ଘୋଷଣାରେ ଅଟକିଛି ଜିଏମ୍‌ୟୁ କମ୍ୟୁନିଟି ରେଡିଓ : ଦେଢ଼ ବର୍ଷ ପରେ ବି ମିଳିନି ଅନୁମତି

ଛାତ୍ରଛାତ୍ରୀଙ୍କୁ ପାର୍ଟ ଟାଇମ୍‌ ରୋଜଗାର ସୁଯୋଗ ଦେବ ଜିଏମ୍‌ୟୁ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏକ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ୨୦୧୭ ନଭେମ୍ବର ମାସରେ ସରକାରଙ୍କ ପାଖକୁ ଅନୁମତି ପାଇଁ ପଠାଯାଇଥିଲା। କିନ୍ତୁ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଅନୁମତି ମିଳିପାରିନାହିଁ କି ରେଡିଓ ସେଣ୍ଟର ସ୍ଥାପନ ପାଦେ ବି ଆଗେଇ ପାରିନି। କେବଳ ଘୋଷଣାରେ ହିଁ ଅଟକି ରହିଛି ଏହି ବହୁ ପ୍ରତୀକ୍ଷିତ କମ୍ୟୁନିଟି ରେଡିଓ। ଏନେଇ ବିଶ୍ବବିଦ୍ୟାଳୟ କୁଳସଚିବ ଉମା ଚରଣ ପତିଙ୍କୁ ଯୋଗାଯୋଗ କରାଯିବାରେ ଅନୁମତି ମିଳିପାରିନଥିବା ତଥା ବିଶ୍ବବିଦ୍ୟାଳୟରେ କର୍ମଚାରୀ ଓ ସ୍ଥାନର ଅଭାବ ରହିଥିବାରୁ ଏହି ପ୍ରକଳ୍ପ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି କହିଥିଲେ। ତେବେ ରୁସା ପାଣ୍ଠିରୁ ମିଳିଥିବା ୨୭.୫ କୋଟିର ଅନୁଦାନରେ ବିଶ୍ବବିଦ୍ୟାଳୟରେ ଏବେ ଭିତ୍ତିଭୂମିର ବିକାଶ ଚାଲିଥିବା ବେଳେ ଶିକ୍ଷକ ଓ ଅଣ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେଣୁ ଆସନ୍ତା ଶିକ୍ଷାବର୍ଷ ଯାଏଁ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ଯୋଜନା ଚାଲିଛି ବୋଲି ଶ୍ରୀ ପତି କହିଥିଲେ।

ଜିଏମ୍‌ୟୁର ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ କମ୍ୟୁନିଟି ରେଡିଓ କାର୍ଯ୍ୟକାରୀ ହୋଇପାରିଲେ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି କରାଯାଉଥିବା ସୂଚନା ସାଙ୍ଗକୁ ଇନ୍‌ଫରମେସନ ବୁଲେଟିନ୍‌ ଅତି ସହଜରେ ମିଳିପାରିବ। ଏହାସହ ବିଭିନ୍ନ ବିଷୟରେ ପ୍ରତିଷ୍ଠିତ ପ୍ରଫେସରଙ୍କୁ ନେଇ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉପାଦେୟ ତଥ୍ୟ ମଧ୍ୟ ପ୍ରଦାନ କରାଯାଇପାରିବ। ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ସହ ଜଡ଼ିତ ହୋଇଥିବାରୁ ଏହି ରେଡିଓ ମାଧ୍ୟମରେ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ପରିବେ‌ଷଣ କରାଯାଇପାରିବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ କଳାର ବିକାଶ ହେବା ସାଙ୍ଗକୁ ଏଠାରେ କାର୍ଯ୍ୟରତ ଛାତ୍ରଛାତ୍ରୀ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ।

ଛାତ୍ରଛାତ୍ରୀଙ୍କୁ ପାର୍ଟ ଟାଇମ୍‌ ରୋଜଗାର ସୁଯୋଗ ଦେବ ଜିଏମ୍‌ୟୁ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା, ଗବେଷଣା ସାଙ୍ଗକୁ ପାର୍ଟ ଟାଇମ୍‌ ଅର୍ଥ ଉପାର୍ଜନ ପାଇଁ ବିଭିନ୍ନ ପକ୍ରଳ୍ପ ଯୋଜନା କରାଯାଇଛି। ବିଶ୍ବବିଦ୍ୟାଳୟରେ ଥିବା ଲାଇବ୍ରେରିରେ ଅଗଷ୍ଟ ୧୫ ପରଠାରୁ ୧୨ ଘଣ୍ଟିଆ ସେବା ପ୍ରଦାନ କରାଯିବ। ସକାଳ ୮ଟାରୁ ଏହି ଲାଇବ୍ରେରି ଖୋଲାଯାଇ ରାତି ୮ଟାରେ ବନ୍ଦ ହେବ। ତେବେ ବିଶ୍ବବିଦ୍ୟାଳୟରେ ଲାଇବ୍ରେରି ସାଇନ୍ସ ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୨୦ ଜଣଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଫଳରେ ଏହି ଲାଇବ୍ରେରିରେ ସେମାନେ ପ୍ରାକ୍ଟିକାଲ କରିବା ସାଙ୍ଗକୁ ସେମାନଙ୍କର ଇଣ୍ଟର୍ନସିପ ମଧ୍ୟ ହୋଇପାରିବ। ଏହାବାଦ୍‌ ବିଶ୍ବବିଦ୍ୟାଳୟର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏଥିରେ ପାର୍ଟ ଟାଇମ୍‌ କାମ କରି କିଛି ଅର୍ଥ ମଧ୍ୟ ରୋଜଗାର କରିପାରିବେ। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଅତିଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସେପଟେ, ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଏକ ବିଶ୍ବବିଦ୍ୟାଳୟରେ କଲ ସେଣ୍ଟର କାର୍ଯ୍ୟକାରୀ ହେବାକୁ ଯାଉଛି। ଜିଏମ୍‌ୟୁରେ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଅନ୍ୟ ଲୋକଙ୍କ ପାଇଁ ୨୪ ଘଣ୍ଟିଆ ସୂଚନା ପ୍ରଦାନକାରୀ କଲ ସେଣ୍ଟର କାର୍ଯ୍ୟକାରୀ ହେବ। ସେଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ସିଣ୍ଡିକେଟରେ ଏହି ପ୍ରସ୍ତାବ ପାରିତ ହେଲେ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। କଲ ସେଣ୍ଟରରେ ଛାତ୍ରଛାତ୍ରୀମାନେ ପାର୍ଟ ଟାଇମ୍‌ ଭାବେ କାର୍ଯ୍ୟ କରି ନିଜର ପକେଟ ଖର୍ଚ୍ଚ ବାହାର କରିପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର