ଗୃହରେ ଜଙ୍ଗଲ ନିଆଁ ତାତି

ମନ୍ତ୍ରୀ ବୁଲିବାକୁ ହେଲିକପ୍ଟର ଅଛି, ଜଙ୍ଗଲ ନିଆଁ ଲିଭାଇବାକୁ ନାହିଁ: ବିରୋଧୀ

ଭୁବନେଶ୍ବର : ସାରା ରାଜ୍ୟରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। କିନ୍ତୁ ସରକାର କହୁଛନ୍ତି ୯୮% ନିଆଁ ଲିଭା ସରିଲାଣି। ଯଦି ନିଆଁକୁ ଆୟତ୍ତ କରିସାରିଲଣି ତେବେ ଓଡ଼ିଶା କାହିଁକି ଏବେବି ବନାଗ୍ନିରେ ଦେଶରେ ପ୍ରଥମ? ଜଙ୍ଗଲ ଜଳୁଥିବାରୁ ପଶୁପକ୍ଷୀ ମରୁଛନ୍ତି। ହେଲେ ରାଜ୍ୟ ସରକାର ହେଲିକପ୍ଟର କି ଅନ୍ୟ କୌଣସି ଯାନ୍ତ୍ରିକ ପଦ୍ଧତି ଆପଣାଇ ନିଆଁ ଲିଭାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବୁଲିବାକୁ ହେଲିକପ୍ଟର ଅଛି, ହେଲେ ଜଙ୍ଗଲ ନିଆଁ ଲିଭାଇବାକୁ ହେଲିକପ୍ଟର ନାହିଁ। ନିଆଁ କାହିଁକି ଲାଗିଛି ପଚାରିଲେ ସମସ୍ତଙ୍କର ଗୋଟିଏ ଉତ୍ତର ଏହା ମନୁଷ୍ୟକୃତ। କାଠ ମାଫିଆ, ଶିକାରୀ ନିଆଁ ଲଗାଇଛନ୍ତି। ଯଦି ଏହା ମନୁଷ୍ୟକୃତ ତେବେ କେତେ ଜଣଙ୍କୁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଗିରଫ କରିଛ?

odishaassembly.nic.in

ରାଜ୍ୟ ବିଧାନସଭାରେ ବୁଧବାର ଦିନ ଏହିଭଳି ଢଙ୍ଗରେ ଶୂନ୍ୟକାଳରେ ‘ଲାଗିଛି ନିଆଁ ଜଙ୍ଗଲରେ ସରକାର ଶୋଇଛନ୍ତି ମହାନିଦ୍ରାରେ’ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି। ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଲୋଚନା ଆରମ୍ଭ କରି କହିଥିଲେ ଯେ ମନ୍ତ୍ରୀ ଜଙ୍ଗଲ ନିଆଁ ପଛର ସତକଥାକୁ ଲୁଚାଇବାକୁ ଚେଷ୍ଟା କରି ଗୃହକୁ ମିଛ କହୁଛନ୍ତି। ଜଙ୍ଗଲରେ ନିଆଁ ଲାଗିଛି, ହେଲେ ପଶୁପକ୍ଷୀ କେମିତି ସୁରକ୍ଷିତ ଅଛନ୍ତି? ଅନେକ ରାଜ୍ୟରେ ଆମଠୁ ଅଧିକ ଜଙ୍ଗଲ ଅଛି। ହେଲେ ସେଠାରେ ଜଙ୍ଗଲରେ ଆମଠାରୁ କମ୍ ନିଆଁ ଲାଗିଛି। ଆମର କାହିଁକି ଅଧିକ ନିଆଁ ଲାଗୁଛି ତା’ର କାରଣ ଖୋଜାଯାଉନି। ୨୦୨୧ରେ ସାରା ଓଡ଼ିଶାରେ ଜଙ୍ଗଲ‌ ଜଳିବା ପରେ ମନ୍ତ୍ରୀ ଗୃହରେ କହିଥିଲେ ଯେ ଆଉ ଜଙ୍ଗଲରେ ନିଆଁ ଲାଗିବନି। ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରୁଛନ୍ତି। ହେଲେ କ’ଣ ବ୍ୟବସ୍ଥା କଲେ ଯେ ଏଥର ପୁଣି ନିଆଁ ଲାଗିଲା। ଜଙ୍ଗଲ ନିଆଁ ଲିଭାଇବାକୁ ଲୋକ ନାହାନ୍ତି। ସୋମବାର ୧୮୪୦ଟି ସ୍ଥାନରେ ନିଆଁ ଲାଗିଥିଲା, ମଙ୍ଗଳବାର ୧୭୪୬ଟି ସ୍ଥାନରେ ଜଙ୍ଗଲ ଜଳୁଥିଲା। ପିସିସିଏଫ୍ କହୁଛନ୍ତି, ଶିକାରୀ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଯଦି ଶିକାରୀ ଲଗାଉଛନ୍ତି ତେବେ କେତେ ଜଣଙ୍କୁ ଗିରଫ କରିଛ, କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ ଜଣାଅ। କିନ୍ତୁ ମନ୍ତ୍ରୀ କହୁଛନ୍ତି ଆମେ ୯୮% ସ୍ଥାନରେ ନିଆଁକୁ ଆୟତ୍ତକୁ ଆଣିଛୁ। ଜଙ୍ଗଲ ନିଆଁ ଲିଭାଇବାରେ ସରକାର ଫେଲ୍ ମାରିଛନ୍ତି। ତେଣୁ କ’ଣ ଠୋସ୍ ପଦକ୍ଷେପ ନେବେ ତାହା କୁହନ୍ତୁ।

ଗଣେଶ ରାମସିଂହ ଖୁଣ୍ଟିଆ କହିଥିଲେ, ଜଙ୍ଗଲ ନିଆଁରେ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ଶିମିଳିପାଳରେ ନିଆଁ ଲାଗି ହୁତୁହୁତୁ ଜଳୁଥିଲେ ବି ବନ ବିଭାଗର କର୍ମଚାରୀ ଜାଣିପାରୁନାହାନ୍ତି। ଜଙ୍ଗଲ ବିଭାଗ କର୍ମଚାରୀ କ’ଣ କରୁଛନ୍ତି। ଶିମିଳିପାଳରେ ତ ଭୁବନେଶ୍ବର କି ବାରିପଦା ସହରରୁ ଲୋକ ଯାଇ ନିଆଁ ଲଗାଉନାହାନ୍ତି। ଯିଏ ଲଗାଉଛନ୍ତି ତାଙ୍କୁ କାହିଁକି ଧରାଯାଉନି। ମୁକେଶ ମହାଲିଙ୍ଗ କହିଥିଲେ, ଜଙ୍ଗଲରେ ନିଆଁ ଲାଗିଛି ମାନେ ଘରେ ନିଆଁ ଲାଗିଛି। ପଶୁପକ୍ଷୀଙ୍କ ଘରେ ନିଆଁ ଲାଗିଥିବାରୁ ସେମାନେ ଏବେ ବାହାରକୁ ପଳାଇ ଆସୁଛନ୍ତି। ୪୪ଟି ରେଞ୍ଜ୍‌ରେ ହୁତୁହୁତୁ ହୋଇ ଜଳୁଛି। ଜରୁରୀକାଳୀନ ପଦକ୍ଷେପ ନାହିଁ। ବନ୍ୟଜନ୍ତୁ ପରିଚାଳନା ବ୍ୟବସ୍ଥା କ’ଣ ଅଛି? ହାତୀ ଜୀବନ ଏବେ ବିପଦରେ। ୧୦ବର୍ଷରେ ୭୮୪ଟି ହାତୀ ମରିଥିବାବେଳେ ମାତ୍ର ୫୦ଟି ମାମଲାରେ ଚାର୍ଜସିଟ୍ ହୋଇଛି। ନବ ଦାସ ହତ୍ୟାକାଣ୍ଡରେ ଷଡଯନ୍ତ୍ର ପରି ହାତୀ ମୃତ୍ୟୁରେ ବି ଷଡଯନ୍ତ୍ର ହୋଇଛି।

ସୁରେଶ ରାଉତରାୟ କହିଥିଲେ, ଜଙ୍ଗଲ ନିଆଁ ଲିଭାଇବାକୁ ଜିଲ୍ଲାପାଳ, ଏସ୍‌ପିମାନଙ୍କୁ ନିୟୋଜିତ କରାଯାଉ। ସନ୍ତୋଷ ସିଂହ ସାଲୁଜା କହିଥିଲେ, ରାଜ୍ୟରେ ୬୧,୨୦୪ବର୍ଗକିମି ଜଙ୍ଗଲ ଅଛି। କିନ୍ତୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି। ରେଞ୍ଜର, ଫରେଷ୍ଟର, ଡିଏଫ୍‌ଓ ଦୁର୍ନୀତି କରୁଛନ୍ତି, ଗଛ ଲଗାଉନାହାନ୍ତି। ବରଂ ଗଛ କାଟିବାକୁ ମାଫିଆଙ୍କୁ ସହଯୋଗ କରୁଛନ୍ତି। ଅନ୍ୟ ରାଜ୍ୟରେ ହେଲିକପ୍ଟରେ ନିଆଁ ଲିଭାଯାଇପାରୁଛି। ହେଲେ ଆମର ଏଠି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବୁଲିବାକୁ ହେଲିକପ୍ଟର ଅଛି କିନ୍ତୁ ହେଲିକପ୍ଟରରେ ପାଣି ଆଣି ଲିଭାଇବାକୁ ପଇସା ନାହିଁ। ସଂରକ୍ଷିତ ଜଙ୍ଗଲରେ ତ ମହୁଲ ଗଛ ନାହିଁ, ସେଠାରେ କାହିଁକି ନିଆଁ ଲାଗୁଛି।
ସରକାରୀ ଦଳ ପକ୍ଷରୁ ଦେବୀ ପ୍ରସାଦ ମିଶ୍ର ଯୁକ୍ତି ବାଢ଼ିଥିଲେ ଯେ ସରକାର ତତ୍ପରତାର ସହ ଜଙ୍ଗଲ ନିଆଁ ଲିଭାଉଛନ୍ତି। ରିମୋଟ୍ ସେନ୍ସର ସାହାଯ୍ୟରେ କେଉଁଠାରେ ନିଆଁ ଲାଗିଲେ ତୁରନ୍ତ ଜଣାପଡ଼ୁଛି। ୪୯ଟି ଡିଭିଜନରେ ନିଆଁ ଲିଭାଇବାକୁ ୫୧କୋଟି ଦିଆଯାଇଛି। ବିଧାୟକ ରାଜକିଶୋର ଦାସ, ମେନାହର ରାନ୍ଧାରୀ ଓ ରମେଶ ଚନ୍ଦ୍ର ସାଏ ଏହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର