ଡକାୟତି ମାମଲାରେ ୪ ଗିରଫ; ବାଇକ୍‌, ମୋବାଇଲ ଜବତ

ସୁକିନ୍ଦା : ଗତ ମାର୍ଚ୍ଚ ମାସରେ ଘଟିଥିବା ଏକ ଡକାୟତି ମାମଲାରେ ସୁକିନ୍ଦା ପୁଲିସ ସ˚ପୃକ୍ତ ୪ଜଣ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ଚୋରି ମୋବାଇଲ ଓ ଡକାୟତିରେ ବ୍ୟବହୃତ ଏକ ବାଇକ୍‌କୁ ପୁଲିସ ଜବତ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଦସିପୁର ଗ୍ରାମର ମୁନା ପ୍ରଧାନ ଓ ସୁଶାନ୍ତ ବାରିକ, ଭୁବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମର ରାଜୁ ପ୍ରଧାନ ଓ ତାର ସାନଭାଇ ନୀଳକଣ୍ଠପୁର ଠାରେ ରହୁଥିବା ବିଜୁ ପ୍ରଧାନ। ଶନିବାର ଦିିନ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁକିନ୍ଦା ଆଇଆଇସି ଶିବ ଚରଣ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୧୨ ତାରିଖ ରାତିରେ ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ତା ଗ୍ରାମର ବଲ୍ଲଭ ରାଉତଙ୍କ ଘରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଡକାୟତି କରିଥିଲେ। ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ସହିତ ଏକ ଦାମୀ ମୋବାଇଲ ଫୋନ୍‌ ନେଇ ଯାଇଥିଲେ। ପରଦିନ ସୁକିନ୍ଦା ଥାନାରେ ଏ ସ˚ପର୍କରେ ଗୃହମାଲିକ ବଲ୍ଲଭ ରାଉତ ଅଭିଯୋଗ କରିଥିଲେ। ସୁକିନ୍ଦା ଥାନା କେସ୍‌ ନମ୍ବର ୫୯/୨୧ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଏକ ଟିମ୍‌ ପର୍ଜଙ୍ଗ ଥାନା ଅନ୍ତର୍ଗତ ଦସିପୁର ଗ୍ରାମରେ ଚଢ଼ଉ କରି ନବ ପ୍ରଧାନଙ୍କ ପୁଅ ମୁନାକୁ ଗତ ୨୫ ତାରିଖରେ ଗିରଫ କରିଥିଲେ। ଅଭିଯୁକ୍ତ ମୁନାକୁ ପଚରାଉଚରା କରାଯିବା ପରେ ସେ ଡକାୟତି କରିଥିବା ସ୍ବୀକାର କରିଥିଲା। ଅଭିଯୁକ୍ତ ମୁନାର ସୂଚନା ଆଧାରରେ ପୁଲିସ ଭୂବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମ ଲକ୍ଷ୍ମଣ ପ୍ରଧାନଙ୍କ ପୁଅ ରାଜୁ ଓ ସାନପୁଅ ବିଜୁକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିଲା। ସେମାନଙ୍କ ଠାରୁ ଚୋରି ମୋବାଇଲ ଫୋନ୍‌ କିଣିଥିବା ପର୍ଜଙ୍ଗ ଦସିପୁର ଅଞ୍ଚଳର ସୁଶାନ୍ତକୁ ମଧୢ ଗିରଫ କରାଯାଇଥିଲା।

ଅଭିଯୁକ୍ତଙ୍କ ସୂଚନା ମୁତାବକ, ଅଭିଯୁକ୍ତ ମୁନା ମାର୍ଚ୍ଚ ମାସ ୧୧ ତାରିଖରେ ନୂଆଗାଁ ଆସି ରାଜୁ ଘରେ ରହିଥିଲା। ସେହିଠାରେ ଡକାୟତି ପାଇଁ ଯୋଜନା କରାଯାଇଥିଲା। ପରଦିନ ୧୨ ତାରିଖ ବିଳମ୍ବିତ ରାତିରେ ମୁନା, ରାଜୁ ଓ ବିଜୁ ଏକ ବାଇକ୍‌ରେ ଆସି ଏହି ଥାନା ଅନ୍ତର୍ଗତ ବାଉଁଶକୋଣ ଢାବା ଛକରେ ପହଞ୍ଚିଥିଲେ। ସେଠାରେ ବାଇକ୍‌ ରଖି ବିଲ ମଧ୍ୟରେ ଚାଲିଚାଲି ଯାଇ ବୋତଲଣ୍ତା ଗ୍ରାମର ୩ଟି ଘରେ ପଶିଥିଲେ। ସେଠାରୁ କିଛି ନପାଇବାରୁ ପରେ ଗାଁ ବାହାରେ ଥିବା ବଲ୍ଲଭ ରାଉତଙ୍କ ଛାତ ଉପରକୁ ଉଠି ପାହାଚ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଘର ଭିତରେ ଲୁଟ୍‌ପାଟ କରିବା ସହ ସୁନା ଗହଣା, ମୋବାଇଲ ଫୋନ ଓ ଏକ ଆଟାଚି ଭାଙ୍ଗି ୧୦,୫୦୦ ଟଙ୍କା ନେଇଯାଇଥିଲେ। ଚୋରି ମୋବାଇଲ ଫୋନ୍‌କୁ ଦସିପୁର ଗ୍ରାମର ସୁଶାନ୍ତକୁ ବିକ୍ରି କରିଥିବା ବେଳେ ସୁନା ଗହଣାକୁ କେନ୍ଦ୍ରାପଡ଼ା ଅଞ୍ଚଳରେ ବିକ୍ରି କରିଥିଲେ ବୋଲି ପୁଲିସ ଗିରଫ ନିକଟରେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର