ଚାକିରି କରାଇ ଦେବାକୁ କହି ୧.୪୭ କୋଟିର ଠକେଇ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଗିରଫ

ବାଲେଶ୍ବର/ ଭୁବନେଶ୍ବର : ପୁଲିସ ଚାକିରି ଦେବାକୁ କହି ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଶନିବାର ଦିନ ଜୟନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ଘର ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ବର ନିକଟ ଡୁମୁଇପୁର ଗାଁରେ। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଜାମିନ୍ ଖାରଜ ହୋଇଯିବା ପରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି।

କ୍ରାଇମ ବ୍ରାଞ୍ଚଠାରୁ ଯାହା ସୂଚନା ମିଳିଛି, ବାଦଲ କୁମାର ରାଉଳଙ୍କ ସମେତ ୩୭ ଜଣ ଆଶାୟୀ ପ୍ରାର୍ଥୀ ଅଭିଯୁକ୍ତ ଜୟନ୍ତ କୁମାର ମହାନ୍ତି, ବୈକୁଣ୍ଠନାଥ ନାୟକ, ଭୀମସେନ ମହାରଣା ପ୍ରମୁଖଙ୍କ ନାଁରେ ଏହି ଅଭିଯୋଗ ଆଣିଥିଲେ। ଅଭିଯୁକ୍ତମାନେ ନିଜକୁ ଗୃହ ବିଭାଗ ବିଭିନ୍ନ ବରିଷ୍ଠ ପଦାଧିକାରୀ ବୋଲି ପରିଚୟ ଦେଉଥିଲେ। ନକଲି କାଗଜପତ୍ର ସହ ନକଲି ପରିଚୟ ପତ୍ର ଦେଖାଇ ଆଶାୟୀଙ୍କ ମନରେ ଆଶା ସଞ୍ଚାର କରୁଥିଲେ। ଅଭିଯୋଗ ଥିଲା, ୨୦୧୩ ମସିହାରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ ପକ୍ଷରୁ ଏସ୍‌ଆଇ, ସରଜେଣ୍ଟ ଓ ଡେପୁଟି ସୁବେଦାର ପାଇଁ ପଦବି ବାହାରିଥିଲା। ଆଶାୟୀଙ୍କ ସମେତ ଅନେକ ପରୀକ୍ଷା ଦେଇଥିଲେ। ଯାହାର ଫଳାଫଳ ୨୦୧୬ ମସିହାରେ ବାହାରି ସାରିଥିଲା। କିନ୍ତୁ ଅଭିଯୁକ୍ତମାନେ ଆଶାୟୀ ପ୍ରାର୍ଥୀମାନଙ୍କୁ କହିଥିଲେ, ଦ୍ବିତୀୟ ଫଳାଫଳ ପ୍ରକାଶ ପାଇବ। ଟଙ୍କା ଦେଲେ ସେମାନଙ୍କ ନାଁ ମେରଟି୍ ଲିଷ୍ଟକୁ ଆସି ପାରିବ। ଏହି ବାବଦରେ ପ୍ରତ୍ୟେକ ଆଶାୟୀଙ୍କଠାରୁ ଅଭିଯୁକ୍ତମାନେ ୫ରୁ ୬ ଲକ୍ଷ ଟଙ୍କା ନେଇଥି‌ଲେ। କିନ୍ତୁ ୨୦୨୦ ମସିହା ପରଠାରୁ ଆଉ ଅଭିଯୁକ୍ତମାନଙ୍କ ଦେଖା ଛୁଆଁ ମିଳି ନ ଥିଲା। ଏ ନେଇ ଆଶାୟୀ ପ୍ରାର୍ଥୀମାନେ ଅର୍ଥନୈତିକ ଶାଖାରେ ୩ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅର୍ଥନୈତିକ ଶାଖା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବୈକୁଣ୍ଠଙ୍କ ଘରେ ଚଢ଼ଉ କରି ଅର୍ଥନୈତିକ ଶାଖା ୧୨ଟି ଏଟିଏମ୍ , ନକଲି ପରିଚୟ ପତ୍ର, ଜବତ କରିଥିଲା। ତାର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରିଛି ଅର୍ଥନୈତିକ ଶାଖା । ମାମଲା ରୁଜୁ ହେବା ପରେ ୩ ଜଣ ଫେରାର ହୋଇ ଯାଇଥିଲେ। ଆଜି ବିଶେଷସୂତ୍ରରୁ ଖବର ପାଇ ଅର୍ଥନୈତିକ ଶାଖା ଜୟନ୍ତଙ୍କୁ ରାଜ୍ୟ ବାହାରୁ ଗିରଫ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା ପୂର୍ବରୁ ଗିରଫ ହୋଇ ସାରିଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ ଏସପି କହିଛନ୍ତି।

ଅନ୍ୟପକ୍ଷରେ ଜୟନ୍ତଙ୍କୁ କ୍ରାଇମ ବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିବା ପରେ ଭୋଗରାଇ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚା। ଜୟନ୍ତ ପୂର୍ବରୁ ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଗାଡ଼ିରେ ଡ୍ରାଇଭର ଭାବେ କାମ କରୁଥିଲେ। ଏହି ସମୟରେ ସେ ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ, ଯୁବତୀଙ୍କଠାରୁ ସରକାରୀ ଚାକିରି କରାଇଦେବା, ବଦଳି ଓ ପ‌ଦନ୍ନୋତି କରାଇ ଦେବାକୁ କହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ପରେ ଏହି ଅର୍ଥକୁ ଆତ୍ମସାତ୍‌ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତାଙ୍କ ପଛରେ ରାଜନୈତିକ ନେତାଙ୍କ ହାତ ଥିବା କହି ଫାଙ୍କି ବୁଲୁଥିଲେ। ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ପ୍ରଥମେ ଭୋଗରାଇ ଥାନା ଏବଂ ପରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ଜୟନ୍ତ ଗିରଫ ହେବା ପରେ ପରେ ତାଙ୍କ ପଛରେ କେଉଁମାନଙ୍କର ହାତ ରହିଥିଲା, ତାର ଠକେଇ ସହିତ ଆଉ କିଏ କିଏ ସମ୍ପୃକ୍ତ ତାର ଖୋଳତାଡ଼ କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର