ବାପା-ମା’ଙ୍କ ମୃତ୍ୟୁ ପରେ ଦୁଇ ନାବାଳକଙ୍କ ଭବିଷ୍ୟତ ଅନ୍ଧାରରେ

ବାଲେଶ୍ୱର/ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧିନସ୍ଥ ଚମାରଗାଁ ପଞ୍ଚାୟତର ଭଣ୍ଡାର ପଲ୍ଲୀ ଗ୍ରାମର ଗୋଟିଏ ପରିବାରର ଦୁଇ ନାବାଳକଙ୍କ ବାପା ଓ ମା ଆଗପଛ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଛି। ଏହି ଦୁଇ ନାବାଳକଙ୍କୁ ସହାୟତା କରିବା ପାଇଁ ସରକାର ଆଗେଇ ଆସନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।

ବିବରଣୀ ରୁ ପ୍ରକାଶ ଯେ ଭଣ୍ଡାର ପଲ୍ଲୀ ଗାଁର ଉମେଶ ବିଶ୍ବାଳ। ଭୂମିହୀନ ଉମେଶ କିଡନୀ ରୋଗରେ ପୀଡିତ ହୋଇ ଗତ ୩ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ। ଉମେଶଙ୍କ ୩ ପୁଅ ଓ ଦୁଇ ଝିଅ ମଧ୍ୟରୁ ବଡ଼ ପୁଅ ଓ ଦୁଇ ଝିଅ ବିବାହିତ। ବଡ଼ପୁଅ ବିବାହ ପର ଠାରୁ ଭିନେ ହୋଇ ଚଳୁଛି। ବାକି ଦୁଇ ପୁଅ ନାବାଳକ।ତେବେ ଉମେଶଙ୍କ ମୃତ୍ୟୁ ପରେ ପତ୍ନୀ ରାଇମଣି(୪୫)ଙ୍କ ଉପରେ ଦୁଇ ନାବାଳକ ପୁଅର ଭରଣପୋଷଣ ଦାୟିତ୍ବ ରହିଥିଲା। ରାଇମଣି ମୁଲ ଲାଗି ଯାହା ରୋଜଗାର କରୁଥିଲେ ସେଥିରେ ଦୁଇ ପୁଅ ଓ ନିଜେ ବହୁ କଷ୍ଟରେ ଚଳୁଥିଲେ।

ତେବେ ଗତ ଶୁକ୍ରବାର ଦିନ ରାଇମଣି ପୋଖରୀକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯିବାରୁ ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି।ଆଉ ମା’ଙ୍କ ମୃତ୍ୟୁ ପରେ ଦୁଇ ନାବାଳକ ପୁଅ କୁହାଯାଉଥିବା କାଳିଆ(୧୪) ଓ ସନାତନ(୧୩)ଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି।ଚାଫଲା ସ୍କୁଲରେ କାଳିଆ ଓ ସନାତନ ପାଠ ପଢୁଥିବା ବେଳେ ସେମାନଙ୍କ ପାଠ ପଢାରେ ମଧ୍ୟ ଡୋରି ଲାଗିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସବୁଠାରୁ ବଡ଼କଥା ଏହି ଦୁଇ ନାବାଳକଙ୍କ ରହିବା ପାଇଁ ମଧ୍ୟ ଘର ନାହଁ।ଯେଉଁ ଘର ରହିଛି ତାହା ପୁଣି ଭଙ୍ଗା ଦଦରା। ଅତ୍ୟନ୍ତ ସଙ୍କିର୍ଣ୍ଣ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସେହି ଘରେ ରାଇମଣିଙ୍କ ବଡ଼ପୁଅ ସାଇବ(୨୩)ର ୪ ଜଣିଆ ପରିବାର ଓ ଦୁଇ ନାବାଳକ ଦୟନୀୟ ଅବସ୍ଥାରେ ରହୁଛନ୍ତି।ପୁଣି ରାଇମଣିଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ମଧ୍ୟ ଅର୍ଥାଭାବ ସବୁଠାରୁ ବଡ଼ ସମସ୍ୟା। ଏହି ଦୟନୀୟ ଅବସ୍ଥାରେ ଏହି ପରିବାରକୁ ଘରଡିହ ପଟ୍ଟା, ପକ୍କା ଘର ସହ ଦୁଇ ନାବାଳକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି। ଏନେଇ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ଆଇନ ର ପରିସୀମା ଭିତରେ ରାଇମଣିଙ୍କ ଦୁଇ ନାବାଳକ ପୁଅକୁ ଯାହା ସାହାଯ୍ୟ କରାଯାଇ ପାରିବ ତାହା କରାଯିବ।

ସମ୍ବନ୍ଧିତ ଖବର