କରୋନା କାଳରେ ଟ୍ୟୁସନ ଶିକ୍ଷା ନାଁରେ ଜାଲିଆତି: ୧୧୫ ଶିକ୍ଷକ ନିଯୁକ୍ତି ଦେଇ ଠକିନେଲେ ୪୪ଲକ୍ଷ

ରା.ଉଦୟଗିରି : କରୋନା କାଳରେ ଟ୍ୟୁସନ୍‌ ଶିକ୍ଷା ନାଁରେ ଏକ ବଡ଼ଧରଣର ଜାଲିଆତି ସାମ୍‌ନାକୁ ଆସିଛି। ୧୧୫ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ସେମାନଙ୍କଠାରୁ ୪୪ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି। ଗଜପତି ଜିଲ୍ଲା ସମେତ ସାରାଓଡ଼ିଶାରେ ଏଭଳି ଠକେଇ ହୋଇଥିବା ଜଣାପଡ଼ିଛି।

କରୋନା କାଳରେ ବଢୁଥିବା ବେକାରୀ ସମସ୍ୟାର ସୁଯୋଗ ନେଇ ପ୍ରଥମେ ଶିକ୍ଷକ ନିଯୁକ୍ତିର ପ୍ରଲୋଭନ ଦେଖାଯାଇଥିଲା। ପ୍ରତ୍ୟେକ ଶିକ୍ଷକ ୧୦ ଜଣ ପିଲାଙ୍କୁ ନିଜଘରେ ଟ୍ୟୁସନ କରିବେ। ଗୋଟିଏ ୱାର୍ଡ଼ରେ ସର୍ବାଧିକ ୨ ଶିକ୍ଷକ କାମ କରିପାରିବେ। ପିଲାମାନେ ମାଗଣାରେ ପଢ଼ିବେ ଆଉ ଶିକ୍ଷକମାନେ ଏ ବାବଦକୁ ପାଇବେ ମାସିକ ୩,୫୦୦ ରୁ ୪,୫୦୦ ଟଙ୍କା। ଏଥିପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ରଖାଯାଇ ନଥିଲା। ନିଯୁକ୍ତି କେବଳ ଆଦିବାସୀ ଓ ହରିଜନ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଉଲ୍ଲେଖ ଥିଲେ ମଧ୍ୟ ସାଧାରଣବର୍ଗଙ୍କୁ ନିଯୁକ୍ତି ମିଳିଥିଲା। ଏମାନଙ୍କୁ ନିୟନ୍ତ୍ରଣ କରୁଥିବା କ୍ଷେତ୍ର ଅଧିକାରୀମାନଙ୍କ ଦରମା ମାସକୁ ୧୨,୫୦୦ ଟଙ୍କା। ଗସ୍ତ, ପେଟ୍ରୋଲ ଖର୍ଚ୍ଚ, ଖାଇବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ ରହିଥିଲା। ତେବେ; ନିଯୁକ୍ତି ପୂର୍ବରୁ ଶିକ୍ଷକ ଓ କ୍ଷେତ୍ର ଅଧିକାରୀ ପ୍ରତ୍ୟେକଙ୍କୁ ୧୫୫୦ ଟଙ୍କା ଲେଖାଏଁ ଜମା କରି ବାକୁ ପଡ଼ିବ ବୋଲି କୁହାଯାଇଥିଲା।

ଗଜପତିର ରା.ଉଦୟଗିରି ବ୍ଲକ୍‌ରେ ୬୦୦ ଶିକ୍ଷକଙ୍କ ସହ ୧୭ଜଣ କ୍ଷେତ୍ର ଅଧିକାରୀ, ମୋହନା ବ୍ଲକରେ ୭୮୦ଶିକ୍ଷକଙ୍କ ସମେତ ୩୬ଜଣ କ୍ଷେତ୍ର ଅଧିକାରୀ, ଗୁମ୍ମା ବ୍ଲକରେ ୩୨୯ ଶିକ୍ଷକଙ୍କ ସହ ୨୦ଜଣ କ୍ଷେତ୍ର ଅଧିକାରୀ, ରାୟଗଡ଼ ବ୍ଲକ୍‌ରେ ୪୮୩ ଶିକ୍ଷକଙ୍କ ସମେତ ୨୦ଜଣ କ୍ଷେତ୍ର ଅଧିକାରୀ, ନୂଆଗଡ଼ ବ୍ଲକ୍‌ରେ ୪୧୫ଜଣ ଶିକ୍ଷକଙ୍କ ସହ ୧୮ଜଣ କ୍ଷେତ୍ର ଅଧିକାରୀ, କାଶୀନଗର ବ୍ଲକ୍‌ରେ ୧୨ଜଣ କ୍ଷେତ୍ର ଅଧିକାରୀ ଓ ଗୋଷାଣୀ ବ୍ଲକ୍‌ରେ ୧୬ଜଣ କ୍ଷେତ୍ର ଅଧିକାରୀଙ୍କ ସମେତ ୧୧୫ଜଣ ଶିକ୍ଷକଙ୍କୁ ସଂସ୍ଥା ନିଯୁକ୍ତି ଦେଇଥିଲା। ସେମାନେ ପ୍ରତ୍ୟେକେ ୧୫୫୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨,୮୬୧ ଜଣ ଶିକ୍ଷକ ୪୪ ଲକ୍ଷ ୩୬ ହଜାର ଟଙ୍କା ସ୍ୱାମୀ ବିବେକାନନ୍ଦ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍‌ ନାମରେ ଭୁବନେଶ୍ୱରସ୍ଥିତ ଅଶୋକନଗର ଇଣ୍ଡିଆନ୍‌ ବ୍ୟାଙ୍କ ଆକାଉଣ୍ଟ୍‌ ନଂ-୬୯୩୬୫୪୧୨୮୪ରେ ଜମା କରିଥିଲେ। ହେଲେ, ତିନିମାସ ଖଟାଇବା ପରେ ମାସିକ ଟଙ୍କା ନ ମିଳିବାରୁ ଏହି ଶିକ୍ଷକମାନେ ଟ୍ୟୁସନ୍‌ ବନ୍ଦ କରିଦେଲେ। ଦରମା ତ ମିଳିଲାନି, ଅନୁସନ୍ଧାନ କରିବା ବେଳକୁ ଟଙ୍କା ଜମା କରାଯାଇଥିବା ନିଯୁକ୍ତିଦାତା ସଂସ୍ଥାର ଠିକଣା ମଧ୍ୟ ନକଲି ଥିବା ଜଣାପଡ଼ିଲା। ଫୋନ୍‌ କଲେ କୌଣସି ଉତ୍ତର ମିଳିଲାନି। ଦରମା ଆଶା ଛାଡ଼ି ବର୍ତ୍ତମାନ ନିଜ ଜମା ଟଙ୍କା ଫେରି ପାଇବା ପାଇଁ ସଭିଏଁ ‌ଅପେକ୍ଷା କରିଛନ୍ତି।

ବର୍ତ୍ତମାନ, ରା.ଉଦୟଗିରି ବ୍ଲକ୍‌ର ଶିକ୍ଷକମାନେ ସେମାନଙ୍କ ନିଯୁକ୍ତିରେ ମାଧ୍ୟମ ସାଜିଥିବା କ୍ଷେତ୍ର ଅଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି କରୁଛନ୍ତି। ନଚେତ, ପୁଲିସର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏପରିସ୍ଥଳେ ଜିଲ୍ଲା ସାଇବର୍‌ ସେଲ୍‌ ଠକେଇର ମାଷ୍ଟଣ୍‌ମାଇଣ୍ଡ୍‌ ଓ ବ୍ୟକ୍ତିଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷକମାନ‌େ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର