ମହାକୁଡ଼ପାଲି ଗ୍ରାମ୍ୟ ଜଙ୍ଗଲରୁ ଜିଆଇ ତାର ଜବତ, ୪ ଅଟକ

ବିଦ୍ୟୁତ୍‌ ଆଘାତ ଦେଇ ବନ୍ୟପ୍ରାଣୀ ଶିକାର

ଯୁଯୁମୁରା: ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବେଆଇନ ଜିଆଇ ତାରକୁ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ଧାର କରାଯାଇ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ବନ ବିଭାଗ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ଗ୍ରାମବାସୀଙ୍କ ନଜରକୁ ଏହି ଘଟଣା ଆସିଥିଲା। ମହାକୁଡ଼ପାଲି ଗ୍ରାମ୍ୟ ଜଙ୍ଗଲରୁ ଏହି ତାର ଜବତ ହୋଇଛି। ଘଟଣାକୁ ନେଇ ସୋମବାର ରାତିରେ ଗାଁରେ ଏକ ସଭା ବସିଥିଲା। ଏଥିରେ ସ୍ଥାନୀୟ ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣା ସଂକ୍ରାନ୍ତରେ ଜଙ୍ଗଲ ଓ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମଙ୍ଗଳବାର ସକାଳେ ଜଙ୍ଗଲ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସନ୍ଦେହରେ ଥିବା ୪ ଜଣଙ୍କୁ ନେଇଯାଇଥିଲେ। ଜବତ ତାରକୁ ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।

ସେମାନଙ୍କୁ ଧମା ରେଞ୍ଜ ଅଫସିରେ ରଖି ଅଧିକ ପଚରା ଉଚରା କରାଯାଉଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ ଧମା ରେଞ୍ଜର ଆଲୋକ ଷଡ଼ଙ୍ଗୀଙ୍କୁ ପଚାରିବାରେ, ତଦନ୍ତ ଜାରି ରହିଛି, ସତ୍ୟତା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସୂଚନା ଅନୁସାରେ, ଜଙ୍ଗଲରେ ଅବାଧ ବନ୍ୟପ୍ରାଣୀ ଶିକାର ଚାଲିଛି ଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗର ଦୁର୍ବଳ ପାଟ୍ରୋଲିଂର ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଭିନ୍ନ ସମୟରେ ନିୟମିତ ଭାବେ ଏଭଳି ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ୧୧ କେଭି ଓ ଏଲଟି ଲାଇନ୍‌ରେ ହୁକ ପଡ଼ିବା ଦ୍ଵାରା ବିଦ୍ୟୁତ୍‌ ସମସ୍ୟା ଦେଖାଯିବା ସହ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି। ବନ୍ୟପ୍ରାଣୀ ମଧ୍ୟ ଅସୁରକ୍ଷିତ ରହିଛନ୍ତି। ଏହି ଅଞ୍ଚଳରେ ନିୟମିତ ଭାବେ ହାତୀ ପଲଙ୍କ ଚଳପ୍ରଚଳ ରହିଥାଏ। ଏପରି ହୁକିଂ ଦ୍ୱାରା ବିଭିନ୍ନ ସମୟରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ରହିଥାଏ। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପାଖରେ ଏନେଇ ସୂଚନା ଥିଲେ ମଧ୍ୟ ଏହା ବିରୋଧରେ କୌଣସି ଠୋସ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୁଲିସ, ଜଙ୍ଗଲ ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯିବାକୁ ସ୍ଥାନୀୟ ସଚେତନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର