ଜଗତସିଂହପୁର : ପାରାଦୀପ ସହ ଟିଟୋ ଲିଙ୍କ୍ ସମ୍ପର୍କରେ ଖୋଳତାଡ଼କୁ ଜୋରଦାର କରିଛି ଏସ୍ଟିଏଫ୍। ଗତକାଲି ପାରାଦୀପରୁ ଉଠାଇନେଇଥିବା ଦୁଇ ଯୁବକ ଦୀପକ ସ୍ୱାଇଁ ଓରଫ ଚଗଲା ଏବଂ ଆଲୋକ ମଲିକଙ୍କୁ ଆଜି ଗିରଫ କରାଯାଇଛି। ଏହି ଦୁଇ ଜଣଙ୍କୁ ଆଜି ଅପରାହ୍ନରେ କୁଜଙ୍ଗ କୋର୍ଟକୁ ଅଣାଯାଇଥିଲା। ସେଠାରେ ଜାମିନ ମଂଜୁର ନ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଚଗଲା ନାଁରେ ପାରାଦୀପ ଥାନାରେ ତିନୋଟି ମାମଲା ଥିବାବେଳେ ଆଲୋକ ନାଁରେ ୯ଟି ଗୁରୁତର ଅପରାଧ ମାମଲା ରହିଛି। ଏହି ଦୁଇ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ଗୁଳିକାଣ୍ଡ, ଡକାୟତୀ, ଦାଦାବଟି ଆଦାୟ ଭଳି ଗୁରୁତର ଅପରାଧ ରହିଛି। ପୂର୍ବରୁ ଗିରଫ ହୋଇଥିବା ଅପରାଧୀ ବାପୁ ପରିଡ଼ାଙ୍କର ଏହି ଦୁଇ ଜଣଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ଟିଏଫ୍ର ସୂଚନା ଅନୁଯାୟୀ, ପାରାଦୀପର ଠିକାଦାର ଜିତେନ୍ଦ୍ର ସ୍ୱାଇଁଙ୍କୁ, ବାପୁ ଟାର୍ଗେଟ କରିଥିଲେ। ଦାଦାବଟି ଦେବାକୁ ବାରମ୍ବାର ତାଙ୍କୁ ଧମକ ଦିଆଯାଉଥିଲେ ମଧ୍ୟ ଜିତେନ୍ଦ୍ର ଏହାକୁ ଖାତିର କରିନଥିଲେ। ଫଳରେ ବାପୁଙ୍କ ଇଙ୍ଗିତରେ ଏହି ଦୁଇ ଜଣ ଏକ ନିଛାଟିଆ ସ୍ଥାନରେ ଜିତେନ୍ଦ୍ରଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ। ଏ ନେଇ ଜିତେନ୍ଦ୍ର ଏସ୍ଟିଏଫ୍ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ବେଶ୍ ଗୁରୁତ୍ଵର ସହ ନେଇ ଏସ୍ଟିଏଫ୍ ତଦନ୍ତକୁ ଜୋର୍ଦାର୍ କରିଥିଲା। ତଦନ୍ତରୁ ବାପୁଙ୍କ ନାଁ ପଦାକୁ ଆସିଥିଲା। ପୂର୍ବରୁ ବାପୁଙ୍କୁ ଟିଟୋ ଲିଙ୍କ୍ରେ ଏସ୍ଟିଏଫ୍ ପଚରାଉଚରା କରିଥିଲା। ଏଣୁ ଜିତେନ୍ଦ୍ରଙ୍କ ଅଭିଯୋଗ ପରେ ଏସ୍ଟିଏଫ୍ ତୁରନ୍ତ ତାଙ୍କୁ ଉଠାଇ ଆଣିଥିଲା। ବାପୁଙ୍କୁ ଜେରା କରାଯିବା ପରେ ଦୀପକ ଓ ଆଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଫଳରେ ତାଙ୍କୁ ଗିରଫ କରାଯାଇଥିଲା।
ଦୀପକର ଟିଟୋ ସହ ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିଛି। ବିଶେଷ କରି ଗୋଆରେ କିଛି ଦିନ ପୂର୍ବେ ଟିଟୋ କରିଥିବା ବୈଠକରେ ପାରାଦୀପର ଜଣେ ଶ୍ରମିକ ନେତାଙ୍କ ସହ ଚଗଲା ସେଠାରେ ଉପସ୍ଥିତ ଥିଲା। ଏଣୁ ଏସ୍ଟିଏଫ୍ ବର୍ତ୍ତମାନ ଏହି ଗୋଆ ଲିଙ୍କ୍କୁ ଖୋଳତାଡ଼ କରି ଦୀପକକୁ ଉଠାଇଥିବା ଚର୍ଚ୍ଚା ଚାଲିଛି। ସ୍ଥାନୀୟ ବାଲିଝରା ଅଞ୍ଚଳର ଆଲୋକ ମଧ୍ୟ ପାରାଦୀପରେ ଟିଟୋ ସାମ୍ରାଜ୍ୟର ଦେଖାଶୁଣା କରୁଥିବା ପ୍ରମାଣ ମିଳିଛି। ପାରାଦୀପରୁ ଜଣକ ପରେ ଜଣେ ଟିଟୋ ସହଯୋଗୀ ଗିରଫ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏଠାରେ ଏକାଧିକ ଯୁବ ବ୍ୟବସାୟୀ ଟିଟୋ ଲିଙ୍କ୍ରେ ଥିବା ପ୍ରମାଣିତ ହୋଇଯାଇଛି। ଏଣୁ ଏସ୍ଟିଏଫ୍ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। କେବଳ ଦୀପକ ଓ ଆଲୋକ ନୁହନ୍ତି ପାରାଦୀପରେ ଏହିପରି ଏକାଧିକ ଯୁବକ ଟିଟୋ ଲିଙ୍କ୍ରେ ସମ୍ପୃକ୍ତ ଅଛନ୍ତି। ଯେଉଁମାନେ କେବଳ ଅଳ୍ପ କିଛି ଟଙ୍କା ଓ ମଉଜ ପାଇଁ ଏହିପରି ଗୁରୁତର ଅପରାଧ ଘଟାଇବାକୁ ପଛାନ୍ତି ନାହିଁ। ବିଶେଷ କରି ଟିଟୋକୁ ସହଯୋଗ କରୁଥିବା ଯୁବ ବ୍ୟବସାୟୀ ଓ ଶ୍ରମିକ ନେତାଙ୍କ ଛତ୍ରଛାୟା ତଳେ ରହି ଏହି ଯୁବକମାନେ କାହାକୁ ଖାତିର କରନ୍ତି ନାହିଁ। ଏଣୁ ଟିଟୋ ଲିଙ୍କ୍ ଖୋଳତାଡ଼ କରାଗଲେ କେବଳ ବାପୁ, ଆଲୋକ ଓ ଦୀପକ ନୁହନ୍ତି ଆହୁରି ଏକାଧିକ ବାହୁବଳି ନେତାଙ୍କ ମୁଖା ଖୋଲିଯିବ। ଯେଉଁମାନେ ବନ୍ଦର ମଧ୍ୟରେ ଟିଟୋର ନିଷିଦ୍ଧାଞ୍ଚଳରେ ଚୋରା କାରବାର, ଷ୍ଟିଭେଡିୟୋର ସଂସ୍ଥା ସମ୍ଭାଳିବା ସହ ବ୍ୟବସାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଦାଦାବଟି ଆଦାୟ କରୁଥିଲେ, ବର୍ତ୍ତମାନ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି।