ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ଅନୁଗୁଳ : ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ପାଖାପାଖି ଦୁଇ ସପ୍ତାହ ହେଲା ସେ ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ଣରେ ଅନୁଗୁଳ ସହର ଉପକଣ୍ଠ କରାଡ଼ାଗାଡ଼ିଆ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସ୍ବର୍ଗତ ସାହୁ ଉତ୍କଳ କଂଗ୍ରେସ ଟିକଟରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ୧୯୭୧ରେ ନିର୍ବାଚିତ ହୋଇଥିଲେ। ସେ ୧୯୭୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ଏହି ସମୟରେ ସେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶାସନ କ୍ଷମତାରେ ଥିବା ସମୟରେ ସେ ଅନୁଗୁଳର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇ ଲୋକପ୍ରିୟ ହୋଇପାରିଥିଲେ। ଜଣେ ନିଷ୍ଠାପର, ସଚ୍ଚୋଟ ତଥା ପରୋପକାରୀ ବ୍ୟକ୍ତି ଭାବେ ସେ ଅନୁଗୁଳରେ ପରିଚିତ ଥିଲେ। ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ସମାଜସେବା ସହ ଜଡ଼ିତ ଥିଲେ। ଅନୁଗୁଳ ଖଲାରୀସ୍ଥିତ ବାସଭବନରେ ସେ ନିଜ ଶେଷ ସମୟ କାଟିଥିଲେ। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ଅପରାହ୍ଣରେ ଭୁବନେଶ୍ବରରୁ ପାର୍ଥିବ ଶରୀର ଖଲାରୀସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଏକ ମାତ୍ର ପୁତ୍ର ଦିଲୀପ ସାହୁ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର