କୁଆଖାଇ-କୁଶଭଦ୍ରା-ଭାର୍ଗବୀରେ ପ୍ରଥମ ବନ୍ୟାଜଳ ପ୍ରବେଶ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଦେଇ ପ୍ରବାହିତ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଆଜି ଏବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ରାତିରୁ ଉପରୋକ୍ତ ୩ ନଦୀରେ ବନ୍ୟାପାଣି ପଡ଼ିଥିଲା। ଆଜି ଭୋର ସମୟରୁ ଧୀରେ ଧୀରେ ପାଣି ବୃଦ୍ଧି ପାଇଥିବା ଲକ୍ଷ କରାଯାଇଛି। ତେବେ ପାଣି ନଦୀରେ ବିପଦସଙ୍କେତ ଚିହ୍ନର ୩ମିଟର ତଳେ ଚାଲୁଛି।

ଅନ୍ୟପକ୍ଷରେ ଯେତିକି ପାଣି ଛଡ଼ାଯାଇଛି କୌଣସି ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ପ୍ରାଚୀ ଡିଭିଜନ ଅଧୀନ ବାଲିଅନ୍ତା କେନାଲ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଭୀମସେନ ବେହେରା କହିଛନ୍ତି। ତାଙ୍କ ସୂଚନା ଅନୁସାରେ ହୀରାକୁଦରୁ ୧୨ଟି ଗେଟ ଖୋଲାଯାଇଛି। ମୁଣ୍ଡଳୀ ୱେୟାରରେ ୬ ଲକ୍ଷ ୪୩ ହଜାର କ୍ୟୁସେକ ପାଣି ଚାଲିଛି। ସେଥିରୁ ୩ଲକ୍ଷ ୨୧ ହଜାର କ୍ୟୁସେକ ମହାନଦୀ ପାଣି ପ୍ର‌ବାହିତ ହେଉଛି। ବାକି ୩ ଲକ୍ଷରୁ ୫୦ ପ୍ରତିଶତରୁ ଅଧିକ କ୍ୟୁସେକ ପାଣି ଉଭୟ କାଠଯୋଡ଼ୀ ଓ କୁଆଖାଇରେ ଚାଲିଛି। କୁଆଖାଇରୁ ପାଖାପାଖି ୪୦ ହଜାର କ୍ୟୁସେକ ପାଣି ଚାଲିଛି। ଏହି ନଦୀ‌ ଦ୍ବୟରେ ବିପଦ ସଙ୍କେତ ଚିହ୍ନ ୧୮.୨୫ କ୍ୟୁସେକ ରହିଛି।

ନଦୀରେ ପାଣି ଛଡ଼ାଯିବା ପରେ ବନ୍ୟାପାଣି ଦେଖିବା ପାଇଁ ଆଖପାଖ ଲୋକ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ବନ୍ୟାପାଣି ଦେଖିବା ପାଇଁ  ବ୍ରିଜ ଉପରେ ଆଜି ସକାଳ ଓ ସଂଧ୍ୟାରେ ଲୋକମାନଙ୍କର ଭିଡ଼ ଜମିଥିଲା। କିଛି ଲୋକ ନଦୀରେ ଜାଲ ପକାଇ ମାଛ ଧରିବା ଆରମ୍ଭ କରି ଦେଇଛନ୍ତି। ତେବେ ଗୁରୁତ୍ବପୂଣ୍ଣ କଥା ହେଉଛି, କୁଆଖାଇ ନଦୀର ପେଟାଘାଇ, ଉମାଦେଇ ବ୍ରହ୍ମପୁର, ହୀରାପୁର,ଗଡ଼ ଶ୍ରୀରାମପୁର , ସତ୍ୟଭାମାପୁର , ଗଡ଼ କଣ୍ଟୁଣିଆ, ରଥିଜେମା, ପ୍ରତାପଶାସନ, ହନୁମନ୍ତପାଟଣା, ପଣସପାଟଣା ଆଦି ସ୍ଥାନରେ ନଦୀବନ୍ଧ ଅତି ଦୁର୍ବଳ ଥିବା ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ଓ ୧୭ ନମ୍ବର ଜିଲ୍ଲା ପରିଷଦ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ କହିଛନ୍ତି।

ସେହିପରି କୁଶଭଦ୍ରା ନଦୀର ନୂଆସାହି, ପ୍ରତାପରୁଦ୍ରପୁର, କୂଳସାହି ଆଦି ସ୍ଥାନରେ ବନ୍ଧ ଅବସ୍ଥା ଭଲନଥିବା ଉପାଧ୍ୟକ୍ଷ ଦୀପସ ସ୍ବାଇଁ ଓ ପୂର୍ବତନ ଜିଲ୍ଲା ପରିଷଦ ଚୌଧୂରୀ ଦ୍ବାରିକା ନାଥ ଦାଶ କହିଛନ୍ତି। ଅନ୍ୟପକ୍ଷରେ ସବୁ ସ୍ଥାନରେ ବନ୍ଧ ଅବସ୍ଥା ଭଲ ଥିବା ଶ୍ରୀ ବେହେରା କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପୂରା ପ୍ରସ୍ତୁତ ତିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର