୧୦୪ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ବିଛନ୍ଦଚରଣ ଆଉ ନାହାନ୍ତି

କଣିହାଁ : ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ନାୟକ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିପ୍ଳବୀ ପବିତ୍ରମୋହନ ପ୍ରଧାନଙ୍କ ସହକର୍ମୀ ବିଛନ୍ଦଚରଣ ପ୍ରଧାନଙ୍କର ଆଜି ପରଲୋକ ଘଟିଛି। ୧୦୪ ବର୍ଷ ବୟସରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ କଂସମୁଣ୍ଡା ବାସଭବନରେ ଅପରାହ୍ଣ ସାଢ଼େ ୪ଟାବେଳେ ସେ ଶେଷନିଃଶ୍ବାସ ତ୍ୟାଗକରିଛନ୍ତି। ପ୍ରାୟ ୧୦ ଦିନହେଲା ସେ ସାମାନ୍ୟ ଅସୁସ୍ଥ ଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ‌ହେବ ବୋଲି ଜଣାପଡ଼ିଛି।

୧୯୧୮ ଫେବ୍ରୁଆରି ୨୦ ତାରିଖରେ ଜନ୍ମିତ ବିଛନ୍ଦଚରଣ ପ୍ରଜାମଣ୍ଡଳ ଆନ୍ଦୋଳନରେ ଝାସଦେଇ ଦୁଇଥର କାରବାସ ଭୋଗିଥିଲେ। ୧୯୩୪ ମସିହାରେ କଟକ ଜେଲ୍‌ରେ ୬ ମାସ ଓ ୧୯୪୫ ମସିହାରେ ତାଳଚେର ଜେଲ୍‌ରେ ୨ ବର୍ଷ ୨ ମାସ ୨୨ ଦିନ କାଟିଥିଲେ। ୧୯୪୫ରେ ସେ ଜେଲ୍‌ଭରୋ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଦେଶ ସ୍ବାଧୀନତା ଲାଭ ପରେ ଜଣେ ଜନନେତା ଭାବେ ତାଙ୍କର ସୁଖ୍ୟାତି ବଢ଼ିଥିଲା। ୧୯୬୦ରୁ ୧୯୬୭ ମସିହା ମଧ୍ୟରେ କଣିହାଁ ପଞ୍ଚାୟତ ସମିତିର ସେ ୩ ଥର ଅଧ୍ୟକ୍ଷ ଥିଲେ। ଜଣେ ବିଦ୍ୱାନ, ପରୋପକାରୀ ବ୍ୟକ୍ତି ଭାବେ ସେ ଜନପ୍ରିୟ ଥିଲେ। ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ଭାବେ ସେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଅନ୍ତିମ ଶଯ୍ୟା ନିକଟରେ ପୁଅ,ବୋହୂ, ଝିଅ, ଜ୍ବାଇଁ ନାତି, ନାତୁଣୀ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, କଣିହାଁ ବିଡିଓ ରମେଶ ଜେନା, ତହସିଲଦାର ପତିତପାବନ ଦେବତା, ଥାନାଧିକାରୀ ଆର୍‌.ଏନ୍‌. ପଟ୍ଟନାୟକ, ପୂର୍ବତନ ସାଂସଦ ରବିନାରାୟଣ ପାଣି, ବିଜେପି ନେତା କାଳନ୍ଦୀ ସାମଲ ପ୍ରମୁଖ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମ‌ବେଦନା ଜଣାଇଥିଲେ। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ମହେଶ ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ପୂର୍ବତନ ବିଧାୟକ ତଥା ଓଡ଼ିଶା କୃଷକ ସମାଜର ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା ସାହୁ, ଉପାଧ୍ୟକ୍ଷ ତ୍ରିପୁରାରି ପ୍ରଧାନ, ବିଜେପିନେତା ଅଶୋକ ମହାନ୍ତି, କଣିହାଁ ପ୍ରଜାମଣ୍ଡଳର ସମସ୍ତ ସଦସ୍ୟ ବାର୍ତ୍ତା ପଠାଇ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର