ନୂଆଦିଲ୍ଲୀରେ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ଶୀର୍ଷ ସମ୍ମିଳନୀ ଉଦ୍‌ଘାଟିତ : ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି

ଭୁବନେଶ୍ବର : କେନ୍ଦ୍ର ବିଜ୍ଞାନ ଓ କା‌ରିଗରୀ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ‌େର ଆଜି ଠାରୁ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ଏହା ୨୩ ତାରିଖ ଯାଏ ଚାଲିବ। ସମ୍ମିଳନୀକୁ କେନ୍ଦ୍ର ସ୍ବାସ୍ଥ୍ୟ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଓଡ଼ିଶା ବାୟୋ ‌େଟକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ସୁଯୋଗ ଓ ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’ ଆଧାରରେ ବାୟୋ ଟେକ୍ନୋଲୋଜି ବିକାଶ ଦିଗରେ ସରକାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ସହଯୋଗୀ ରାଜ୍ୟ ଭାବେ ଘୋଷିତ ହୋଇଛି। ଓଡ଼ିଶାର ଭିତରକନିକା ଓ ଶିମିଳିପାଳ ପରି ସମୃଦ୍ଧ ଜୈବମଣ୍ଡଳ ତଥା ଦୀର୍ଘ ଉପକୂଳ ବାୟୋ-ଟେକ୍ନୋଲୋଜି ପରିସର ବୃଦ୍ଧି କରିବାରେ ସମର୍ଥ। ଓଡ଼ିଶାରେ ବାୟୋ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ସମତୁଲ ଅଂଶଧନ ବାବଦରେ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସମ୍ମିଳନ‌ୀରେ ଆୟୋଜିତ ପାଭିଲିୟନ୍‌ରେ ଓଡ଼ିଶାର ମଣ୍ଡପ ରହିଛି। ସେହିଥିରେ ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ସୂଚନା ଉପଲବ୍ଧ ହେଉଛି। ଏହା ସହ ଭୁବନେଶ୍ବରର ଜୀବ ବିଜ୍ଞାନ ପ୍ରତିଷ୍ଠାନର ଏକ ମଣ୍ଡପ ମଧ୍ୟ ରହିଛି। ମନ୍ତ୍ରୀ ଶ୍ରୀ ପଣ୍ଡା ଉଭୟ ମଣ୍ଡପ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ଭାରତର ନିଜସ୍ବ ସମ୍ବଳ ତଥା କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ ସାଙ୍ଗକୁ ସେହି କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର