ଗୋବିନ୍ଦ ସାହୁର ମୃତ୍ୟୁ ସନ୍ଦେହଜନକ: ବିରୋଧୀ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ବିରୋଧୀ ଦଳ ସହଜ‌ରେ ଗ୍ରହଣ କରିନାହାନ୍ତି। ସୋମବାର ଦିନ ମୁଲତବୀ ଆଲୋଚନା‌ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଏହି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିବା ସହ ସତ ଉନ୍ମୋଚନ କରିବାକୁ ଦାବି କରିଥିଲେ। ଜଘନ୍ୟ ଅପରାଧ ଘଟାଇଥିବା ଜଣେ ଅପରାଧୀକୁ ବିରୋଧୀ ଦଳ ସମର୍ଥନ ନ ଦେବାକୁ ଶାସକ ଦଳ ଆହ୍ବାନ ଦେଇଛି।

ବିରୋଧୀ ଦଳ ପକ୍ଷରୁ ‘ମମିତା ମେହେର ହତ୍ୟା ମାମଲାରେ ସଂଶ୍ଳିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୁଲିସ ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଅଣାଯାଇଛି। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଗୋବିନ୍ଦ ସାହୁ କାଳେ ସତ କହିଦେବେ ଓ ସରକାରଙ୍କ ଭାବମୂର୍ତ୍ତି ସଙ୍କଟରେ ପଡ଼ିଯିବ, ସେଥି ପାଇଁ ସରକାର ଭୟ କରୁଥିଲେ। ଗୋବିନ୍ଦ ସାହୁର ମୃତ୍ୟୁ ପ୍ରକୃତରେ ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସନ୍ଦେହରେ। ପୁଲିସ୍‌ ଏହି ରହସ୍ୟ ଭେଦ କରିବ ନାହିଁ। କାରଣ ଖୋଦ୍ ପୁଲିସ୍‌ର ଭୂମିକା ସବୁବେଳେ ସନ୍ଦେହରେ ରହୁଛି। ଶାସକ ଦଳ ବିଧାୟକ ବିଜୟ ଶଙ୍କର ଦାସ ଓ ଭାଗିରଥୀ ସେଠୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଉଥିଲେ ବି ପୁଲିସ ମାମଲା ରୁଜୁ କରୁ ନଥିବାର ଉଦାହରଣ ବି ରହିଛି। କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାଂଶ ମାମଲାରେ ଫେଲ୍‌ ମାରୁଛି। ମମିତା ମେହେର ମୃତ୍ୟୁ ଘଟଣାରେ ବି ତଦନ୍ତ ଠିକ୍ ହୋଇ ନାହିଁ। ମୁକେଶ ମହାଲିଙ୍ଗ କହିଲେ, କ୍ରାଇମ୍‌ବ୍ରାଞ୍ଚ୍‌ ଓଡ଼ିଶା ସରକାରଙ୍କ ହାତବାରିସୀ ସାଜିଛି। ସବୁ ମାମଲାରେ ସମୟ ଗଡ଼ାଉଛି। କୌଣସି ମାମଲାର ସତ କ୍ରାଇମ୍‌ବ୍ରାଞ୍ଚ୍‌ ବାହାର କରିପାରିବ ନାହିଁ। କୁସୁମ ଟେଟେ ଆଲୋଚନାରେ ଭାଗ ନେଇଥିଲେ।

ଜଘନ୍ୟ ଅପରାଧୀକୁ ଗୃହରେ ସମର୍ଥନ କରା ନଯାଉ: ଶାସକ
ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ଅନୁସନ୍ଧାନ ଜାରି ରହିଛି: ମନ୍ତ୍ରୀ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ମାମଲାର ଅନୁସନ୍ଧାନ ଜାରି ରହିଛି ଓ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଅନୁସନ୍ଧାନ ଜାରି ରହିଛି। ଏଥିରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତାହା ମାନେ ସରକାର ମାନୁଛନ୍ତି ଯେ ମାମଲାଟିର ତଦନ୍ତ କରା ନଯାଇ କେବଳ ଅନୁସନ୍ଧାନ କରାଯାଉଛି। ସବୁ ମାମଲାରେ ସରକାର ଖାଲି ଅନୁସନ୍ଧାନ କରାଯାଉଛି। କିନ୍ତୁ ତାହାର ଫଳାଫଳ କିଛି ଆସୁନି। ଏ ରାଜ୍ୟରେ ସରକାର ଚାଲିଛି କି ନାହିଁ, ତାହା ମୁଁ ସନ୍ଦେହରେ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇ ପାରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି। । ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଭାବେ ରହିବାର ନୈତିକ ଅଧିକାର ତାଙ୍କର ନାହିଁ। ଅନ୍ତତଃ ଗୃହ ବିଭାଗ ଦାୟିତ୍ବ ସେ ତୁରନ୍ତ ଛାଡ଼ି ଦିଅନ୍ତୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଜଣେ ଲୋକ ସକାଳ ୮ଟା ୩୦ରେ ଆତ୍ମହତ୍ୟା କଲା। କିନ୍ତୁ ସାଥୀ କଏଦୀମାନେ କେହି ଦେଖିପାରିଲେ ନାହିଁ। ଜେଲ୍‌ ଭିତରେ ୧୬ଟି ସିସିଟିଭି ଲଗାଯାଇଛି। ତାହା କି କାମରେ ଆସିଲା? ପୁଣି ମୃତଦେହର ବ୍ୟବଚ୍ଛେଦ କଣ୍ଟାବାଞ୍ଜିରେ ନହୋଇ ବଲାଙ୍ଗୀର କାହିଁକି ନିଆଗଲା? ଗୋବିନ୍ଦ ସାହୁ ବାପା ଓ ପତ୍ନୀ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ସେହି ଦିଗ ପ୍ରତି ଗୁରୁତ୍ବ ଦେଉନି।

ବି‌ରୋଧୀ ଦଳଙ୍କୁ ଜବାବ ଦେବାକୁ ଯାଇ ଶାସକ ଦଳର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ବିରୋଧୀଙ୍କୁ ତାଛଲ୍ୟ କରିଥିଲେ। ସେ କହିଥିଲେ, ସମସ୍ତେ ଏହାକୁ ପବିତ୍ର ଗୃହ କହୁଛୁ। କିନ୍ତୁ କାମ ଅନ୍ୟ ପ୍ରକାର କରୁଛୁ। ବିଷୟବସ୍ତୁ ଉପରେ ଆଲୋଚନା ନ କରି ମନଇଚ୍ଛା କହୁଛୁ। ଜଣେ ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତିକୁ ସମର୍ଥନ କରିବାର ମନୋଭାବ ନେଇ ଆମେ କଥା କହୁଛୁ। ଜେଲ୍‌ରେ ମୃତ୍ୟୁ ହେଲେ ନିୟମ ଅନୁଯାୟୀ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ତଦନ୍ତ କରିବା କଥା। ତାହା କରାଯାଉଛି। । ଏହି ପବିତ୍ର ଗୃହକୁ କୋର୍ଟରେ ପରିଣତ କରି ଆମେ ରାୟ ଶୁଣାଇ ଦେଉଛୁ। ଏଠି ଆମେ ଲୋକଙ୍କ ସପକ୍ଷରେ କହିବାକୁ ଆସିଛୁ ଓ ଲୋକଙ୍କ ସମସ୍ୟା ପ୍ରସଙ୍ଗ କହିବା କଥା। କିନ୍ତୁ ଜଣେ ଅପରାଧୀକୁ ଏଠାରେ ଆଦୌ ସମର୍ଥନ କରାଯିବା କଥା ନୁହେଁ। ଶାସକ ଦଳ ସଭ୍ୟ ଲତିକା ପ୍ରଧାନ, ବ୍ୟୋମକେଶ ରାୟ ଓ ରୁଦ୍ର ମହାରଥୀ ଆଲୋଚନାରେ ଭାଗ ନେଇଥିଲେ।

ବିରୋଧୀଙ୍କ ଅଭିଯୋଗ ଉପରେ ଉତ୍ତର ରଖି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ୨୦.୧୨.୨୦୨୨ ପୂର୍ବାହ୍ନ ୧୦ଟା ୩୦ରେ କଣ୍ଟାବାଞ୍ଜି ସବ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଜେଲ୍‌ ଭିତରେ ଥିବା ରୋଷେଇ ଘର ଝରକାର ଲୁହା ରେଲିଂରୁ ବେକରେ ଗାମୁଛା ଗୁଡ଼ାଇ ହୋଇ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଜେଲ୍‌ ଅଧୀକ୍ଷକଙ୍କ ଲିଖିତ ଅଭିଯୋଗକ୍ରମେ କଣ୍ଟାବାଞ୍ଜି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଗୋବିନ୍ଦ ସାହୁ ମମିତା ମେହେର ଅପହରଣ ଓ ନୃଶଂସ ହତ୍ୟା ମାମଲାର ମୁଖ୍ୟ ଆସାମୀ ଥିଲେ। ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌, କଣ୍ଟାବାଞ୍ଜିଙ୍କ ଦ୍ବାରା ମାମଲାଟିର ବିଚାର ବିଭାଗୀୟ ଅନୁସନ୍ଧାନ ଜାରି ରହିଛି। ଅନୁସନ୍ଧାନ ସମୟରେ ଅନୁସନ୍ଧାନକାରୀ ଅଧିକାରୀ ମୃତ ଗୋବିନ୍ଦ ସାହୁ ପିନ୍ଧିଥିବା ଶୀତକାଳୀନ ଜ୍ୟାକେଟ୍‌ର ବାମ ପାର୍ଶ୍ବର ପକେଟରୁ କେତେକ କାଗଜପତ୍ର ଜବତ କରି ରାଜ୍ୟ ହସ୍ତଲିଖନ ବ୍ୟୁରୋଙ୍କୁ ପରୀକ୍ଷା ପାଇଁ ପଠାଇଛନ୍ତି। ଏନ୍‌ଏଚ୍‌ଆର୍‌ସିଙ୍କ ନି‌ର୍ଦ୍ଦେଶ ମୁତାବକ ଅନୁସନ୍ଧାନ ଜାରି ରହିଛି।

ସମ୍ବନ୍ଧିତ ଖବର