ଅନ୍‌ଲାଇନ୍‌ରେ ମଣ୍ଡପ ବୁକିଂ ପାଇଁ ବାଟ ଫିଟିଲା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ମଣ୍ଡପଗୁଡ଼ିକର ଅନ୍‌ଲାଇନ୍‌ ସଂରକ୍ଷଣ ନିମନ୍ତେ ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସହ ରାଜିନାମା ସ୍ବାକ୍ଷରିତ ହୋଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଜିନାମା ସ୍ବାକ୍ଷର ଅବସରରେ ଉପସ୍ଥିତ ରହି କହିଲେ, ମଣ୍ଡପଗୁଡ଼ିକ ଅନ୍‌ଲାଇନ୍‌ରେ ବୁକିଂ ହେବା ଫଳରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମାର୍ଗଦର୍ଶିକା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିବ। ସଂସ୍କୃତି ବିଭାଗ ବୈଷୟିକ ଉପଯୋଗ ଉପରେ ଗୁରୁତ୍ବ ଦେଉଥିବାରୁ ବିଭାଗ ଅଧୀନ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହି ରାଜିନାମା ସ୍ବାକ୍ଷର ବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ମହାପ୍ରବନ୍ଧକ ବି.କେ କୁଜୁର, ଉପମହାପ୍ରବନ୍ଧକ ମୁକୁଲ ସାକ୍‌ସେନା, ଉପପ୍ରବନ୍ଧକ ବି.ଦାସ ଓ ଏନ୍‌ଆଇସିର ପଦାଧିକାରୀ ବିଭୁ ଦାସଙ୍କ ସମେତ ବ୍ୟାଙ୍କ ଓ ସଂସ୍କୃତି ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଏଜିଏମ୍‌ ପ୍ରଦୀପ ବିଶ୍ବାଳ ରାଜିନାମାରେ ସ୍ବାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର