୧୪ ଦିନରେ ୯ ଟଙ୍କା ବଢ଼ିଲାଣି ପେଟ୍ରୋଲ୍‌ ଦାମ୍

ଭୁବନେଶ୍ବର: ଦେଶରେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଶନିବାର ତୁଳନାରେ ରବିବାର କମ୍ପାନି ଗୁଡିକ ଲିଟର ପିଛା ପେଟ୍ରୋଲ ଦାମ୍‌ ୮୬ ପଇସା ଏବଂ ଡିଜେଲ ଦାମ୍‌ ୮୫ ପଇସା ବଢ଼ାଇଥିଲେ। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଦୀର୍ଘଦିନର ବ୍ୟବଧାନ ପରେ ୧୧୦ ଟଙ୍କା ଏବଂ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଥିଲା। ସୋମବାର ବି ତେଲ ଦର କମ୍ପାନି ଗୁଡ଼ିକ ବୃଦ୍ଧି ଘୋଷଣା କରିଛନ୍ତି। ରବିବାର ତୁଳନାରେ କମ୍ପାନି ଗୁଡ଼ିକ ପେଟ୍ରୋଲ ଲିଟର ପିଛା ୪୩ ପଇସା ଏବଂ ଡିଜେଲ ଲିଟର ପିଛା ୪୨ ପଇସା ବଢ଼ାଇଛନ୍ତି। ଗତମାସ ୨୨ ତାରିଖରୁ ପେଟ୍ରୋଲ, ଡିଜେଲ ଦର ଦର ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ ଦୁଇଦିନକୁ ଛାଡ଼ିଦେଲେ ଅନ୍ୟ ସବୁଦିନ ଦର ବଢ଼ିଛି। ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ୯ ଟଙ୍କା (୮ ଟଙ୍କା ୯୮) ଏବଂ ଡିଜେଲ ଦର ୮ ଟଙ୍କା ୯୨ ପଇସା ବଢ଼ିଛି। ଭୁବନେଶ୍ବରରେ ସୋମବାର ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୯ ଏବଂ ଡିଜେଲ ୧୦୦ ଟଙ୍କା ୫୪ ପଇସାରେ ପହଞ୍ଚି ଯାଇଛି। ତେଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଏହା ଗ୍ରାହକଙ୍କୁ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୂର୍ବରୁ ତେଲ ଦର ଉଚ୍ଚସ୍ତରକୁ ଯିବା ପରେ ଗ୍ରାହକଙ୍କ ଉପରୁ ବୋଝ ହ୍ରାସ କରିବା ପାଇଁ ଟିକସ ହ୍ରାସ କରିଥିଲେ। କିନ୍ତୁ ଏବେ ପୁଣି ଦରବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଉଲ୍ଲେଖଯୋଗ୍ୟ, ତେଲ କମ୍ପାନି ଗୁଡ଼ିକ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ନିର୍ବାଚନ ପାଇଁ ପ୍ରାୟ ସାଢ଼େ ୪ ମାସ କାଳ ପେଟ୍ରୋଲ, ଡିଜେଲ ଦରରେ କୌଣସି ପରିବର୍ତ୍ତନ କରି ନଥିଲେ। ଏପରିକି ନିର୍ବାଚନ ଶେଷହେବା ପରେ ମଧ୍ୟ ଦର ଅନେକ ଦିନ ଧରି ସ୍ଥିର ରଖିଲେ। କିନ୍ତୁ ଗତମାସ ୨୨ ତାରିଖରୁ ଦର ପୁଣି ବଢ଼ାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର