ମାଲକାନଗିରି ଜିଲ୍ଲା ଜଳାର୍ଣ୍ଣବ : ବାଲିମେଳା, କାଲିମେଳା, ପଡ଼ିଆ, ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କାଲିମେଳା : ବନ୍ୟା ଘେରରେ ଅଧାରୁ ଅଧିକ ମାଲକାନଗିରି ଜିଲ୍ଲା। ଗତ ତିନି ଦିନର ଲଗାଣ ବର୍ଷା ସ୍ଥିତିକୁ ସଂଗିନ କରିଦେଇଛି। ରାସ୍ତାଘାଟ, ପୋଲ ସବୁ ଜଳାର୍ଣ୍ଣବ ହୋଇଯାଇଛି। ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ ରାସ୍ତାରେ ଅଟକିଛି ଶହଶହ ଗାଡ଼ି। ଏପରିକି ରୋଗୀଙ୍କୁ ବି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରୁନି। କିଛି ସ୍ଥାନରେ ଅଗ୍ନିଶମ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ଷା ଆଦୌ ବନ୍ଦ ହେଉ ନଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି କୁହାଯାଉଛି। ଗତକାଲି ଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ମାଲକାନଗିରି-ବାଲିମେଳା ମଧ୍ୟରେ ରହିଥିବା କୋରକୋଣ୍ଡା, ଏମଭି-୧୧ ଏବଂ ଏମ୍‌ଭି-୩୭ ପୋଲ ମଧ୍ୟ ବନ୍ୟା ଜଳରେ ବୁଡ଼ି ଯାଇଛି। ସେହିପରି, କାଙ୍ଗୁରକୋଣ୍ଡା, ଏମଭି-୯୦, କନ୍ୟାଶ୍ରମ, ପୋଟେରୁ ପୋଲ ଉପରେ ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ, ଗମନାଗମନ ବାଧାପ୍ରାପ୍ତ ହୋଇଛି ଏବଂ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଲୋକ ଅଟକି ରହିଛନ୍ତି।

ଅନ୍ୟପଟେ, ମାଥିଲି ବ୍ଲକ୍‌ର ପାଙ୍ଗାମ ପୋଲକୁ ଲାଗି ପାଣି ପ୍ରବାହିତ ହେଉଛି। ଯେଉଁଭଳି ଭାବେ ବର୍ଷା ହେଉଛି ଆଉ କିଛି ଘଣ୍ଟା ମଧ୍ୟରେ ଏହି ପୋଲ ବି ବୁଡ଼ିଯିବ ବୋଲି ଆଶଂକା କରାଯାଉଛି।
ସେହିଭଳି, ମାଲକାନଗିରିରୁ କାଲିମେଳା, କାଲିମେଳାରୁ ପଡିଆ ଏବଂ କାଲିମେଳାରୁ ମୋଟୁ ଅଂଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏମଭି-୭୯ ଗ୍ରାମବାସୀ ବନ୍ୟା ଘେରରେ ରହିଥିବାବେଳେ ଲୋକ ବାହାରକୁ ଆସିପାରୁନାହାନ୍ତି। ପୋଟେରୁ ପୋଲରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏଠାରେ ପୁଲିସ ମୁତୟନ କରାଯାଇଛି। ଗୋବିନ୍ଦପାଲ୍ଲୀ ନିକଟରେ ରହିଥିବା ସପ୍ତଧାରା ନଦୀ ବି ଫୁଲିଯିବାରୁ ପୋଲକୁ ଲାଗି ପାଣି ପ୍ରବାହିତ ହେଉଛି।

ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ରୋଗୀ ଏବଂ ଗର୍ଭବତୀ। ସେହିପରି ଜରୁରି ସାମଗ୍ରୀ ବି ଜିଲ୍ଲା ତଥା ବ୍ଲକ ମହକୁମାରେ ପହଞ୍ଚି ପାରୁନାହିଁ।

ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ୮୧୭.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଲକରେ ୧୪୭ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୧୪୮ ମିଲିମିଟର, ଖଇରପୁଟ ବ୍ଲକରେ ୧୨୫ ମିଲିମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୧୦୦ ମିଲିମିଟର, କୋରକୋଣ୍ଡା ବ୍ଲକରେ ୧୫୭ ମିଲିମିଟର, କାଲିମେଳା ବ୍ଲକରେ ୬୩ ମିଲିମିଟର ଏବଂ ପଡିଆ ବ୍ଲକରେ ୭୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୧୬ ମିମି ବର୍ଷା ହୋଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ସମସ୍ତ ବ୍ଲକ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଆଜି ରାତି ସୁଦ୍ଧା ଯଦି ବର୍ଷାର ପ୍ରକୋପ କମିବ ନାହିଁ ତା’ହେଲେ ପରିସ୍ଥିତି ଭୟଙ୍କର ହୋଇଯିବ। ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳ ଗୁଡିକରେ ରଖିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର