ବିଚ୍ଛିନ୍ନାଞ୍ଚଳବାସୀଙ୍କ ଅଜବ ବିଶ୍ବାସ : ଗାଈ ପାଳିବେ, କ୍ଷୀର ଦୁହିଁବେନି

ମାଲକାନଗିରି : ଅତି ଯତ୍ନରେ ଗାଈ ପାଳୁଛନ୍ତି। କିନ୍ତୁ ଟୋପାଏ କ୍ଷୀର ବି ଦୁହିଁବାକୁ ସଂକୋଚ କରନ୍ତି। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲିଆସିଛି। କାହିଁକି କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କୌଣସି ତଥ୍ୟ ସେମାନଙ୍କ ନିକଟରେ ନାହିଁ। ବାପା, ଅଜା କରୁଥିଲେ ତେଣୁ ସେମାନେ ବି କରୁଛନ୍ତି। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଏମିତି କିଛି ଅଜବ ବିଶ୍ବାସ ଏବେ ବି ବଞ୍ଚିଛି। ଘରେ ଗାଈ ଥିଲେ ବି କ୍ଷୀରକୁ ଏମାନେ ଆଦୌ ବ୍ୟବହାର ନକରି ବାଛୁରୀକୁ ପିଇବା ପାଇଁ ଛାଡ଼ି ଦେଉଛନ୍ତି। ତାହା ବୋଲି ଗାଈର ଯତ୍ନ ନେବାରେ ଆଜି ଯାଏଁ କୌଣସି ପ୍ରକାର ଅବହେଳା କରି ନାହାନ୍ତି।

ଦୀର୍ଘଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ଚିତ୍ରକୋଣ୍ଡା ବ୍ଲକର ୭ଟି ପଞ୍ଚାୟତ। ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ଏମାନେ ଦୁର୍ବିସହ ଜୀବନ ବଞ୍ଚୁଥିଲେ। ଜୀବନ ତଥା ଜୀବିକା ପାଇଁ ଅହରହ ସଂଗ୍ରାମ କରିବାକୁ ପଡ଼ୁଥିଲା। ତେବେ ସେତୁ ନିର୍ମାଣ ପରେ ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ। ପୂର୍ବରୁ ମୁଖ୍ୟସ୍ରୋତରୁ ଚ୍ଛିନ୍ନ ହୋଇ ରହିଥିବା ଏହି ଅଞ୍ଚଳକୁ ଧୀରେଧୀରେ ବିକାଶ ପହଞ୍ଚୁଛି। ବର୍ତମାନ ଅଞ୍ଚଳବାସୀ କେମିତି ଜୀବନ ବଞ୍ଚୁଛନ୍ତି ତାହା ଅନୁଧ୍ୟାନ କରିବା ବେଳକୁ ସାମ୍ନାକୁ ଆସିଲା ଗୋଟିଏ ଚକିତ କଲା ଭଳି ପରଂପରା। ଯେମିତି ଏଠାକାର ଅଧିକାଂଶ ଘରେ ଦେଖିବାକୁ ମିଳେ ଗୁହାଳ। ଗାଈ ସହ ବଳଦ ଏହି ଗୁହାଳରେ ବନ୍ଧା ହୁଅନ୍ତି। ଗୋଟିଏରୁ ଆରମ୍ଭ କରି ୧୦ରୁ ୧୨ଟି ପର୍ଯ୍ୟନ୍ତ ଗାଈ ଘରେ ରଖିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଗାଈ ଗୋବରକୁ ସେମାନେ ବ୍ୟବହାର କରୁଥିଲେ ହେଁ କ୍ଷୀର ଦୁହୁଁ ନଥିବା ଦେଖିବାକୁ ମିଳିଥିଲା। ପଚାରୁ ପଚାରୁ ଏଠାକାର ସମସ୍ତ ବାସିନ୍ଦା ଗାଈରୁ ଦୁହୁଁ ନଥିବା କହିଥିଲେ। କାରଣ ସଂପର୍କରେ ପଚାରିବାରୁ କେହି ଠିକ୍ ରୂପେ ଏହା ପଛର ଉଦ୍ଦେଶ୍ୟ କିମ୍ବା ରହସ୍ୟ ସଂପର୍କରେ କହିପାରି ନଥିଲେ। କେବଳ ଏମିତି କହିଥିଲେ ଯେ, ପୂର୍ବ ପୁରୁଷ ପ୍ରଣୟନ କରିଥିବା ପରଂପରାକୁ ପିଢ଼ି ପରେ ପିଢ଼ି ନିଭେଇ ଆସୁଛୁ। ଏହା ପଛରେ କିଛି ଯୁକ୍ତି ରହିଥିବା ନେଇ ସେମାନେ ମନେ କରନ୍ତି। ସେହିପରି ନିଜ ପରମ୍ପରାକୁ ବଞ୍ଚାଇବା ସହ ପୂର୍ବପୁରୁଷଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେବେ କିଛି ବୟସ୍କ ବ୍ୟକ୍ତିଙ୍କ କହିବା ହେଲା, ଦେବଦେବୀଙ୍କୁ ସନ୍ତୁଷ୍ଟ ରଖିବାକୁ ପୂର୍ବପୁରୁଷ ଏହି ପରମ୍ପରାକୁ ପାଳନ କରିବାକୁ ନିର୍ଦେଶ ଦେଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ଏବଂ ଆଗକୁ ବି ରହିବ।

ଅନ୍ୟପଟେ ଆଧୁନିକ ଯୁଗରେ ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଲୋକଙ୍କ ମଧ୍ୟରେ ଏମିତି ନିଷ୍ଠା ନିଶ୍ଚିତ ରୂପେ ଆଜିକାଲିର ସଭ୍ୟ ସମାଜକୁ ଚକିତ କରିବ। କାରଣ ରାତି ପାହିଲେ ଗାଈଙ୍କୁ ଚରିବାକୁ ଛାଡ଼ି ଦିଆଯାଏ। ସଂଧ୍ୟାରେ ଗାଈ ଫେରିଲେ ଗୁହାଳରେ ବନ୍ଧା ହୁଅନ୍ତି। କ୍ଷୀର ପିଇବା ପାଇଁ ବାଛୁରୀଙ୍କୁ ଛାଡ଼ି ଦିଆଯାଏ। ବେଳେବେଳେ ଗାଈ କ୍ଷୀର ଆପେ ଆପେ ଝରିଲେ ସୁଦ୍ଧା ସେମାନେ ସଂଗ୍ରହ କରନ୍ତି ନାହିଁ। ତେଣୁ ଦୁଗ୍ଧ ଜାତୀୟ ଖାଦ୍ୟ ଉପରେ ଏଠାକାର ଲୋକଙ୍କର ଆଦୌ ଆଶକ୍ତି ନାହିଁ। ଏଥିପାଇଁ ବଚ୍ଛିନ୍ନାଞ୍ଚଳର ଅଧିକାଂଶ ଗାଈ ଦେଖିବାକୁ ହୃଷ୍ଟପୁଷ୍ଟ। ବାଛୁରୀ ବି ଦେଖିବାକୁ ଅତି ସୁନ୍ଦର।

ସରକାର ଲୋକଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ଗୋପାଳ ନିମନ୍ତେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ରିହାତି ବି ଯୋଗାଇ ଦେଉଛନ୍ତି। ଅଥଚ ବିଚ୍ଛିନ୍ନାଞ୍ଚଳରେ ଲୋକେ ସଚେତନତା ଅଭାବରୁ ଏବଂ ପୁରୁଣା କାଳିଆ ବିଶ୍ବାସରେ ଏବେ ବି ବଞ୍ଚି ରହିଛନ୍ତି। ସଂସ୍କାର ଏବଂ ସଂସ୍କୃତିରେ ଲୋକେ ବାନ୍ଧି ହୋଇ ରହିଥିବାରୁ ଏଠାକାର ପିଲା ପୋଷକତତ୍ତ୍ବରେ ଭରପୂର ଦେଶୀ ଗାଈ କ୍ଷୀର ଏବଂ ଦୁଗ୍ଧ ଜାତୀୟ ଖାଦ୍ୟରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଗୋପାଳନ ନିମନ୍ତେ ଉତ୍ସାହିତ କରିବାକୁ ଦାବି ହୋଇଛି। ଏହାକୁ ପ୍ରଶାସନ ବି ଗ୍ରହଣ କରି ଆଗକୁ ଏଦିଗରେ କାମ କରିବ ବୋଲି କହିଛି। ଯାହାକି ଆଗକୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର