ଏବେଠୁ ଜଳିଲାଣି ଶିମିଳିପାଳ, ସମସ୍ତ ପ୍ରସ୍ତୁତି ସତ୍ତ୍ବେ ୫୨ଟି ସ୍ଥାନରେ ଲାଗିଲାଣି ନିଆଁ

ରୋକିପାରୁନି ବନ ବିଭାଗ; ଆଗକୁ ବଡ଼ ବିପଦ

ବାରିପଦା: ଫେବ୍ରୁଆରି ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଲାଣି ନିଆଁ। ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳିଲାଣି। ଲୁଚିଛପି ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ଏହାକୁ ରୋକିପାରୁନି ବନ ବିଭାଗ। ବିଭାଗୀୟ କର୍ମଚାରୀ ସଚେତନତା କାର୍ଯ୍ୟକ୍ରମରେ ମାତିଥିବା ବେଳେ ଏପଟେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍‌।

ପୋଡ଼ୁ ଚାଷ, ଜାଳେଣି କାଠ, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛକଟାକୁ ଲୁଚାଇବା ନିମନ୍ତେ ଅସାମାଜିକ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି। ୨୦୨୦ ମସିହାରେ ଶିମିଳିପାଳ ଅଭୟାରଣ୍ୟର ୮୨୪ଟି ସ୍ଥାନରେ ନିଆଁ ଲାଗିଥିଲା। ୨୦୨୧ରେ ସବୁଠାରୁ ସର୍ବାଧିକ ୪,୪୩୯ଟି ଫାୟର ପଏଣ୍ଟ ଚିହ୍ନଟ ହୋଇଥିଲା। ମାସେ ଯାଏ ଜଳିଥିଲା ଶିମିଳିପାଳ। ଶହଶହ ହେକ୍ଟର ଜଙ୍ଗଲ ଜଳି ଯାଇଥିବା ବେଳେ ଅନେକ ବନ୍ୟଜନ୍ତୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଖବର ୨୦୨୧ରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ମୁଖ୍ୟ ଶିରୋନାମା ପାଲଟିଥିଲା। ତେବେ ବନ ବିଭାଗର ସତର୍କତା ଓ ଲୋକମାନଙ୍କ ସହଯୋଗରୁ ଗତବର୍ଷ ମାତ୍ର ୪୮୯ଟି ସ୍ଥାନରେ ନିଆଁ ଲାଗିଥିଲା।

୨୦୨୧ର ପୁନରାବୃତ୍ତି ଯେମିତି ନହେବ ସେଥିପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର। ଚଳିତ ବର୍ଷ ପ୍ରଥମ ଥର ପାଇଁ ଫାୟାର ପଏଣ୍ଟ ଚିହ୍ନଟ ପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯାଇଛି। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ସ୍ବେଛାସେବୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ନିଆଁ ଲିଭା କାର୍ଯ୍ୟ ପାଇଁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଫାୟାର ପଏଣ୍ଟଗୁଡିକ ନେଇ ଏକ ମ୍ୟାପ ପ୍ରସ୍ତୁତ କରାଯାଇଛି। ପ୍ରଶାସନ, ସ୍ବୟଂ ସହାୟିକା ଗୋଷ୍ଠୀ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କର ସହାୟତାରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ତାଙ୍କ ନେତୃତ୍ବରେ ଏହି ଟିମ୍ ନିୟମିତ କ୍ଷେତ୍ର ପରିଦର୍ଶନ କରୁଛି ବୋଲି କହିଛନ୍ତି ଶ୍ରୀ କୁମାର। ଶିମିଳିପାଳରେ ନିଆଁ ଲଗାଇବାରୁ ନିବୃତ୍ତ ରହିବାକୁ ଚେତାଇ ଦେବାସହ ନିଆଁ ଲଗାଇ ଧରାପଡ଼ିଲେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। କର୍ତ୍ତବ୍ୟରେ ଅବ‌ହେଳା କଲେ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧ‌ରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏତେସବୁ ପ୍ରସ୍ତୁତି ସତ୍ବେ ଖରାଦିନ ପୂର୍ବରୁ ୫୨ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ତେଣୁ ଆଗକୁ ବନ ବିଭାଗ ଅଧିକ ସତର୍କ ନହେଲେ ମେ, ଜୁନ୍‌ ମାସ ବେଳକୁ ବନାଗ୍ନି ଅଣାୟତ୍ତ ହୋଇଯିବ ବୋଲି ଚେତାଇ ଦେଇଛନ୍ତି ପରିବେଶବିତ୍‌।

ସମ୍ବନ୍ଧିତ ଖବର