବନ୍ୟା ତାଣ୍ଡବ ଦେଖିବ‌ାକୁ ମିଳିଥିବା ବେଳେ ଏବେ ବି ୫୦ ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି। ୨୪ ଘଣ୍ଟାରୁ ଅଧିକ ହେଲା ପାଣି ଘେରରେ ରହିଥିବା ବେଳେ ଆଗାମୀ ୧୨ ଘଣ୍ଟା ପରେ ବି ପାଣି କମିବାର ଅଶା କରାଯାଉନାହିଁ। ଋଷିକୁଲ୍ୟାର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ବେଳେ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରୁ ପାଣି ଆସୁଥିବାରୁ ସହରର ପାଣି ନିଷ୍କାସନ ହୋଇପାରୁନାହିଁ । ଟିପିସର କେନାଲରେ ସହରର ବନ୍ୟାଜଳ ନିଷ୍କାସନ ହୋଇପାରୁନଥିବାରୁ ବାଣୀବିହାର, ଖମ୍ବେଶ୍ବରୀପାଟଣା ଓ କୁମ୍ଭାରସାହି ବନ୍ୟାଜଳ ଘେରରେ ରହିଛି। ଏପରିକି ସହରର ଆରାଧ୍ୟ ଦେବୀ ମା‘ଖମ୍ବେଶ୍ବରୀ ମନ୍ଦିର ମଧ୍ୟ ବନ୍ୟାଘେରରେ ରହିଛି। ବନ୍ୟା ଯୋଗୁଁ ଆସିକା ମୁଖ୍ୟ ବଜାରର ବ୍ୟବସାୟୀମାନେ ଦଶହରା ପାଇଁ ମହଜୁଦ ରଖିଥିବା ସମସ୍ତ ସାମଗ୍ରୀ ପାଣିରେ ନଷ୍ଟ ହୋଇଯାଇଛି।

ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବ୍ରିଜେଶ ରାୟ, ବିଡିଓ ଗାୟତ୍ରୀଦତ୍ତ ନାୟକ ଓ ଥାନା ଅଧିକାରୀ ପ୍ରମୁ୍‌ଖ ସ୍ଥିତି ଅନୁଧ୍ୟାନ କରିବା ସହ ସଜାଗ ରହିଛନ୍ତି। ଆଜି ଗ୍ରାମ୍ୟଉନ୍ନୟନ ଓ ସ˚ସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭ˚ଜନଗର ସହର ସମେତ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅ˚ଚଳକୁ ଗସ୍ତ କରି ପ୍ରପୀଡ଼ିତଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବ୍ଲକ ସଭାଗୃହ ପରିସରରେ ଏ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି।

ସେପଟେ କୋଲକାତାରୁ କାମରେ ଆସିଥିବା ଜଣେ ବ୍ୟକ୍ତି ଏଠାରେ ଫସି ରହିଥିବା ସ˚ପର୍କରେ ତାଙ୍କ ପତ୍ନୀ ସୋସିଆଲ୍‌ ମିଡ଼ିଆ ଜରିଆରେ ଗୁହାରି ଜଣାଇବା ସହାୟତା କରିବାକୁ ଅନୁରୋଧ କରିଛନ୍ତି। ସେଭଳି ବହୁ ଯାତ୍ରୀ ଏବେ ବି ଆସିକା ବସଷ୍ଟାଣ୍ତରେ ଭୋକ ଉପବାସରେ ପଡି ରହିଛନ୍ତି। ସମସ୍ତେ ସରକାରୀ ରିଲିଫ୍ ଓ ସହାୟତାକୁ ଅନେଇ ବସିଛନ୍ତି। ବନ୍ୟା ଯୋଗୁଁ ଭଞ୍ଜନଗର-ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଉଭୟ ପଟେ ଗାଡ଼ି ଅଟକି ରହିଛି।

ଅନ୍ୟପକ୍ଷରେ, ଗତକାଲି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭ˚ଜନଗର ଉପଖଣ୍ତରେ ୩୦୦ମିଲିମିଟର ବର୍ଷା ହୋଇଥିଲା। ଏହା ଫଳରେ ଡହ, ମାଧବରିଡା ଆଦି ମଧ୍ୟମ ଜଳସେଚନ ପ୍ରକଳ୍ପର ଡ୍ୟାମରେ ପାଣି ଭରି ଯାଇଥିଲା। ଏହା ସାଙ୍ଗକୁ ଉପଖଣ୍ତରେ ରହିଥିବା ଋଷିକୁଲ୍ୟା, ବଡନଦୀ, ଲୋହରାଖଣ୍ତି, ବୋଡନଦୀ ସହ ବାଘୁଆ, ଡହ ଆଦି ନଦୀରେ ପାଣି ଭର୍ତ୍ତି ହେବା ସହ ଫୁଲିବା ସହ ପାଣି ନଦୀରୁ ଉଛୁଳି ଜମି ଆଡ଼କୁ ମାଡି ଯାଇଥିଲା। ସେଭଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଡହରେ ୩ଟି ଗେଟ୍‌ ସକାଳୁ ଓ ପରେ ଗୋଟିଏ ଗେଟ୍‌ ଖୋଲାଯାଇଥିଲା। ବର୍ଷା ମାତ୍ରା ବଢ଼ିବା ସହ ଉପରମୁଣ୍ତ କନ୍ଧମାଳର ପାଣି ଏବ˚ ଡହରୁ ଛଡା ଯାଇଥିବା ପାଣି, କଳିଙ୍ଗାଘାଟିରୁ ଆସିଥିବା ପାଣି ଲୋହରାଖଣ୍ତି, ବଡ ନଦୀରେ ପଡ଼ିଥିଲା। ଏହାଫଳରେ ବଡନଦୀ ଓ ଲୋହରାଖଣ୍ତିରେ ପାଣି ବୃଦ୍ଧି ପାଇବା ସହ ବିପଦ ସଂକେତ ଉପ‌େର ପ୍ରବାହିତ ହେବାରେ ଲାଗିଥିଲା। ଅନ୍ୟପକ୍ଷରେ ଋଷିକୁଲ୍ୟାର ପାଣି ପ୍ରଥମେ ବିପଦସ˚କେତ ଉପରେ ରହିଥିବା ବେଳେ ସକାଳୁ ଧୀରେ ଧୀରେ ହ୍ରାସ ପାଇଛି। ଆସିକାରେ ଏବେ ବି ୮ରୁ ୯ଫୁଟର ପାଣି ସହର ମଧ୍ୟରେ ଚାଲୁଛି। ସହର ମଧ୍ୟକୁ ଋଷିକୁଲ୍ୟା ସହ ବଡନଦୀର ପାଣି ପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ କାଟ୍‌ ସାଙ୍ଗକୁ ଲୋକେ ବହୁ ସମସ୍ୟା ମଧ୍ୟରେ ରହିଛନ୍ତି। ଲୋକେ ଭୋକଉପାସରେ ରହିଛନ୍ତି। ଆସିକାରୁ ଲୋକଙ୍କୁ ହେଲିକେପ୍ଟର ଯୋଗେ ସ୍ଥାନାନ୍ତର କରିବାକୁ ସରକାର ଯୋଜନା କରିଛନ୍ତି। ରିଲିଫ ବଣ୍ଟନ କରିବା ପାଇଁ ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଦୁଇଟି ହେଲିକେପ୍ଟର୍ ଆସି ପହଞ୍ଚିଛି। ଦକ୍ଷିଣାଞ୍ଚଳ ଆରଡିସି ଟି.ଆପାଙ୍ଗଙ୍କ ତତ୍ବାବଧାନରେ ବିଏମସି ଅଫିସରେ ୧୦ହଜାର ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପୁଡ଼ିଆ ଆକାଶ ମାର୍ଗରୁ ବାଣ୍ଟିବାକୁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର