ବାଦଲଦେଇର ୪ ଆଦିବାସୀ ପରିବାରଙ୍କୁ ଜମି ଆବଣ୍ଟନରେ ପ୍ରତାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଦଲଦେଇ ଗ୍ରାମରେ ୪ ଜଣ ଆଦିବାସୀଙ୍କୁ ସରକାରଙ୍କ ତରଫରୁ ଚାଷ କରିବା ନିମନ୍ତେ ୧୯୯୮ରେ ପ୍ରାୟ ୨ ଏକର ଜମି ପଟ୍ଟା ମିଳିଥିଲା। ପରେ ୨୦୦୭ରେ ସେମାନଙ୍କ ନାମରେ ସରକାରୀ ଜମି ନଥିବା ଜାଣିବାକୁ ପାଇଥିଲେ। ଏନେଇ ଆଦିବାସୀ ପରିବାର ଆରଡିସିଙ୍କଠାରୁ ଆରମ୍ଭ କରି ନ୍ୟାୟାଳୟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଥିଲେ। ସମସ୍ତ ନିର୍ଦ୍ଦେଶ ସତ୍ତ୍ବେ ଦୀର୍ଘ ୧୬ ବର୍ଷ ଧରି ସେମାନଙ୍କ ଜମି ଫେରି ପାଇଲେ ନାହିଁ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହେବା ପରେ ତାଙ୍କ ହସ୍ତକ୍ଷେପ ଫଳରେ ପୁଣି ସରକାରୀ ଜମି ଫେରି ପାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଦଲଦେଇ ମୈାଜାର ନିରନ ମାଝୀ, ପିତା–ମଧୁ ମାଝୀ ଖତିୟାନ ନମ୍ବର ୨୬୬/୨୨୮, ପ୍ଲଟ ନମ୍ବର ୧୨୬୪/୧୭୬୪ରେ ୮୪ ଡିସିମିଲ, ପ୍ଲଟ ନମ୍ବର ୧୨୬୫/୧୭୬୫ରେ ୧ ଏକର ୧୬ ଡିସିମିଲ ସମେତ ୨ ଏକର ଜମି, ହିରନ ମାଝୀ, ପିତା–ବୀର ମାଝୀ ଖତିୟାନ ନମ୍ବର ୨୬୬/୨୨୭, ପ୍ଲଟ ନମ୍ବର ୧୨୬୬/୧୭୬୧ରେ ୪୦ ଡିସିମିଲ, ପ୍ଲଟ ନମ୍ବର ୧୨୬୭/୧୭୬୨ରେ ୬୫ ଡିସିମିଲ, ପ୍ଲଟ ନମ୍ବର ୧୨୬୮/୧୭୬୩ରେ ୩୬ ଡିସିମିଲ ସମେତ ୧ ଏକର ୪୧ ଡିସିମିଲ, କୁନ୍ଦ ମାଝୀ ସ୍ବାମୀ ଲମ୍ବୋଧର ମାଝୀ ଖତିୟାନ ନମ୍ବର ୨୬୬/୨୨୯ ପ୍ଲଟ ନମ୍ବର ୧୨୬୫ରେ ୧ ଏକର ୩୨ ଡିସିମିଲ, ପ୍ଲଟ ନମ୍ବର ୧୨୬୭ରେ ୩୫ ଡିସିମିଲ, ପ୍ଲଟ ନମ୍ବର ୧୨୬୮/ ୧୭୬୬ରେ ୩୩ ଡିସିମିଲ ସମେତ ୨ ଏକର ଜମି ଓ ଲମେ ମାଝୀ ପିତା ବୀର ମାଝୀ ଖତିୟାନ କ୍ରମିକ ନମ୍ବର ୨୬୬/୨୩୦ ପ୍ଲଟ ନମ୍ବର ୧୨୬୬ରେ ୭୫ ଡିସିମିଲ, ପ୍ଲଟ ନମ୍ବର ୧୨୬୮/୧୭୬୭ରେ ୬୫ ଡିସିମିଲ ସମେତ ୧ ଏକର ୪୦ ଡିସିମିଲ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ୨ ଏକର ଲେଖାଏଁ ଚାଷ ଜମି ଦେଇ ୧୯୯୮ ଡିସେମ୍ବର ୧୬ ତାରିଖରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ୨୦୦୧ରେ ନୂତନ ବନ୍ଦୋବସ୍ତ ସମୟରେ ସେମାନଙ୍କ ସଚେତନ ଅଭାବ ଯୋଗୁଁ ଦରଖାସ୍ତ ଆବେଦନ କରିପାରି ନଥିଲେ। ସେଥିଯୋଗୁଁ ସେମାନେ ପାଇଥିବା ଜମିକୁ ସରକାର ତାଙ୍କ ସରକାରୀ ଖାତା ରଖିତକୁ ନେଇ ଯାଇଥିଲେ।

୧୬ବର୍ଷ ପରେ ସରକାରୀ ଜମି ଫେରିପାଇଲେ ଆଦିବାସୀ
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆଦିବାସୀମାନେ ହକ୍‌ ପାଇଲେ

ସେମାନେ ଜାଣିବା ପରେ ବନ୍ଦୋବସ୍ତ ପଟ୍ଟା ନିମନ୍ତେ ବ୍ରହ୍ମପୁର ଅତିରିକ୍ତ କମିସନରଙ୍କ ନିକଟରେ କେସ ଦାୟର କରିଥିଲେ। କେସ ନମ୍ବର ୩୨୭/୦୭, ୩୨୮/୦୭, ୩୨୯/୦୭ ଓ ୩୦୩୧/୦୭ରେ ୧୫ (ବି) ଓଏସ ଏଣ୍ଡ ଏସ ଆକ୍ଟ ୧୯୯୮ ଅନୁଯାୟୀ ବ୍ରହ୍ମପୁର ଅତିରକ୍ତ କମିସନର ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା ନିମନ୍ତେ ଜୁନାଗଡ଼ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ନିଜ ନାମରେ ପଟ୍ଟା ପାଇବା ନିମନ୍ତେ ଜୁନାଗଡ ତହସିଲଦାରଙ୍କ ଅଦାଲତରେ ବାରମ୍ବର ଦରଖାସ୍ତ କରି ବିଫଳ ହୋଇଥିଲେ। ପରେ ଆଇନଜୀବୀ ଅଶୋକ ପାତ୍ରଙ୍କୁ ଯୋଗାଯୋଗ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଏସଆରପି ଅଦାଲତରେ ଦରଖାସ୍ତ ଆବେଦନ କରିଥିଲେ। କିନ୍ତୁ ଏନେଇ ମଧ୍ୟ କୈାଣସି ବିଚାର ହୋଇ ନଥିଲା। ଫଳରେ ଆଦିବାସୀଙ୍କ ଦୀର୍ଘ ଦିନ ଲଢେଇ ପରେ ମଧ୍ୟ ସେମାନଙ୍କ ହକ ପାଇ ପାରି ନଥିଲେ।

ପରେ ଗତ ଡିସେମ୍ବର ୨୦୨୨ରେ ଜୁନାଗଡ଼ ବ୍ଲକରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବର ଅନୁଷ୍ଠିତ ହୋଇଥିଲା। ଏଥିରେ ଦରଖାସ୍ତ ନମ୍ବର ୧୨୧୨୨୨୦୦୮୭ରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମାମଲାର ଗୁରୁତ୍ବକୁ ବୁଝି ହସ୍ତକ୍ଷେପ କରିଥିଲେ। ତୁରନ୍ତ ସେମାନଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ଜୁନାଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜୁନାଗଡ଼ ତହସିଲ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୁଣି ଆଇନଜୀବୀ ଅଶୋକ ପାତ୍ରଙ୍କ ଦ୍ବାରା ଆଦିବାସୀମାନଙ୍କ ପକ୍ଷରୁ ପଟ୍ଟା ପାଇବା ନିମନ୍ତେ ଜୁନାଗଡ଼ ତହସିଲ କେସ ନମ୍ବର ୨୧୭/୨୦୨୨, ୨୧୮/୨୦୨୨, ୨୧୯/୨୦୨୨ ଓ ୨୨୦/୨୦୨୨ରେ ଜୁନାଗଡ଼ ତହସିଲଦାରଙ୍କୁ ଆବେଦନ କରିଥିଲେ।

ଜିଲ୍ଲାପାଳ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ୧୬ବର୍ଷ ପରେ ୪ ଆଦିବାସୀ ପରିବାର ପୁଣି ସରକାରୀ ଜମି ପଟ୍ଟା ପାଇବାକୁ ସକ୍ଷମ ହୋଇଛନ୍ତି। ଏହି ଜମିରେ ସେମାନେ ପନିପରିବା ଚାଷ କରି ଆସୁଛନ୍ତି। ଦୀର୍ଘ ୧୬ ବର୍ଷ ଧରି ଆଦିବାସୀ ପରିବାରଙ୍କ ପ୍ରତି ଅନ୍ୟାୟର ଉତ୍ତରଦାୟୀ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିଭଳି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ତହସିଲରେ ବର୍ଷ ବର୍ଷ ଧରି ଅଭିଯୋଗ ଗୁଡିକର କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଯୋଗୁଁ ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଅପେକ୍ଷା କରି ରହୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବହୁ ଏସଆରପି କେସ ବର୍ଷ ବର୍ଷ ଧରି ପଡି ରହିଛି। କଳାହାଣ୍ଡି ଜିଲ୍ଲାପାଳ ଏନେଇ ତୁରନ୍ତ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର