ସମ୍ବଲପୁରରେ ଲାଗିଲା ଫ୍ଲୋ ମିଟର  

ସମ୍ବଲପୁର: ସମ୍ବଲପୁରରେ ଫ୍ଲୋ’ ମିଟର ସ୍ଥାପନ କାମ ଆରମ୍ଭ ‌ହୋଇଛି। ଆଜି ଆର୍‌ଡିସି କାର୍ଯ୍ୟାଳୟରେ ପ୍ରଥମ ଫ୍ଲୋ’ମିଟର ଲଗାଯାଇଛି। ଆର୍‌ଡିସି କାର୍ଯ୍ୟାଳୟକୁ ଦିଆଯାଇଥିବା ପାଣି ପାଇପ ସଂଯୋଗରେ ଏହି ଫ୍ଲୋ’ ମିଟର ଲାଗିଛି। ଏବେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୭୩ ହଜାର ପାଣି ପାଇପ୍ ସଂଯୋଗ ରହିଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ସବୁ ଜାଗାରେ ଫ୍ଲୋ’ ମିଟର ଲଗାଯିବ। ଅର୍ଥାତ, ଜନସ୍ବାସ୍ଥ୍ୟ ବିଭାଗ ଠାରୁ ପାଣି ସଂଯୋଗ ନେଇଥିବା ସବୁ ଘରେ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନଗୁଡ଼କରେ ଏହି ଫ୍ଲୋ’ ମିଟର ଲଗାଯିବାକୁ ସ୍ଥିର ହୋଇଛି। ଓଡ଼ିଶା ଜଳ ନିଗମ(ୱାଟକୋ) ଜରିଆରେ ଏହି ମିଟର ଲଗାଯାଇଥିବା ବେଳେ ସମ୍ବଲପୁରରେ ଅଶୋକା ଇନ୍‌ଫ୍ରାକୋର୍ ସଂସ୍ଥାକୁ ଏହାର ଠିକା ମିଳିଛି। ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଗୁଲ୍‌ଶନ କୁମାର କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମେ ପୁରୀରେ ‌ଫ୍ଲୋ’ ମିଟର ଲଗାଯାଇଛି।

ଭୁବନେଶ୍ବର, କଟକ ପରେ ଏବେ ସମ୍ବଲପୁରରେ ଏହା ଆରମ୍ଭ ହୋଇଛି। ଫ୍ଲୋ’ ମିଟର ଲାଗିବା ପରେ ମାସିକ ଟିକସ’ ବ୍ୟବସ୍ଥା ବଦଳରେ ଏଣିକି ଯିଏ ଯେତିକି ପାଣି ବ୍ୟବହାର କରିବେ, ସେହି ଆକାରରେ ଏବାବଦ ଟିକସ ‌ଦେବେ। ପ୍ରତ୍ୟେକ ହଜାରେ ଲିଟର ପାଣି ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଟିକସ ଆକାରରେ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଠିକା ସଂସ୍ଥା ଅଶୋକା ଇନ୍‌ଫ୍ରାକୋର୍ ପକ୍ଷରୁ ଏହି ଦାୟିତ୍ବ ତୁଳାଉଥିବା ସମରଜିତ୍ ପଟ୍ଟନାୟକ କହିଛନ୍ତି, ଆଜି ପ୍ରଥମ ଦିନରେ ପ୍ରାୟ ୪୦ଟି ପାଣି ପାଇପ୍ ସଂଯୋଗରେ ଏହି ‌ମିଟର ଲଗାଯାଇଛି। ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସହର ସମେତ ସମଗ୍ର ମହାନଗର ଅଂଚଳ‌େରେ ଏହି ମିଟର ସ୍ଥାପନ କାମ ଏକ ବର୍ଷ ମଧ୍ୟରେ କରିବା ପାଇଁ ଚୁକ୍ତି ହୋଇଥିଲେହେଁ ଆମେ ୮ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଅପରପକ୍ଷରେ ଫ୍ଲୋ’ ମିଟର ଲାଗିବା ଦ୍ବାରା ପାଣି ଅପବ୍ୟବହାର ଉପରେ ଅଙ୍କୁଶ ଲାଗିବ। ମିଟରରେ ଯେତିକି ବିଲ୍‌ ଉଠିବ, ସେତିକି ଅର୍ଥ  ଦେବାକୁ ପଡ଼ୁଥିବାରୁ ଉପରେ ଲୋକଙ୍କ ମଧ୍ୟରେ ପାଣି ବ୍ୟବହାର ନେଇ ସଚେତନତା ପ୍ରକାଶ ପାଇବ ବୋଲି କହାଯାଉଛି।

ସମ୍ବନ୍ଧିତ ଖବର