ସ୍ବାସ୍ଥ୍ୟ ସଚିବଙ୍କୁ ପତ୍ର ଲେଖିଲେ ପୂର୍ବତନ ସାଂସଦ ସରୋଜିନୀ

ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଡାଏଲିସିସ ପଜିଟିଭ ମେସିନ ଲଗାଯାଇ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ଏ ବିଷୟରେ ଅବଗତ କରାଇବା ସହିତ ତୁରନ୍ତ ଡାଏଲିସିସ ପଜିଟିଭ ମେସିନ ପି.ଆର.ଏମ. ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀମତୀ ହେମ୍ବ୍ରମ ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ମୟୁରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଗରିବ ଡାଏବେଟିସ ରୋଗୀମାନେ ସରକାରଙ୍କର ବ୍ୟବସ୍ଥାର ସୁଫଳ ପାଇ ପାରୁ ନାହାନ୍ତି।

ଏହାର ମୁଖ୍ୟ କାରଣ ଡାଏଲିସିସ ପଜିଟିଭ ମେସିନ ପି.ଆର.ଏମ. ମେଡିକାଲ କଲେଜରେ ନ ଥିବାରୁ ଗରୀବ ରୋଗୀମାନେ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ସେମାନଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ନ ପାରି ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଡାଏଲିସିସ ପଜିଟିଭ ମେସିନ ପି.ଆର.ଏମ. ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଗାଇଲେ ମୟୂରଭଞ୍ଜ ଜିଲ୍ଲାର ଗରୀବ ଆଦିବାସୀ ଜନସାଧାରଣଙ୍କ ସମେତ ଜିଲ୍ଲାବାସୀ ନିଶ୍ଚିତ ରୂପେ ଉପକୃତ ହେବେ । ବର୍ତମାନ ସଂଖ୍ୟାଧିକ ଲୋକମାନେ ଡାଏବେଟିସରେ ପିଡିତ ହୋଇ ଡାଏଲିସିସ କରୁଥିବାର ଦେଖିବାକୁ ମିଳିଛି ବୋଲି ଶ୍ରୀମତୀ ହେମ୍ବ୍ରମ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର