ମୟୂରଭଞ୍ଜ ପାଇଁ ଗୌରବ ଆଣିଲେ ଗିରିଶ ଚନ୍ଦ୍ର ମୁର୍ମୁ

ବାରିପଦା/ବେତନଟୀ : ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ପରେ ବରିଷ୍ଠ ଆଇଏଏସ୍‌ ଗିରିଶ ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ନିଯୁକ୍ତି ପାଇଛନ୍ତି ଗିରିଶ। ଗଣମାଧ୍ୟମରୁ ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ଖବର ଜାଣିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ବର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ସବା ବଡ଼ପୁଅ ହେଉଛନ୍ତି ଗିରିଶ। ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରିଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୮୫ରେ ‌ଗିରିଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଗିରିଶ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ। ଆଉ ଦ୍ବିତୀୟ ମୟୂରଭଞ୍ଜିଆ ଭାବେ ଜିଲ୍ଲାର ଗୌରବ ଗିରିଶଙ୍କୁ ଜମ୍ମୁକଶ୍ମୀର ଭଳି ସମ୍ବେଦନଶୀଳ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଏଲ୍‌.ଜି ଭାବେ ନିଯୁକ୍ତି ମିଳିଛି। ଯାହାକୁ ଜୋରଦାର ସ୍ବାଗତ କରିଛନ୍ତି ଜିଲ୍ଲାବାସୀ।

ନିଜ ଗାଁ କୁଞ୍ଚିଶୋଳ ପାଖରେ ଥିବା ଭୁଡୁରୁବଣୀ ପ୍ରାଇମେରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରି ଗିରିଶ ବାରିପଦାସ୍ଥିତ ଶରତଚନ୍ଦ୍ର ବିଦ୍ୟାପୀଠ, ବେତନଟୀ ଏମ୍‌ପିସି ଉଚ୍ଚ ବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଜଣେ ମେଧାବୀ ବିଦ୍ୟାର୍ଥୀ ଭାବେ ନିଜକୁ ପ୍ରତିପାଦିତ କରିଥିଲେ। ନିଜର ଅମାୟିକ ବ୍ୟକ୍ତିତ୍ବ ଏବଂ କର୍ମପ୍ରବଣତା ପାଇଁ ଗିରିଶ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅତ୍ୟନ୍ତ ବିଶ୍ବାସଭାଜନ ହୋଇଥିଲେ। ଗୁୁଜୁରାଟରେ କାର୍ଯ୍ୟରତ ଥିବାବେଳେ ଗିରିଶ ଗୋଲ୍ଡ ମେଡାଲିଷ୍ଟ ଡାକ୍ତର ସ୍ମିତା ଶୁକ୍ଳା ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କ କନ୍ୟା ରୁଚିକା ମୁର୍ମୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଓ ଏବେ ଦିଲ୍ଲୀ ଡିଏଭିରେ ଅଧ୍ୟୟନରତ। ସେହିପରି ପୁତ୍ର ରୋହନ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଅବସର ସମୟ ପାଇ‌େଲ ଗିରିଶ ସସ୍ତ୍ରୀକ ବେତନଟୀ ଆସନ୍ତି ଓ ଏଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ନିରାଡମ୍ବର ଓ ଭାବପୂର୍ଣ୍ଣ ଦିନ ବିତାଇ ଫେରିଥାଆନ୍ତି। ମୟୂରଭଞ୍ଜ ଜିଲ୍ଲାର ରେଳ ବିକାଶ କ୍ଷେତ୍ରରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ଗିରିଶଙ୍କ ପିତା ଅବସରପ୍ରାପ୍ତ ରେଳ ଷ୍ଟେସନ୍‌ ମ୍ୟାନେଜର ଭାଗବତ ମୁର୍ମୁଙ୍କର ୨୦୧୭ ମସିହାରେ ଦେହାନ୍ତ ଘଟିଛି। ପରୋପକାର, ସମାଜସେବା ଏବଂ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଗିରିଶ ମୁର୍ମୁଙ୍କ ପରିବାର ଏ ଅଞ୍ଚଳରେ ବେଶ ଖ୍ୟାତି ଲାଭ କରିଛନ୍ତି ।

ସମ୍ବନ୍ଧିତ ଖବର