କଂଗ୍ରେସ କାର୍ଯ୍ୟାଳୟରେ ବନବିଭାଗର ଚଢ଼ାଉ : ବାର୍‌ହା ମାଂସ ଖୋଜିବାକୁ ଯାଇଥିଲେ, ପାଇଲେ ମାଛ

ରେଞ୍ଜରଙ୍କ ବିରୋଧରେ ଏତଲା, ଆନ୍ଦୋଳନ ଧମକ

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକର ତ୍ରିନାଥ ବଜ଼ାରସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ଆଜି ବନ ବିଭାଗ ଟିମ୍‌ ଛାପା ମାରିଛି। କଂଗ୍ରେସ କାର୍ଯ୍ୟାଳୟରେ ବାର୍‌ହା ମାଂସ ରୋଷେଇ ହେଉଥିବା ଅଭିଯୋଗରେ ବନ ବିଭାଗ ଛାନ୍‌ଭିନ କରିଥିଲା। ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଂଗ୍ରେସ କର୍ମୀମାନେ ଡିଏଫଓଙ୍କୁ ଭେଟି ଆନ୍ଦୋଳନ ଧମକ ଦେବା ସହ ରାଜନଗର ଥାନାରେ ରେଞ୍ଜ ଅଫିସରଙ୍କ ନାଁରେ ଏତଲା ଦେଇଛନ୍ତି।

ଆଜି ତ୍ରିନାଥ ବଜ଼ାରସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ହଠାତ ବନବିଭାଗ ଟିମ ପହଞ୍ଚି ଖୋଜାଖୋଜି କରିଥିଲା। କାର୍ଯ୍ୟାଳୟରେ ବାରହା ମାଂସ ରୋଷେଇ ହେଉଥିବା ଖବର ରେଞ୍ଜ ଅଫିସରଙ୍କୁ ମିଳିଥିଲା। ରାଜନଗର ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ମହନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବନ ବିଭାଗ ଟିମ ସର୍ଚ୍ଚ ୱାରେଣ୍ଟ ସହ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ତନଖି କରିଥିଲା। କୋଉଠି କିଛି ନପାଇ ରୋଷେଇ ଘରେ ମାଛ ରୋଷେଇ ହେଉଥିବା ଦେଖିବାକୁ ପାଇଥିଲା। ଦୀର୍ଘ ଏକଘଣ୍ଟା ଧରି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବନ ବିଭାଗ ଟିମ ଛାନଭିନ କରିଥିଲା। ବନ ବିଭାଗ ଚଢ଼ାଉ କରୁଥିବା ଖବର ଶୁଣି କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ଭିଡ଼ ଜମି ସାରିଥିଲା। କଂଗ୍ରେସକୁ ବଦନାମ କରିବାକୁ ଏହା ଷଡ଼୍‌ଯନ୍ତ୍ର ବୋଲି କର୍ମୀମାନେ ଅଭିଯୋଗ କରି ବନ ବିଭାଗ ଟିମକୁ ଘେରାଉ କରିଥିଲେ। ଏହାକୁ ନେଇ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ବୋଲି କଂଗ୍ରେସ କର୍ମୀମାନେ ରାଜନଗର ଏସିଏଫ୍‌ ହରେକୃଷ୍ଣ ମଲ୍ଲିକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ରାଜନୈତିକ ହସ୍ତକ୍ଷେପ ଫଳରେ ଏଭଳି ହୀନ ଷଡ଼ଯନ୍ତ୍ର କରିଥିବା ରେଞ୍ଜ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର