ପରଲୋକରେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀ

ଭୁବନେଶ୍ବର : ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ଘଟିଛି। ସୋମବାର ସକାଳ ୭.୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। କିଛି ଦିନ ହେଲା ବାର୍ଦ୍ଧକ୍ୟ କାରଣରୁ ସେ ଶାରୀରିକ ଅସୁସ୍ଥତା ଭୋଗ କରୁଥିଲେ। ରବିବାର ରାତିରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆଜି ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ସୂର୍ଯ୍ୟନଗରସ୍ଥିତ ବାସଭବନରେ ପହଞ୍ଚିଥିଲେ। ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ ଦମୟନ୍ତୀ ମାଝୀ ଓ ଝିଅ ତଥା ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ତାଙ୍କ ମର ଶରୀରକୁ ମୟୂରଭଂଜ ଜିଲ୍ଲାର ତିରିଂ ବ୍ଲକ ଚାଙ୍ଗୁଆ ଗ୍ରାମକୁ ନିଆଯାଇଛି। ମଙ୍ଗଳବାର ବାରିପଦାରେ ତାଙ୍କ ଶେଷ ଦର୍ଶନ ପରେ ଜନ୍ମସ୍ଥାନ ଚାଙ୍ଗୁଆରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

୧୯୨୯ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ମାଝୀ ବିଏସ୍‌ସି ପାସ୍ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଓ ଶେଷରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ସାମିଲ ହୋଇଥିଲେ। ୧୯୭୧ ମସିହାରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କଂଗ୍ରେସ ଦଳରୁ ସେ ୧୯୭୨ ମସିହାରେ ରାଜ୍ୟସଭାକୁ ଯାଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀ ମଣ୍ତଳରେ ସେ ପେଟ୍ରୋଲିୟମ୍ ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୨ରୁ ୧୯୭୮ ପର୍ଯ୍ୟନ୍ତ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିଲେ। ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ସେ ଓଡ଼ିଶା ପବ୍ଲିକ୍ ସଭିର୍ସ କମିସନର୍‌ ସଦସ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପରେ ସେ ବିଜୁ ପଟ୍ଟନାୟକଙ୍କ ଡାକରାରେ ଜନତା ଦଳରେ ମିଶିଥିଲେ ଓ ମୟୂରଭଂଜ ବାଙ୍ଗିରିପୋଷି ନିର୍ବାଚନ ମଣ୍ତଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ତଳରେ ଉଚ୍ଚଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେହିଭଳି ୨୦୦୬ରେ ସେ ପୁଣି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ତଳରେ ସାମିଲ ହୋଇ ୨୦୦୯ ମସିହା ପର୍ଯ୍ୟନ୍ତ କାମ କରିଥିଲେ। ସେ ଆଦିବାସୀ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ। ପୁସ୍ତକଗୁଡ଼ିକ ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଥିଲା। ଆଦିବାସୀଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନ ଅତୁଳନୀୟ ଥିଲା। ବାର୍ଦ୍ଧକ୍ୟ ହେତୁ ସେ ରାଜନୀତିରୁ ସନ୍ୟାସ ନେଇଥିଲେ ବି ଆଦିବାସୀମାନଙ୍କ ପାଇଁ କାମ କରି ଚାଲିଥିଲେ।

ସମ୍ବନ୍ଧିତ ଖବର